ବୌଦ୍ଧ: ଦୀର୍ଘ ତିନି ମାସ ହେଲା ପାଇପ ଲାଇନ୍ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ମିଳୁନାହିଁ ପ୍ରାପ୍ୟ । ବାରମ୍ବାର ଶ୍ରମିକଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଆସିଛି । ସେନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ତେଣୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ ମାନେ । ବିକ୍ଷୋଭ କରିବା ସହିତ ପ୍ରୋଜେକ୍ଟ କାର୍ଯ୍ୟାଳୟରେ ତାଲା ଲଗାଇଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ କିଛି ସୂଚନା ନଥିବା ସେ କହିଛନ୍ତି ।
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ନିର୍ମାଣ ହୋଇଥିଲା ମେଗା ପାନୀୟଜଳ ପ୍ରକଳ୍ପ । ସେହି ଜଳ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଆଣିଛନ୍ତି ଅଭିଯୋଗ । ତେବେ ତାଙ୍କ ଅଭିଯୋଗ ମୁତାବକ ଦୀର୍ଘ ତିନି ମାସ ହେବ ତାଙ୍କୁ ତାଙ୍କ ପ୍ରାପ୍ୟ ମିଳି ନାହିଁ । ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁ ତାଙ୍କର ପାଉଣା ତାଙ୍କୁ ମିଳୁ ନଥିବା କହିଛନ୍ତି ଶ୍ରମିକମାନେ । ବାରମ୍ବାର ଅଭିଯୋଗ ମଧ୍ୟ କରିଛନ୍ତି । ହେଲେ ତାଙ୍କ ଗୁହାରି କେହି ଶୁଣି ନଥିଲେ । ଅନ୍ୟପଟେ ଠିକାଦାର ଦିନ ପରେ ଦିନ ଗଡ଼ାଇ ଚାଲିଥିଲା । ତେଣୁ ବାଧ୍ୟ ହୋଇ ପ୍ରୋଜେକ୍ଟ କାର୍ଯ୍ୟାଳୟରେ ତାଲା ଲଗାଇଥିଲେ ଶ୍ରମିକ । ସେହି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ମଧ୍ୟ କରିଥିଲେ ।