ଅନୁଗୋଳ: ଜୈବିକ ଉପାୟରେ ଚିନା ବାଦାମ ଚାଷ କରି ବେସ ସଫଳତା ପାଇଁ ପାରିଛନ୍ତି ଆଦିବାସୀ ମହିଳା ଗୋଷ୍ଠୀ । ନିଜସ୍ୱ ଉଦ୍ୟମ ଏବଂ ପରିଶ୍ରମ ବଳରେ ପ୍ରାୟ ୨୦ ଏକର ଜମିରେ କରିଛନ୍ତି ବାଦାମ ଚାଷ । ବର୍ଷକୁ ୨ ଥର ଏଭଳି ବାଦାମ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏବେ ଆଉ ସେମାନେ ଘରର ଚାରି କାନ୍ଥି ଭିତରେ ସିମୀତ ନ ରହି ଅର୍ଥ ରୋଜଗାର କରି ପରିବାର ଚଳାଉଛନ୍ତି । ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଆଦିଆଘାଇ ଗାଁରେ ଦେଖିବାକୁ ମିଳିଛି ଆଦିବାସୀ ମହିଳାଙ୍କ ସଫଳତା ।
ଲାଭବାନ କରିଛି ବାଦାମ:
ଅନୁଗୋଳ ବ୍ଲକର ଆଦିଆଘାଇ ଗାଁରେ ବସବାସ କରନ୍ତି ବହୁ ଆଦିବାସୀ ପରିବାର । ଅଧିକାଂଶ ଲୋକ ନିଜର ଗୁଜୁରାଣ ମେଣ୍ଟେଇବା ପାଇଁ ମୂଲ ମଜୁରୀ କରନ୍ତି । କିଛି ଲୋକ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି । କିନ୍ତୁ ଏ ଗାଁର ମା' କାଳିଜାଈ ସ୍ବୟଂ ସହାୟକ ଗୋଷ୍ଠୀର ୧୦ ଜଣ ମହିଳାଙ୍କ ନିଆରା ଉଦ୍ୟମ ଏବେ ଗାଁର ଅନ୍ୟ ମହିଳାଙ୍କ ରୋଜଗାର ପାଇଁ ବାଟ ଫିଟାଇ ଦେଇଛି । ଓଡିଶା ଜୀବିକା ମିଶନର କର୍ମଚାରୀମାନେ ଗାଁରେ ପହଞ୍ଚି ସେମାନଙ୍କୁ କିଛି ଲାଭଦାୟକ କାମ କରିବା ପାଇଁ ବୁଝାଇଥିଲେ । ଏହାପରେ ମହିଳାମାନେ ବାଦାମ ଚାଷ କରିବାକୁ ସ୍ଥିର କରିଥିଲେ । ତେଣୁ ବାଦାମ ଚାଷ ସମ୍ପର୍କରେ ଜୀବିକା ମିଶନ ସେମାନଙ୍କୁ ତାଲିମ ପାଇ ଏବେ ବାଦମ ଚାଷ କରି ବେଶ ଲାଭବାନ ହେଉଥିବା କହିଛନ୍ତି ।
ଜୈବିକ ପଦ୍ଧତିରେ ଚାଷ:
ମହିଳାମାନେ ଗାଁର ଅନ୍ୟ ଲୋକଙ୍କ ଅବ୍ୟବହୃତ ହୋଇ ପଡି ରହିଥିବା ପ୍ରାୟ ୨୦ ଏକର ଜମି ନେଇଥିଲେ । ସେହି ଜମିରେ ନିଜେ ହଳ କରି ସମତୁଲ କରିଥିଲେ । ଏହାପରେ ଜମି ପ୍ରସ୍ତୁତ କରି ବାଦାମ ବିହନ ବୁଣିବା ଠାରୁ ନେଇ ଜୈବିକ ସାର, ଔଷଧ ପ୍ରୟୋଗ କରିବା, ଘାସ ବାଛିବା ଆଦି ସବୁ କାମ ନିଜେ କଲେ । ଫଳରେ ସେମାନଙ୍କୁ ଆଉ ଶ୍ରମିକ ମଜୁରୀ ବାବଦ ଅର୍ଥ ଦେବାକୁ ପଡିଲା ନାହିଁ । ଏହା ବ୍ୟତୀତ କୃଷି ମିତ୍ରମାନେ ମଧ୍ୟ ସହାୟତା ଯୋଗାଇ ଦେଇଛନ୍ତି ।
ନିଜେ କରୁଛନ୍ତି ସବୁ କାମ:
ଏନେଇ ମହିଳା ସଂଘର ସଭାନେତ୍ରୀ କୁନ୍ତଲି ଭୋଇ କହିଛନ୍ତି, "ଗାଁର ୧୦ ଜଣ ମହିଳା ଏକାଠି ହୋଇ ଏହି ବାଦମ ଚାଷକୁ କରିଛୁ । ନିଜେ ସବୁ ଚାଷ କରିଛୁ । ରୋଇବା ଠାରୁ ଆରମ୍ଭ କରି ଅମଳ କରି ବିକିବା ପର୍ଯ୍ୟନ୍ତ ସବୁ ଆମେ କରିଛୁ ।" ସେହିପରି ସଂଘର ସମ୍ପାଦିକା ସୁମିତ୍ରା ଭୋଇ କହିଛନ୍ତି, "ଚାଷରୁ ଆମେ ଲାଭ ପାଉଛୁ, ସଙ୍ଘର ସବୁ ମହିଳା ଏକ ମନ ହୋଇ କାମ କରି ସଫଳତା ପାଇଛୁ ।" ସଂଘ ସଦସ୍ୟା ଇତିଶ୍ରୀ ଭୋଇ କହିଛନ୍ତି, "କିଛି ବାଦମ ବେପାରିମାନଙ୍କୁ ବିକ୍ରି କରୁଛୁ । ଆଉ କିଛିକୁ ଆଗାମୀ ବର୍ଷ ପାଇଁ ବିହନ ଭାବେ ରଖୁଛୁ ।"