ଭୁବନେଶ୍ବର:କଂଗ୍ରେସ ଫୋକସରେ ବାଲେଶ୍ୱର-ଭଦ୍ରକ । ଜୁନ 1ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।ଏହି ପର୍ଯ୍ୟାୟରେ ଜନମତକୁ ନିଜ ସପକ୍ଷରେ ନେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଆସନ୍ତା କଲି ପ୍ରଚାରର ଶେଷ ଦିବସ ହୋଇଥିବାରୁ ଆଜି ହେଭିୱେଟମାନେ ପ୍ରଚାର ମୈଦାନରେ ସାମିଲ ହୋଇ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗୁଛନ୍ତି । ତେବେ ସମସ୍ତଙ୍କ ନଜର ରହିଛି ବାଲେଶ୍ୱର ଏବଂ ଭଦ୍ରକ ସିଟ୍ ଉପରେ । ଏହି ଦୁଇ ଆସନରେ କଂଗ୍ରେସ ବଡ଼ ଲଢେଇ ଲଢ଼ୁଛି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।
ରାଜନୀତି ସମୀକ୍ଷକ ରବି ଦାଶ କହିଛନ୍ତି ଯେ, କଂଗ୍ରେସ ବାଲେଶ୍ୱର ଲୋକସଭା,କିଛି ବିଧାନସଭା ଏବଂ ଭଦ୍ରକ ଲୋକସଭା, ଦୁଇ ତିନୋଟି ଲୋକସଭା ଏବଂ କେନ୍ଦ୍ରାପଡାରେ ଗୋଟିଏ ଦୁଇଟି ବିଧାନସଭାରେ ଭଲ ପ୍ରଦର୍ଶନ କରିବ । କଂଗ୍ରେସ ଦଳ ଓଡ଼ିଶାରେ ପ୍ରଚାର ଠିକ ଭାବେ କରି ନାହାଁନ୍ତି । ଓଡ଼ିଶାରେ ନିର୍ବାଚନକୁ କଂଗ୍ରେସ ଗୁରୁତ୍ୱର ସହ ନେଇନାହିଁ । ଖଡ଼ଗେ ,ରାହୁଲ ଏବଂ ପ୍ରିୟଙ୍କା ଯଦି ବାରମ୍ବାର ଆସିଥାନ୍ତେ କଂଗ୍ରେସ ଜନମତ ପ୍ରଭାବିତ କରିବାରେ ସମର୍ଥ ହୋଇପାରି ଥାନ୍ତା । କଂଗ୍ରେସ ଯେଉଁ ନିର୍ବାଚନୀ ଇସ୍ତାହାର ଘୋଷଣା କଲା ପ୍ରାୟ ସବୁ ବର୍ଗ ପାଇଁ ତାହା ଲୋକଙ୍କ ପାଖରେ ପହଞ୍ଚାଇ ପାରିଲାନି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି ନବୀନଙ୍କ ସହ ଭଲ ସଂପର୍କ ଥିବା ସତ୍ତ୍ୱେ ସମୟ ଆସିଲା ବିଜେପି ଉପଲବ୍ଧି କଲା ସେମାନେ ଓଡ଼ିଶାରେ ସରକାର ଗଢିବେ । ସେଥିପାଇଁ ବିଜେପିର ବରିଷ୍ଠ ନେତା ମାନେ ଲାଗିପଡିଛନ୍ତି । ନରେନ୍ଦ୍ର ମୋଦି ଧରି ନେଇଛନ୍ତି ଯେ, ସେମାନେ ଓଡ଼ିଶାରେ ସରକାର ଗଢିବେ । ସେଥିପାଇଁ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ଲୋକମତକୁ ପ୍ରଭାବିତ କରିବାକୁ ଲାଗି ପଡିଛନ୍ତି । ମହିଳା ,ବରିଷ୍ଠ ନାଗରିକ ଭୋଟ ବ୍ୟାଙ୍କ ଉପରେ ବିଜେଡି ନିର୍ଭର କରୁଛି । ହେଲେ ବିଜେପି ମଧ୍ୟ ଭଲ ପ୍ରଦର୍ଶନ କରିପାରେ ।
ଆସନ୍ତାକାଲି ସରିବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର । କଂଗ୍ରେସର ଫୋକସରେ ବାଲେଶ୍ୱର ,ଭଦ୍ରକ ଥିବାରୁ ଆଜି କଂଗ୍ରେସ ପକ୍ଷରୁ AICC ଅଧ୍ୟକ୍ଷ ମଳିକାର୍ଜୁନ ଖଡ଼ଗେ ବାଲେଶ୍ୱର ,ରେମୁଣା ଏବଂ ଭଦ୍ରକ ଚାନ୍ଦବାଲିରେ ମାରାଥନ ପ୍ରଚାର କରିବେ । ଖଡ଼ଗେ ମୋଦିଙ୍କ ଉପରେ ବର୍ଷିବା ସହ ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଜୁନ 1 ତାରିଖରେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇ ପାଇଁ ଅପିଲ କରିଛନ୍ତି ଖଡ଼ଗେ । ଦେଶକୁ ବଞ୍ଚାଇବା ପାଇଁ କଂଗ୍ରେସ ପ୍ରୟାସ କରୁଛି । ମୋଦି ହଟାଓ ଦେଶ ବଞ୍ଚାଓ । ବିଜେପି ପାଇଁ ଆଜି ସମ୍ବିଧାନ ବିପଦରେ ,ଗଣତନ୍ତ୍ର ବିପଦରେ । ତେଣୁ କଂଗ୍ରେସର ଲୋକାଭିମୁଖୀ ନିର୍ବାଚନୀ ଇସ୍ତାହାର ସବୁ ବର୍ଗଙ୍କ ପାଇଁ ସହାୟକ ହେବ । କଂଗ୍ରେସ ସରକାର ଆସିବାର ଦୁଇ ମାସ ମଧ୍ୟରେ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ 30 ଲକ୍ଷ ଚାକିରି ଦେବୁ ବୋଲି କହିଛନ୍ତି ଖଡ଼ଗେ ।