ନିଆଳି: ମାଟି ଓ କଚା ରାସ୍ତା ନବକଳେବର ହେବ ଏବଂ ପିଚୁ ଏବଂ କଂକ୍ରିଟ ରାସ୍ତା ନିର୍ମାଣ ହେବ । ଏଥିପାଇଁ ପୂର୍ବ ସରକାର ତଥା ବିଜେଡି ସରକାର ସମୟରେ ୧୬ କୋଟି ୬୬ ଲକ୍ଷ ଟଙ୍କା ମଞ୍ଜୁର ହେଲା । ରାସ୍ତା କାମ ଆରମ୍ଭ ହେଲା । ହେଲେ ଅଧା ବାଟରେ ରାସ୍ତା ନିର୍ମାଣ ବନ୍ଦ । ଯାହା ଫଳରେ କଟକ ଜିଲ୍ଲା ନିଆଳି ବ୍ଳକର ଜଲ୍ଲାରପୁର ଠାରୁ ପହଙ୍ଗା ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଜଲ୍ଲାରପୁରଠାରୁ ପହଙ୍ଗା ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ ।
ଅଭିଯୋଗ ଅନୁସାରେ କଟକ ଜିଲ୍ଲା ନିଆଳି ବ୍ଲକ ଜଲ୍ଲାରପୁର ଠାରୁ ପହଙ୍ଗା ରାସ୍ତା ନିର୍ମାଣ ପାଇଁ ବିଜେଡି ସରକାର ଅମଳରେ ୧୬ କୋଟି ୬୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ନେଇ ସୂଚନା ଫଳକରୁ ସୂଚନା ମିଳିଛି । ମାଟି ଓ କଚା ରାସ୍ତାକୁ ପିଚୁ ଏବଂ କଂକ୍ରିଟ ଢଳେଇ ହେବ । ନିଆଳି ବ୍ଲକ ସମେତ ଚାରିଗୋଟି ଜିଲ୍ଲାର ଲୋକଙ୍କ ଗମନାଗମନ ସୁଗମ ହେବ । କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଯାତାୟତରେ ସୁବିଧା ହେବ । ଏଥିପାଇଁ ଆର୍ ଆଣ୍ତ ବିଭାଗ (Road and Buildings Department) ଗତ କିଛି ମାସ ତଳେ ଜଲ୍ଲାରପୁର ଠାରୁ ପହଙ୍ଗା ରାସ୍ତା ନିର୍ମାଣ ଆରମ୍ଭ କରି ଅଧା ବାଟରେ ଛାଡି ଦେଇଛି । ଫଳରେ ରାସ୍ତା ଉପରେ ନିର୍ଭରଶୀଳ ସାଧାରଣ ଜନତା, ରୋଗୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ଓ ଦୁଇ ଚକିଆ ଯାନ ଠାରୁ ଛ' ଚକିଆ ଯାନ ଯାତୟାତରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଅସରାଏ ବର୍ଷାରେ କାଦୁଅ ପଚ ପଚକୁ ରାସ୍ତା ମଝିରେ ଗାତ ସୃଷ୍ଟି ହୋଇଛି । ଯାହାଫଳରେ ଯାତାୟାତରେ ଅସୁବିଧା ହେବା ସହିତ ଦୁର୍ଘଟଣା ବଢ଼ୁଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।