ଖୋର୍ଦ୍ଧା: ପଣିରେ ପଡ଼ୁଛି ସରକାରୀ ବ୍ୟବସ୍ଥା । କର୍ମଚାରୀ ଅଭାବ ପାଇଁ ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ମେସିନ । ଖୋର୍ଦ୍ଧା ଉପଖଣ୍ଡରେ ୧୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଥିବା ବେଳେ ୪୭ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଛି । ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇଜଣ ଲେଖାଁଏ ଲାବ୍ରୋଟରି ଟେକ୍ନିସିଆନ ଅଛନ୍ତି । ତେବେ ୪୭ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମାତ୍ର ୨୨ଜଣ ଲାବ୍ରୋଟରି ଟେକ୍ନିସିଆନ ଅଛନ୍ତି । ଆଉ କର୍ମଚାରୀ ଅଭାବରୁ ଲକ୍ଷାଧିକ ଟଙ୍କାର ମେସିନ ଓ କେମିକାଲ ବର୍ଷାଧିକ କାଳ ବ୍ୟବହାର ନହୋଇ ନଷ୍ଟ ହେବାକୁ ବସିଲାଣି ।
ଗ୍ରାମାଞ୍ଚଳରେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ତେବେ କେଉଁଠି ଭିତ୍ତିଭୂମିର ଅଭାବ ତ ଆଉ କେଉଁଠି କର୍ମଚାରୀ ସଙ୍କଟ । ଯାହା ଯୋଜନା କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ସାଜିଛି । ସରକାର ପ୍ରତି ଉପ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ମାଗଣା ରକ୍ତ ପରୀକ୍ଷା କରିବା ପାଇଁ ଅତ୍ୟାଧୁନିକ ମେସିନ ଯୋଗାଇ ଦେଇଛନ୍ତି । ହେଲେ ତାହା ଲୋକଙ୍କ ସେବାରେ ଆସୁନଥିବା ଦେଖିବାକୁ ମିଳୁଛି । ସରକାରଙ୍କ ତଥ୍ୟ ଅନୁଯାୟୀ ପ୍ରତି ଉପସ୍ବାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ୧୬ ଟି ରକ୍ତ ପରୀକ୍ଷା କରାଯାଉଥିବା ବେଳେ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୬୫ ପ୍ରକାର ରକ୍ତ ଓ ମଳ ମୂତ୍ର ପରୀକ୍ଷା ହେଉଛି, ସେହିପରି ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ୧୦୩ ଟି ପରୀକ୍ଷା ହେଉଛି । ଏଥିପାଇଁ ସରକାର ଉନ୍ନତ ଅତ୍ୟାଧୁନିକ ମାଇକ୍ରୋସ୍କୋପ, ସିବିଶି ମେସିନ, ଇଙ୍କ୍ୟୁବେଟର, ସେଣ୍ଟ୍ରିଫିକ ମେସିନ, ସେମିଅଟୋ ଅନଲାଇଜର ଭଳି ଅନେକ ଯନ୍ତ୍ରପାତି ସହ ମେସିନ ଯୋଗାଇ ଦେଇଛନ୍ତି । ହେଲେ ଦୁର୍ଭାଗ୍ୟର କଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଛାଡିଦେଲେ ଅନ୍ୟ କେଉଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ସରକାର କହୁଥିବା ପରୀକ୍ଷା ହେଉ ନାହିଁ ।