ମୌଳିକ ସୁବିଧା ପାଇନାହାନ୍ତି ଗ୍ରାମବାସୀ, ଭୋଟ ବର୍ଜନ ପାଇଁ ନେଲେ ନିଷ୍ପତ୍ତି (ETV BHARAT ODISHA) ମାଲକାନଗିରି: ମୌଳିକ ସୁବିଧା ନାହିଁ ତ ଭୋଟ ନାହିଁ । ଏଭଳି ଚେତାବନୀ ଦେଇଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ନିର୍ବାଚନ ମଣ୍ଡଳୀର କୋରକୁଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅନ୍ତର୍ଗତ ଧଉଡାଗୁଡା ଓ ଭାଲୁଗୁଡା ଗ୍ରାମର ଗ୍ରାମବାସୀ । ମାଲକାନଗିରି ଜିଲ୍ଲା ସୋମନାଥପୁର ପଞ୍ଚାୟତର ଧଉଡାଗୁଡା ଗାଁରେ 80 ପରିବାର ବସବାସ କରୁଥିବା ବେଳେ ଭାଲୁଗୁଡା ଗାଁରେ ପାଖାପାଖି ୩୦ ପରିବାର ବସବାସ କରୁଛନ୍ତି । ଏହି ଦୁଇଟି ଗାଁରେ ତିନିଶହରୁ ଊର୍ଦ୍ଧ୍ବ ରହିଛନ୍ତି ମତଦାତା । ହେଲେ ଆଜି ପର୍ଯ୍ୟନ୍ତ ସରକାରଙ୍କ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଏହି ଗ୍ରାମ । ତେଣୁ ଚଳିତ ବର୍ଷ ଭୋଟ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ଦିନ ଧରି ନେତାଙ୍କୁ ବାରମ୍ବାର ଭୋଟ ଦେଲେ ମଧ୍ୟ ସରକାରଙ୍କ ମୌଳିକ ସୁବିଧା ବର୍ତ୍ତମାନ ସୁଧା ପହଞ୍ଚି ପାରୁନି ଗାଁରେ । ଗାଁକୁ ଭଲ ରାସ୍ତାଟିଏ ନାହିଁ ରାସ୍ତାର ଅବସ୍ଥା ଏତେ ଖରାପ ଯେ ଗାଁରେ କାହାର ଦେହ ଖରାପ ହେଲେ କିମ୍ବା କୌଣସି ଗର୍ଭବତୀ ମହିଳାମାନଙ୍କୁ ପ୍ରସବ ବେଦନା ହେଲେ ଦଉଡିଆ ଖଟିଖିଆରେ ଭାର କରି 8ରୁ 10 କିମି ନେଲା ପରେ ଆମ୍ବୁଲାନ୍ସ ଆସି ହସ୍ପାଟାଲ ନେବାକୁ ପଡୁଛି । ତେବେ କେତେକ ସମୟରେ ରାସ୍ତା ନଥିବାକୁ ଝଡାଫୁଙ୍କା କରି ରୋଗୀଙ୍କୁ ଭଲ କରିବାକୁ ପଡୁଛି । ସେହିଭଳି ଗାଁରେ ପିଇବା ପାଣିର ସମସ୍ୟା ରହିଛି । ଫଳରେ ଗ୍ରାମବାସୀ ପିଉଛନ୍ତି ଚୂଆଁର ସାହାରା ନେଉଛନ୍ତି । ଗାଁର କିଛି ଦୂରତାରେ ଥିବା ଏକ ଚୁଆଁକୁ ଖୋଳି କୂଅ ଭଳି ଆକୃତି ଦେଇ ପାଣି ସଂରକ୍ଷିତ କରି ଏହି କୂଅର ପାଣିକୁ ପିଉଛନ୍ତି । ସେହିପରି ଗାଁରେ ଗୋଟିଏ ସୌର ଚାଳିତ ବୋର୍ ୱେଲ୍ ରହିଥିଲେ ହେଁ ଖରା ହେଲେ ତାହା ମଧ୍ୟ ସୁଖି ଯାଉଛି । ଏହି ବୋର୍ ୱେଲ୍ କେବେ ଚାଲୁଛିତ କେତବେଳେ ବୋର୍ ୱେଲର ପାଣି ସୁଖିଯାଉଛି । ଏଣୁ ସେମାନେ ବାଧ୍ୟହୋଇ ଚୂଆଁରଖରାପ ପାଣି ପିଉଥିବା କହିଛନ୍ତି ଗ୍ରାମବାସୀ ।
ଏହା ମଧ୍ୟ ପଢନ୍ତୁ: ଶୁଣିଲେନି ସରକାର ! 'ମୌଳିକ ସୁବିଧା ନାହିଁ ତ ଏଥର ଭୋଟ ନାହିଁ' - Malkangiri Vote Boycott
ସେହି ଭଳି ଏହି ଅଞ୍ଚଳରେ କୌଣସି ରୋଜଗାର ପନ୍ଥା ନଥିବାରୁ ଗ୍ରାମର ଅଧିକାଶଂ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ଯକୁ ଯାଇଥାନ୍ତି । ତିରିଶି ରୁ ଉର୍ଦ୍ଧ ବାର୍ଦ୍ଧକ୍ଯ ଭତ୍ତା ପାଇବା ପାଇଁ ଯୋଗ୍ଯ ହିତାଧିକାରୀ ଥିଲେ ମଧ୍ଯ ସେମାନଙ୍କୁ ମିଳିପାରୁନି ସୁବିଧା । ସ୍ଥାନୀୟ ୱାଡମେମ୍ବର ବାରମ୍ବାର ବ୍ଲକ ପ୍ରଶାସନ, ସରପଞ୍ଚ ଓ ବିଧାୟକଙ୍କୁ ଜଣାଇ ଥିଲେ ମଧ୍ଯ କେହିବି ତାଙ୍କ କଥା ଶୁଣିନାହାନ୍ତି କହିଛନ୍ତି ସେଠାକାର ୱାଡମେମ୍ବର୍ । ଏଣୁ ଏହି ସାଧାରଣ ନିର୍ବାଚନରେ ଭୋଟୋ ବର୍ଜନ କରିବା ପାଇଁ ଗ୍ରାମବାସୀ ନିଷ୍ପତି ନେଇଥିବା କହିଛନ୍ତି । ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ପୂର୍ବରୁ ସୋମନାଥପୁର ପଞ୍ଚାୟତର ସରପଞ୍ଚ ଥିଲେ ଏବଂ ସେ ବର୍ତ୍ତମାନର ଏହି ଅଞ୍ଚଳର ଜିଲ୍ଲାପରିଷଦ ସଭ୍ୟ ରହିଛନ୍ତି ।
କିନ୍ତୁ ସେ ଆଜି ଯାଏଁ ଏହି ଗାଁର କୌଣସି କାମ କରିନାହାନ୍ତି । ସେହିଭଳି ବର୍ତ୍ତମାନର ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଡମ୍ବୁରୁ ସିସା, ସେ ଯେତେବେଳେ ବଧାୟକ ଥିଲେ ତାଙ୍କୁ ବି ଏହି ଅଞ୍ଚଳର ସମସ୍ୟା ନେଇ ଜଣାଇ ଥିଲେ ଗ୍ରାମବାସୀ ସେବି କୌଣସି କାମ କରିନଥିବା କହିଛନ୍ତି ଗ୍ରାମବାସୀ । ଯଦି ବିଜେଡି କଥା କହିବା ତାହେଲେ ବଜେଡିର ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଉନ୍ନତିମୂଳକ କାର୍ଯ୍ୟ କରିବା ତ ଦୂରର କଥା ଆଜି ପର୍ଯ୍ୟନ୍ତ ପାଦ ମଧ୍ୟ ପକାଇନଥିବା କହିଛନ୍ତି । ଏପରି ପରିସ୍ଥିତିରେ ତାଙ୍କ ଝୀଆରି ଲକ୍ଷ୍ମୀପ୍ରିୟା ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଏହାକୁ ଗ୍ରାମବାସୀ ସହଜରେ ଗ୍ରହଣ କରି ନାହାନ୍ତି ।
ଅଭିଯୋଗ ପାଇଁ କୋରୋକୁଣ୍ଡା ବିଡିଓଙ୍କ ସମାଧାନ କରିବା ପାଇଁ କହିଥିଲେ ହେଁ କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ମନା କରିଦେଇଛନ୍ତି । ବର୍ତ୍ତମାନ ଦେଖିବାକୁ ବାକିରହିଲା ଧଉଡାଗୁଡା ଓ ଭାଲୁଗୁଡା ଗାଁର ଲୋକଙ୍କ ସମସ୍ୟାର ସମାଧାନ ପ୍ରଶାସନ କେବେ କରୁଛି ଓ ରାଜ ନେତାମାନେ ଗ୍ରାମବାସୀଙ୍କୁ କେମିତି ମନାଇ ଭୋଟ ହାତେଇ ପାରୁଛନ୍ତି ନା ଗ୍ରାମବାସୀ ନିଜ ଜିଦିରେ ଅଟଳ ରହି ଭୋଟ ବର୍ଜନ କରୁଛନ୍ତି ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ମାଲକାନଗିରି