କେନ୍ଦ୍ରାପଡ଼ା: ରାଜ୍ୟର ପ୍ରଥମ ପୌରପାଳିକା ହେଉଛି କେନ୍ଦ୍ରାପଡ଼ା ସହର । ହେଲେ ଏଯାବତ ମିଳିପାରୁନାହିଁ ସାମାନ୍ୟତମ ସୁବିଧା ସୁଯୋଗ । ଇତି ମଧ୍ୟରେ କେନ୍ଦ୍ରାପଡ଼ା ପୌରପାଳିକାକୁ ୧୫୫ବର୍ଷ ଅତିକ୍ରାନ୍ତ କରିଥିବାବେଳେ ଅନ୍ୟ ପୌରପାଳିକା ତୁଳନାରେ ବିକାଶର ଶିଖରରେ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି । ଆଜି ମଧ୍ୟ ଏହି ପୌରପାଳିକାର ଲୋକମାନେ ଅନେକ ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲଗିଛି । ସେପଟେ ସବୁ କିଛି ଠିକ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ କହୁଥିବା ବେଳେ ଚିତ୍ର କିନ୍ତୁ ଭିନ୍ନ କଥା ବୟାନ କରୁଛି ।
୧୮୬୯ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ ଇଂରେଜ ସରକାର କେନ୍ଦ୍ରାପଡା ସହରକୁ ରାଜ୍ୟର ପ୍ରଥମ ପୌରପାଳିକା ଘୋଷଣା କରିଥିଲେ । ଏହାପରେ ଯଦିଓ ୧୮୮୫ ମସିହାରେ ଭାରତରେ ଅବସ୍ଥାପିତ ବ୍ରିଟିଶ ଶାସକ ଲର୍ଡ଼ ରିପନ ସ୍ୱାୟତ୍ତ ଶାସନର ପ୍ରସ୍ତାବ ଆଣିଥିଲେ । ତଥାପି ୧୮୬୯ ମସିହାରେ ଲର୍ଡ଼ ମାୟୋଙ୍କ ଶାସନ ସମୟରେ କଲିକତା, ଓଡିଶା ଓ ବିହାର ପ୍ରେସିଡେନ୍ସି ମଧ୍ୟରେ ଥିବା କେନ୍ଦ୍ରାପଡାର ୧୪ଟି ପଡାକୁ ନେଇ କେନ୍ଦ୍ରାପଡା ସହରକୁ ପ୍ରଥମ ମ୍ୟୁନିସିପାଲିଟି ମାନ୍ୟତା ମିଳିଥିଲା ।
ଏହି ଘୋଷଣା ପରେ ସ୍ଥାନୀୟ ଅଞ୍ଚଳରେ ସହରିକରଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ସେହି ସମୟରେ ଇଂରେଜ ସରକାର ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଟ୍ୟାକ୍ସ ଆଦାୟ କରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ଉନ୍ନୟନ ବ୍ୟବସ୍ଥା କରିଥିଲେ । ସହର ମଧ୍ୟ ଦେଇ ମଧୁସାଗର ପାଣି ଜନଜୀବନକୁ ବଞ୍ଚାଉଥିବା ବେଳେ ଏବେ ଜଳ ପ୍ରବାହିତ ସ୍ଥାନ ଗୁଡିକ ଉପରେ ବେଆଇନ ନିର୍ମାଣ ମଧୁସାଗରର ମୃତ୍ୟୁ ଘଟାଇଛି । ଅନ୍ୟପଟେ ସହରର ୨୧ଟି ୱାର୍ଡରେ ଜବରଦଖଲ କାରଣରୁ ଦିନକୁ ଦିନ ସହରର ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି । ଅନ୍ୟପଟେ ବର୍ଷା ଦିନରେ ଡ୍ରେନ ସମସ୍ୟା ଯୋଗୁଁ ସହରର ଅନେକ ଘରେ ଡ୍ରେନ ପାଣି ପଶିଯାଉଛି । ସେହିପରି ସହର ମଧ୍ୟରେ ଥିବା ଜଳାଶୟ ଏବେ ଅବହେଳିତ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଳଜୀବନ ମିଶନ ଏଠାରେ ମୂଲ୍ୟହୀନ ହୋଇପଡ଼ିଛି । ଅପରପକ୍ଷରେ ମହାଭୋଇ ପୋଖରୀ ପୁନରୁଦ୍ଧାର, ଚଉରୀ ବରହମପୁର ଠାରେ ଥିବା ଜଳାଶୟର ପୁନଃରୁଦ୍ଧାର କଥା ନ କହିବା ଭଲ ।