କେନ୍ଦାପଡା/ଅନୁଗୋଳ:ଧରାପୃଷ୍ଠରୁ ଦେବୀ ଦଶଭୁଜାଙ୍କ ବିଦାୟ ପରେ ବିରାଜିଲେ ଧନଲକ୍ଷ୍ମୀ । ମା' ଲକ୍ଷ୍ମୀଙ୍କ ଆଗମନରେ ଉତ୍ସବମୁଖର ହୋଇ ଉଠିଛି ପୁରଠୁ ପଲ୍ଲୀ । ସନ୍ଧ୍ୟା ହେଲେ ଚିକମିକ ଆଲୁଅରେ ଝଲସୁଛି କେନ୍ଦ୍ରାପଡା ଓ ଅନୁଗୋଳ ସହର । ବେଦମନ୍ତ୍ର ,ଶଙ୍ଖ ଓ ଘଣ୍ଟଘଣ୍ଟାରେ କମ୍ପୁଛି ଚତୁର୍ଦିଗ । ଗତକାଲି ବିଳମ୍ବିତ ରାତିରେ ଶେଷ ହେଲା ମା ଲକ୍ଷ୍ମୀଙ୍କ ପ୍ରଥମ ଦିନର ପୂଜା। କେନ୍ଦ୍ରାପଡା ସହରର ୫୦ରୁ ଊର୍ଦ୍ଧ୍ବ ମଣ୍ଡପରେ ଧନଦାତ୍ରୀ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରାଯାଉଛି । ସେହିପରି ଅନୁଗୋଳରେ କଳସ ଯାତ୍ରାରେ ଗଙ୍ଗା ଆବାହନ ପରେ ମଣ୍ଡପରେ ଆରମ୍ଭ ହୋଇଛି ପୂଜା । ପ୍ରାୟ ୪୦ରୁ ଅଧିକ ମଣ୍ଡପରେ ଧନଲକ୍ଷ୍ମୀଙ୍କ ପୂଜା କରାଯାଉଛି ।
କେନ୍ଦ୍ରାପଡାରେ ଲକ୍ଷ୍ମୀପୂଜା ଇତିହାସ :
ପୁରୁଣା ବସଷ୍ଟାଣ୍ଡ ଥାନପତି ପୂଜା କମିଟିର ବରିଷ୍ଠ ସଦସ୍ୟ ସଚ୍ଚିଦାନନ୍ଦ ବେହେରାଙ୍କ କହିବା ଅନୁଯାୟୀ,"କେନ୍ଦ୍ରାପଡା ସହରରେ ମା'ଙ୍କ ପୂଜା ପାଖାପାଖି ୧୦୦ ବର୍ଷ ହେବ ଆରମ୍ଭ ହୋଇଛି । ପ୍ରଥମେ ୧୯୨୫ ମସିହାରେ ପୁରୁଣା ମଟର ଷ୍ଟାଣ୍ଡରେ ପୂଜା ଆରମ୍ଭ ହୋଇଥିଲା । ତାପୂର୍ବରୁ ୧୯୨୪ ମସିହାରେ ଆଳିର ସାନମଙ୍ଗ ଅଞ୍ଚଳରେ ଲକ୍ଷ୍ମୀ ପୂଜା ହେଉଥିଲା । ସେ ସମୟରେ ଶଗଡ଼ ଗାଡ଼ିରେ ଲକ୍ଷ୍ମୀ ପୂଜା ଦେଖିବାକୁ ସେଠାକୁ ଯାଇଥିଲେ ମୋର କିଛି ସାଙ୍ଗ । ସେଠାରୁ ପ୍ରଭାବିତ ହୋଇ କେନ୍ଦ୍ରାପଡାରେ ଲକ୍ଷ୍ମୀପୂଜା କରିବା ପାଇଁ ସେମାନେ ମନସ୍ଥ କରିଥିଲେ। ୧୯୨୫ ମସିହାରେ ପୂଜା ଆରମ୍ଭ କରିଥିଲେ ହେଁ ସମୟ ଅଭାବରୁ ମୃଣ୍ମୟୀ ମୂର୍ତ୍ତି ତିଆରି କରି ନପାରି କାଠ ପଟାରେ ମା'ଙ୍କ ଚିତ୍ର ଆଙ୍କି ପୂଜା ଆରମ୍ଭ କରିଥିଲେ ଏବଂ ଏହା ପରବର୍ଷ ଅର୍ଥାତ ୧୯୨୬ ମସିହା ଠାରୁ ଅଦ୍ୟାବଧି ପୁରୁଣା ମଟର ଷ୍ଟାଣ୍ଡରେ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇ ଆସୁଛି ।
ଏମିତି ଦିଆଯାଏ ମା'ଙ୍କୁ ବିଦାୟ:
ଚଳିତ ବର୍ଷ ସାତଦିନ ପର୍ଯ୍ୟନ୍ତ ମା'ଙ୍କ ପୂଜା ଅନୁଷ୍ଠିତ ହେବା ପରେ ଅଷ୍ଟମ ଦିନରେ ଭସାଣ କାର୍ଯ୍ୟକ୍ରମ ହେବ । ମେଢ଼ ଆସିବା ପାଇଁ ପୁରୁଣା ବସଷ୍ଟାଣ୍ଡ ଥାନପତିଙ୍କ ଦ୍ଵାରା ନିମନ୍ତ୍ରଣ କରାଯାଇଥାଏ । ମେଲଣ ପଡିଆରେ ମେଢ଼ ପହଞ୍ଚି ଭୋଗ ଲାଗି କରାଯିବା ପରେ କ୍ରମାନ୍ଵୟରେ ମେଢ଼ ଗୁଡିକ ବିସର୍ଜନ ଘାଟକୁ ଯାଇଥାନ୍ତି । ଗୋଟିଏ ସ୍ଥାନରେ ସମସ୍ତ ପ୍ରତିମାଙ୍କୁ ଭୋଗ ଲାଗି ହେଉଥିବାରୁ ଏହାକୁ ମେଲଣ କୁହାଯାଏ । ମେଲଣ ପରମ୍ପରା ଓଡିଶାରୁ ଲୋପ ପାଇବାକୁ ବସିଥିବା ବେଳେ କେନ୍ଦ୍ରାପଡା ସହରରେ ଆଜି ମଧ୍ୟ ଏ ପରମ୍ପରା ବଜାୟ ରହିଛି । ସେତେବେଳେ ଗ୍ରାମଫୋନ ରେକର୍ଡ ବଜାଇ ଜାକଜମକରେ ପୂଜା ଓ ଭସାଣ କରାଯାଉଥିବା ବେଳେ ଏବେ ସମୟ ସହ ତାଳ ଦେଇ ଭଲ ମ୍ୟୁଜିକାଲ ବ୍ୟାଣ୍ଡ ସେମାନଙ୍କ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିବା କହିଛନ୍ତି ପୁରୁଣା ବସଷ୍ଟାଣ୍ଡ ଥାନପତି ପୂଜା କମିଟିର ବରିଷ୍ଠ ସଦସ୍ୟ ସଚ୍ଚିଦାନନ୍ଦ ।