ଭୁବନେଶ୍ବର:ମକର ସଂକ୍ରାନ୍ତିରେ ଦେଶର ସମସ୍ତ ମଠ-ମନ୍ଦିର ସ୍ବତନ୍ତ୍ର ନୀତିକାନ୍ତିରେ କମ୍ପୁଥିବା ବେଳେ ଉପବାସରେ ଅଛନ୍ତି ବାବା ଲିଙ୍ଗରାଜ । ସେବାୟତଙ୍କ ବିବାଦ କାରଣରୁ ହୋଇପାରୁନି ମହାପ୍ରଭୁଙ୍କ ନୀତିକାନ୍ତି । ପ୍ରଭୁ ଲିଙ୍ଗରାଜ ମକର ମଣ୍ଡପରେ ବସିଥିବା ବେଳେ କୌଣସି ନୀତିକାନ୍ତି ହେଉନାହିଁ । ଗତକାଲିଠାରୁ ବଡୁ ସେବାୟତ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ କରାଣରୁ ମହାପ୍ରଭୁଙ୍କ ନୀତି ସମ୍ପୂର୍ଣ୍ଣ ବନ୍ଦ ରହିଛି । ସେବାୟତ ବିବାଦ ଘଟଣାକୁ ନେଇ ୨ ଥର ବୈଠକ ବସିସାରିବା ପରେ ବି କୌଣସି ନିଷ୍କର୍ସ ନ ବାହାରିବାରୁ ଖାଡ଼ା ଉପାସରେ ଅଛନ୍ତି ଲିଙ୍ଗରାଜ । ସେପଟେ ଆଶଙ୍କାରେ ସ୍ୱାଭାବିକ ନୀତିକାନ୍ତି ।
- ସେବାୟତଙ୍କ ମଧ୍ୟରେ ବିବାଦ:
ତେବେ ମହାପ୍ରଭୁ ଲିଙ୍ଗରାଜଙ୍କ ହୋଇଥିବା ‘କ୍ଷୀର ଆଉଟା ନୀତି’କୁ ନେଇ ବଡୁ ସେବାୟତ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଦେଖାଦେଇଛି । ମକର ସଂକ୍ରାନ୍ତି ପାଇଁ ଲିଙ୍ଗରାଜଙ୍କ ନିକଟରେ କ୍ଷୀର ଆଉଟା ହୋଇ ଘୃତ କମ୍ବଳ ଲାଗି କରାଯାଇଥାଏ । ଏହି ନୀତିକାନ୍ତିକୁ ବଡୁ ସେବାୟତ କରିବା ପରେ ସେବାୟତ-ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଏହି ନୀତି ବଡୁ ସେବାୟତ କରିବା ପାଇଁ ଲେଖାଥିବା ଦାବି କରିଆସୁଥିବା ବେଳେ ସେହି ସେବାକୁ ବହୁ କାଳରୁ ସୁଆର ସେବାୟତ କରୁଛନ୍ତି ବୋଲି ଦାବି କରିଛନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଛି । ଯେଉଁଥିପାଇଁ ମହାପ୍ରଭୁ ଲିଙ୍ଗରାଜ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି ରହିଛନ୍ତି । ନା କୌଣସି ନୀତି ହୋଇଛି, ନା ଦିଅଁ ଦକ୍ଷିଣ ଘରକୁ ବିଜେ କରିଛନ୍ତି ।
- ଦୁଇ ଦୁଇ ଥର ବୈଠକ ବିଫଳ:
ସେପଟେ ବିବାଦ ପରେ ଏହି ଘଟଣାରେ ହସ୍ତକ୍ଷେପ କରିଥିଲା ମନ୍ଦିର ପ୍ରଶାସନ । ଉଭ ଉଭୟ ନିଯୋଗକୁ ଡାକି ଆଲୋଚନା କରାଯାଇଥିଲା । ପ୍ରଥମ ପର୍ୟ୍ୟାୟ ବୈଠକ ବିଫଳ ହୋଇଥିବା ବେଳେ ପୁଣିଥରେ ସେବାୟତଙ୍କ ସହ ଆଲୋଚନା କରିଥିଲା ମନ୍ଦିର ପ୍ରଶାସନ । ୨ ଥର ବୈଠକ ବସିସାରିବା ପରେ ବି କୌଣସି ନିଷ୍କର୍ସ ବାହାରିନାହିଁ । ଦୁଇ ଦୁଇ ଥର ବୈଠକ ପରେ ମଧ୍ୟ କୌଣସି ନିଷ୍ପତ୍ତି ବାହାରି ପାରିନାହିଁ । ଫଳରେ ଏବେ ବି ମକର ମଣ୍ଡପରେ ବିରାଜମାନ ଅଛନ୍ତି ପ୍ରଭୁ ଲିଙ୍ଗରାଜ ।