Tribal Women's Inspiring Story କୋରାପୁଟ:ମହିଳା ଏକାଠି ହେଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ । ଏହି ଧାରାରେ ସ୍ଥାନୀୟ ପରିବେଶକୁ ସୁରକ୍ଷା ଦେବା ସହ ବ୍ୟକ୍ତିଗତ ସାଧନାକୁ ସାମୁହିକ ପ୍ରଗତିର ରୂପ ଦେବାର ପ୍ରୟାସକୁ ଜୀବନର ଏକ ଅଭିନ୍ନ ଧାରା ଭାବେ ଗ୍ରହଣ କରିଛନ୍ତି କୋରାପୁଟ ଜିଲ୍ଲାର ପାହାଡ଼ ଗିରିକନ୍ଦର ମଧ୍ୟରେ ବସବାସ କରୁଥିବା ଆଦିବାସୀ ମହିଳା । ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଏମିତି କିଛି ଆଦିବାସୀ ମହିଳାଙ୍କ କାହାଣୀ ଏହାର ଜଳ୍ୱନ୍ତ ଉହାଦରଣ ପାଲଟିଛି ।
କୋରାପୁଟ ଜିଲ୍ଲାରେ ଆଦିବାସୀ ମହିଳା ସରକାରୀ ସହାୟତାରେ ନିଜେ ସାବଲମ୍ୱୀ ହେବା ସହ ଅନ୍ୟ ପାଇଁ ପ୍ରେରଣା ସାଜିଛନ୍ତି । ଏହି ମହିଳା ମାନେ ବିଭିନ୍ନ ପ୍ରକାର ମସଲା ପ୍ରସ୍ତୁତ କରିବା ସହ ସିମେଣ୍ଟ ଇଟା, ଚପଲ ଏବଂ ଖଲି ଭଳି ବିଭିନ୍ନ ସାମଗ୍ରୀ ଉତ୍ପାଦନ କରିବା ସହ ଦୁଇ ପଇସା ରୋଜଗାର କରି ହୋଇପାରିଛନ୍ତି ସାବଲମ୍ୱୀ । ମିଶନ ଶକ୍ତି ପ୍ରୋତ୍ସାହନରେ ଏବଂ ଜିଲ୍ଲା ପ୍ରଶାସନର ଦିଗଦର୍ଶନ ତଥା ନିରନ୍ତର ପ୍ରୟାସରେ ଜିଲ୍ଲାର ଅନେକ ଆଦିବାସୀ ମହିଳାଙ୍କୁ ନେଇ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ ହୋଇଛି ।
ସୂଚନା ଅନୁସାରେ, ଏହି ମହିଳା ମାନେ ବିଭିନ୍ନ ପ୍ରକାରର ଚାଷବାସ ସହ ପ୍ରକଳ୍ପକୁ ରୂପ ଦେଇ ସ୍ୱାବଲମ୍ବୀ ହୋଇପାରିଥିବା ଓରମାସର କୋରାପୁଟ ଜିଲ୍ଲା ଅଧିକାରୀ ରୋଶନ କାର୍ତ୍ତିକ ସୂଚନା ଦେଇଛନ୍ତି । ତେବେ ମହିଳା ମାନଙ୍କୁ ଏକତ୍ରିତ କରି ସାମୁହିକ ସଫଳତା ଆଣିବା ପାଇଁ ବୋରିଗୁମ୍ମା ବ୍ଲକ ପ୍ରଶାସନ, କୋରାପୁଟ ଜିଲ୍ଲା ପ୍ରଶାସନ ତଥା ଓରମାସର ମିଳିତ ପ୍ରୟାସରେ ବୋରିଗୁମ୍ମା ବ୍ଳକର ଜୁଝାରି ଗାଁରେ ଏକ ଟେକ୍ନୋଲୋଜିକାଲ ପାର୍କର ସ୍ଥାପନା କରାଯାଇଥିବା ସେ କହିଛନ୍ତି ।
ବ୍ୟକ୍ତିଗତସ୍ତରରେ ଉଦ୍ୟୋଗୀ ହେବାର ସ୍ୱପ୍ନ ଦେଖୁଥିବା ଆଦିବାସୀ ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଂଗଠିତ ହୋଇ ବ୍ୟବସାୟ କରିବାରେ ସକ୍ଷମ ହୋଇଛନ୍ତି । ଜିଲ୍ଲା ପ୍ରଶାସନର ସହଯୋଗରେ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଏକତ୍ରିତ ହୋଇ ସିମେଣ୍ଟ ଇଟା, ଚପଲ ଓ ଖଲି ଭଳି ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଥିବାବେଳେ ହଳଦୀ, ମାଣ୍ଡିଆ ଏବଂ ବିଭିନ୍ନ ରକମର ମିଲେଟ୍ ଶସ୍ୟର ପ୍ରକ୍ରିୟାକରଣ କରି ସାମୂହିକ ସଫଳତା ମଧ୍ୟରେ ବ୍ୟକ୍ତିଗତ ଭାବେ ସ୍ୱାବଲମ୍ବୀ ହୋଇପାରିଥିବା ଓରମାସର କୋରାପୁଟ ଜିଲ୍ଲା ଅଧିକାରୀ ଜଣାଇଛନ୍ତି ।
ଜୁଝାରି ଗାଁରେ ଗୋଟିଏ ପରିସର ମଧ୍ୟରେ ୧୦ଟି ବିଭିନ୍ନ ପ୍ରକ୍ରିୟାକରଣ କେନ୍ଦ୍ର ସହିତ ସିମେଣ୍ଟ ଇଟା ତିଆରି କରିବା, ଖଲି ପ୍ରସ୍ତୁତ କରିବା ଭଳି କାର୍ଯ୍ୟରେ ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ନିୟୋଜିତ ହୋଇ ଏହି କେନ୍ଦ୍ରରେ କାର୍ଯ୍ୟରତ ସମସ୍ତ ମହିଳା ନିଜ ପାଇଁ ଜୀବନ ଜୀବିକାର ମାର୍ଗ ପ୍ରଶସ୍ତ କରିପାରିଛନ୍ତି ବୋଲି ଏହି କେନ୍ଦ୍ରର ପରିଚାଳିକା ଭାବର କାର୍ଯ୍ୟରତ ପଦ୍ମିନୀ ଜଣାଇଛନ୍ତି । କୋରାପୁଟ ଜିଲ୍ଲାର ଏକ ନିଭୃତ କୋଣରେ ଚାଲିଥିବା ଏହି ସାମୁହିକ ପ୍ରୟାସ ବର୍ତ୍ତମାନ ସମଗ୍ର ରାଜ୍ୟ ତଥା ପଡୋଶୀ ଆନ୍ଧ୍ର ଓ ଛତିଶଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହିପରି କୋରାପୁଟର ଏହି ମହିଳା ଗୋଷ୍ଠୀ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲା ତଥା ପଡୋଶୀ ରାଜ୍ୟରୁ ମହିଳା ଗୋଷ୍ଠୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ମହିଳା ଦିବସ: ୨୨ ବର୍ଷ ତଳୁ ରେଣୁକା ଆରମ୍ଭ କରିଛନ୍ତି ଶିକ୍ଷାର ବିକାଶ, ମଧୁସ୍ମିତାଙ୍କୁ ସ୍ବାବଲମ୍ବୀ କଲା ଓମଫେଡ ପାର୍ଲର
ଇଟିଭି ଭାରତ, କୋରପୁଟ