ପୁଣି ବିବାଦରେ ହ୍ୟୁମାନ ସାଗର, ଗୀତିକାରଙ୍କୁ ମାଡ ମାରିଲେ ହ୍ୟୁମାନଙ୍କ ମ୍ୟାନେଜର,ଥାନାରେ ମାମଲା ରୁଜୁ କଟକ: ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପିଛା ଛାଡୁନି ବିବାଦ । ଏଥର ଗୀତିକାର ପ୍ରମୋଦ ପରିଡାଙ୍କୁ ମାଡ ମାରିବା ସହ ହତ୍ୟା ଧମକର ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ ଓଲିଉଡ୍ ସିଙ୍ଗର ହ୍ୟୁମାନ ସାଗରଙ୍କ ମ୍ୟାନେଜର ଦୀନେଶ ବେହେରା ଓରଫ ପପୁଙ୍କ ନାଁରେ ବିଳମ୍ବିତ ରାତିରେ ବାଦାମବାଡ଼ି ଥାନାରେ ଏତଲା ଦେଇଛନ୍ତି ଆହତ ପ୍ରମୋଦ ପରିଡା । ଏହି ଆକ୍ରମଣରେ ପ୍ରମୋଦଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ଶରୀରର ଅନେକାଂଶ ରେ କ୍ଷତ ହୋଇଛି । ପ୍ରମୋଦଙ୍କ ଅଭିଯୋଗ ଅନୁସାରେ ଓଲିଉଡ଼ର ଚର୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର କଟକ ବାଖାରବାଗରେ ରହୁଥିବା ଦୀନେଶ ବେହେରା ଓରଫ ପପୁ ଗତକାଲି ପ୍ରମୋଦ ରହୁଥିବା ପାଲା ମଣ୍ଡପ ନିକଟରେ ଥିବା ଭଡା ଘରେ ଅନ୍ୟ ଜଣେ ଯୁବକଙ୍କୁ ନେଇ ପହଞ୍ଚି ଥିଲେ । ପପୁ ପ୍ରଥମେ କବାଟ ବାଡେଇଥିଲେ ।
ଏହା ମଧ୍ୟ ପଢନ୍ତୁ...ଶ୍ରୀୟାଙ୍କ ଆରୋପ ପରେ ମୁଁହ ଖୋଲିଲେ ହ୍ୟୁମାନ, କହିଲେ ମିଛ ଅଭିଯୋଗ କରିବା ସମାଧାନର ରାସ୍ତା ନୁହେଁ
ପ୍ରମୋଦ କବାଟ ଖୋଲିବା ପରେ ପପୁ ଘରେ ପଶି ତାଙ୍କୁ ବନ୍ଧୁକ ଦେଖେଇବା ସହ ମାଡ଼ ମାରିଥିଲେ । ଏହାପରେ ତାଙ୍କୁ ବଳପୂର୍ବକ ଘରୁ ନେଇ ହ୍ୟୁମାନ ସାଗରଙ୍କ କାର୍ଯ୍ୟାଳୟରେ ସାଢେ ତିନି ଘଣ୍ଟା ଧରି ଆମାନବୀୟ ଅତ୍ୟାଚାର କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ପ୍ରମୋଦ । ହ୍ୟୁମାନ ନାଁରେ ସୋସିଆଲ ମିଡିଆରେ କଣ ପାଇଁ ଲେଖିଲ ଓ ଏପରି କଲେ ମାରିଦେବୁ ବୋଲି ମଧ୍ୟ ସେମାନେ କହିଥିଲେ । ଏନେଇ ଗତକାଲି ରାତିରେ ବାଦାମବାଡ଼ି ଥାନା ଏତଲା ଦାୟର କରିଛନ୍ତି ପ୍ରମୋଦ । ତେବେ ଏହି ଦିଗରେ ନ୍ୟାୟ ପାଇବା ପାଇଁ ସିନେଜଗତକୁ ନିବେଦନ କରିଛନ୍ତି ପ୍ରମୋଦ ।
ତେବେ ହ୍ୟୁମାନଙ୍କ ନାଁରେ ଏପରି ବିବାଦ କିଛି ନୂଆ ଘଟଣା ନୁହଁ । ଗତ ଜାନୁଆରୀ ମାସ ୨୦୨୩ରେ ହ୍ୟୁମାନଙ୍କ ନାଁରେ ତାଙ୍କ ପତ୍ନୀ ଶ୍ରୀୟା ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଯାହାକୁ ନେଇ ଡିସିପିଙ୍କ ଦ୍ବାରସ୍ଥ ହୋଇଥିଲେ ହ୍ୟୁମାନ ସାଗରଙ୍କ ପତ୍ନୀ । ହ୍ୟୁମାନ ଓ ତାଙ୍କ ମଧ୍ୟରେ ଫାଟର ମୁଖ୍ୟ କାରଣ ହେଉଛି ନିଶା ଏବଂ ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ବୋଲି ଶ୍ରୀୟା କହିଥିଲେ । ସେହିପରି ମେ ମାସ ୨୦୨୨ ରେ ଜଗନ୍ନାଥ ଭଜନ ଗାଇବେ ନାହିଁ କହି ପୁଣି ବିବାଦ ଛନ୍ଦି ହୋଇଥିଲେ ହ୍ୟୁମାନ ସାଗର । ସଙ୍ଗୀତ ନିର୍ଦେଶକ ଜାପାନୀ ପ୍ରତିବାଦ କରିବାରୁ ହ୍ୟୁମାନ ସାଗରଙ୍କ ସହଯୋଗୀ ବବୁଲ ରାଜେଶ ନାୟକ ଫୋନ କରି ଜାପାନୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।
ଇଟିଭି ଭାରତ, କଟକ