ରାମଗୁଡା ପର୍ବତରେ ପ୍ରଭୁ ଶ୍ରୀରାମଙ୍କ ପାଦ ଚିହ୍ନ ଠାବ ମାଲକାନଗିରି: ଜିଲ୍ଲାର ରାମଗୁଡା ପର୍ବତରେ ପ୍ରଭୁ ଶ୍ରୀରାମଙ୍କ ପାଦ ଚିହ୍ନ ଠାବ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏଠାରେ ପୂଜାର୍ଚ୍ଚନା କରିଛନ୍ତି । ପୌରାଣିକ କଥାବସ୍ତୁ ଅନୁସାରେ ଏହି ସ୍ଥାନଟି ଚିହ୍ନଟ କରାଯାଇଥିବା ବେଳେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ସେହି ସ୍ଥାନରେ ପହଞ୍ଚି ତାହାର ଉନ୍ନତିକରଣ କରିବା ନିମନ୍ତେ ଆଲୋଚନା କରିଛନ୍ତି ।
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମ ଭି ୭ ନମ୍ବର ତାଣ୍ଡାପାଲ୍ଲୀ ରାମଗୁଡାଠାରେ ଏକ ପର୍ବତ ଶିଖରରେ ପ୍ରଭୁ ଶ୍ରୀରାମଙ୍କ ପାଦ ଚିହ୍ନ ଠାବ କରାଯାଇଛି । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଏହି ସ୍ଥାନକୁ ଠାବ କରାଯାଇଛି । ଅନ୍ୟପଟେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏହିି ଅଞ୍ଚଳରେ ଜନଜାତି ସମ୍ପ୍ରଦାୟର ଆଦିବାସୀ ପୂଜାର୍ଚ୍ଚନା କରିଆସୁଛନ୍ତି । ତେବେ ଗୁରୁବାର ଦିନ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ଏହି ସ୍ଥାନ ପରିଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ଏବଂ କିଭଳି ଏହି ସ୍ଥାନଟିର କିଭଳି ଉନ୍ନତିକରଣ ହୋଇପାରିବ ଓ ଅଧିକ ଶ୍ରଦ୍ଧାଳୁ ଆସିପାରିବେ ସେ ଦିଗରେ ସ୍ଥାନୀୟ ବୁଦ୍ଧିଜୀବୀ, ପୂଜାରୀ ପେଦାମାନଙ୍କ ସହ ଆଲୋଚନା କରିଥିଲେ l
ଏହାମଧ୍ୟ ପଢନ୍ତୁ..ସତିଗୁଡା ଇକୋପାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ
ବର୍ତ୍ତମାନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସେହି ସ୍ଥାନରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଛି l ବିଭିନ୍ନ ଅଞ୍ଚଳରୁ ଠାକୁର ବିମାନ ଓ ଲାଠିଧାରୀ ଭକ୍ତମାନେ ପାହାଡ଼ ନିକଟରେ ପହଞ୍ଚି ପୂଜା କରୁଛନ୍ତି । କାଳିସୀ, ଦିଶାରୀ, ପୂଜାରୀମାନଙ୍କ ନୃତ୍ୟ ସାଙ୍ଗକୁ ଘଣ୍ଟ, ମାଦଳ ବାଦ୍ୟରେ କମ୍ପି ଉଠିଛି ପୂଜା ସ୍ଥଳ । ଶ୍ରୀରାମଙ୍କ ପାଦ ଦର୍ଶନ ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ସମସ୍ତ ଭକ୍ତଙ୍କ ପାଇଁ ସେଠାରେ ପୂଜା କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।
ପ୍ରଭୁ ଶ୍ରୀରାମ ୧୪ ବର୍ଷ ଅଜ୍ଞାନ୍ତ ବନବାସ କରିବା ସମୟରେ ମାତା ସୀତା ଓ ଲକ୍ଷ୍ମଣଙ୍କ ସହ ମାଲ୍ୟବନ୍ତ ଅଞ୍ଚଳରେ ବହୁ ସମୟ ଅତିବାହିତ କରିଥିବା ରାମାୟଣରେ ଉଲ୍ଲେଖ ରହିଛି । ଯାହାର କିମ୍ବଦନ୍ତୀ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିର ସୀତାକୁଣ୍ଡ, ଆମାକୁଣ୍ଡ, ମାଲକାନଗିରି ସହର ପାହାଡ ଉପଖଣ୍ଡରେ ଥିବା ମଲ୍ଲିକେଶ୍ବର ମହାଦେବଙ୍କ ମନ୍ଦିର, କୋରୁକୁଣ୍ଡାର ଶୁଳେଇ ପାହଡ଼ ପାଦଦେଶରେ ଥିବା ଶୁଳେଶ୍ବଳ ମହାଦେବ ମନ୍ଦିର ଓ ମାଲକାନଗିରିର ନିକଟରେ ବହି ଯାଇଥିବା ତମସା ନଦୀ ଅଞ୍ଚଳରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପାଦ ପଡିଥିବା ପୌରାଣିକ କଥାବସ୍ତୁ ରହିଛି ।
ଇଟିଭି ଭାରତ, ମାଲକାନଗିରି