ଜଗତସିଂହପୁର: ପାଖେଇ ଆସୁଛି ସାଧାରଣ ନିର୍ବାଚନ 2024 । ନିର୍ବାଚନ ବୈତରଣୀ ପାର ହେବାକୁ ଜୋରଦାର ରଣନୀତି ପ୍ରସ୍ତୁତି କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଓଡ଼ିଶାରେ ଏଥର ପୁଣିଥରେ ଶାସକ ବିଜେଡି ଓ ବିରୋଧି ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଜୋର ଧରିଥିବାବେଳେ ଯଦି ମେଣ୍ଟ ହୁଏ, ତେବେ କଂଗ୍ରେସ ଏହି ମେଣ୍ଟ ସହ ଜୋରଦାର ଲଢ଼େଇ କରିବା ବୋଲି କୁହାଯାଉଛି । ଓଡ଼ିଶାର ସମସ୍ତ 147 ବିଧାନସଭା ଓ 21 ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ଆପ୍ ମଧ୍ୟ ଘୋଷଣା କରିସାରିଛି । ଏହି କ୍ରମରେ ଅନ୍ୟ ଏକ ରାଜନୈତିକ ଦଳ ଲୋକ ଜନାଶକ୍ତି ପାର୍ଟି (ରାମବିଳାଶ) ଏଥର ଓଡ଼ିଶା ରାଜନୀତି ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛି । ଆଗାମୀ ନିର୍ବାଚନରେ ଦଳ 60 ବିଧାନସଭା ଓ 11 ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି ।
ଲୋକ ଜନଶକ୍ତି ପାର୍ଟି (ରାମବିଳାଶ) ରାଜ୍ୟରେ ମୋଟ 147ଟି ବିଧାନସଭା ଆସନ ମଧ୍ୟରୁ 60ଟି ଆସନରେ ପ୍ରାର୍ଥୀ ଦେବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି । ସେହିପରି ଜଗତସିଂହପୁର ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଦେବ ବୋଲି ମଧ୍ୟ କହିଛି । ରାଜ୍ୟର ଅନ୍ୟ 20ଟି ଲୋକସଭା ଆସନ ମଧ୍ୟରୁ 10ଟି ଆସନରେ ନିର୍ବାଚନ ଲଢ଼ିବ ଦଳ । ଜଗତସିଂହପୁରର ଏକ ଘରୋଇ ମଣ୍ଡପରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଲୋକ ଜନଶକ୍ତି ପାର୍ଟିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ମଲ୍ଲିକ ଏଭଳି ସୂଚନା ଦେଇଛନ୍ତି । ଚିତ୍ତରଞ୍ଜନ ଆହୁରି ମଧ୍ୟ କହିଛନ୍ତି, "ସମଗ୍ର ଦେଶରେ ଲୋକ ଜନଶକ୍ତି ପାର୍ଟିର ଲୋକପ୍ରିୟତା ରହିଛି । ଏହି ପାର୍ଟି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ରାମବିଳାସ ପାଶୱାନଙ୍କ ନାମରେ ନାମିତ । ପୂର୍ବରୁ ଏନ୍ଡିଏ ସରକାର ସମୟରେ ରାମବିଳାଶ ପାଶୱାନ କେନ୍ଦ୍ରମନ୍ତ୍ରୀ ହୋଇ ବିଭିନ୍ନ ଲୋକହିତକର କାର୍ଯ୍ୟ କରିଥିଲେ ।" ଆଜି ବି ତାଙ୍କର ଲୋକପ୍ରିୟତା କମିନଥିବା ସେ ପ୍ରକାଶ କରିଥିଲେ ।