ଭବାନୀପାଟଣା: ଜଣେ ଶିକ୍ଷକ ଆମ ସମାଜକୁ ଗଢ଼ିବା ପାଇଁ ଶପଥ ନେଇଥାଏ । ଆମକୁ ଆଦର୍ଶ ଏବଂ ସମାଜକୁ ଦୁର୍ନୀତି ମୁକ୍ତ କରିବା ଶିକ୍ଷା ଦେଇଥାନ୍ତି । ହେଲେ ଏଠାରେ କଥା ହୋଇଯାଇଛି ଓଲଟା । ଏଠି ଖୋଦ ପ୍ରଧାନ ଶିକ୍ଷକ ଲାଞ୍ଚ ନେବା ସମୟରେ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଶିକ୍ଷକ ଯେବେ ଦୁର୍ନୀତି କରିବ ଓ ଲାଞ୍ଚ ନେବ ତେବେ ଆମ ଆସନ୍ତା ପିଢ଼ୀ କଣ ଶିକ୍ଷା ପାଇବା ତାହା ଏକ ବଡ଼ ପ୍ରଶ୍ନବାଚୀ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ଗାଁଠାରେ ଥିବା ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଘଟଣା । ଶିକ୍ଷକକୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଜେରା କରାଯାଉଥିବା ଜଣାପଡିଛି । ସେପଟେ ଶିକ୍ଷକଙ୍କ ସ୍କୁଲ ଓ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର 5Tରେ ଅନ୍ତର୍ଭୁକ୍ତ କରି ସ୍କୁଲର ଉନ୍ନତିକରଣ କରିବା ପାଇଁ ଅର୍ଥ ମୁଞ୍ଜୁର କରିଥିଲେ । ଆଉ ସ୍କୁଲର କୋଠା ନିର୍ମାଣ ପାଇଁ ଜୟରାମ ସାହୁ ନାମକ ଠିକାଦାର କାର୍ଯ୍ୟାଦେଶ ପାଇଥିଲେ । କୋଠା ନିର୍ମାଣ ହେବା ସହ ତାର ବିଲ କରାଇବା ପାଇଁ ଠିକାଦାର ସେହି ସ୍କୁଲର ପ୍ରଧାନ ଶିକ୍ଷକ ଦ୍ରୋଣ କୁମାର ତାଣ୍ଡିକୁ କହିଥିଲେ । ହେଲେ ଲାଞ୍ଚୁଆ ପ୍ରଧାନ ଶିକ୍ଷକ ଜଣଙ୍କ ୧୦ ଲକ୍ଷ ଟଙ୍କାର ବିଲ କରାଇ ଦେବା ପାଇଁ ସଂପୃକ୍ତ ଠିକାଦାରଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ଠିକାଦାର ଜୟରାମ ସାହୁ ଭିଜିଲାନ୍ସ ବିଭାଗର ଦ୍ବାରସ୍ତ ହୋଇଥିଲେ । ଅଭିଯୋଗକୁ ନେଇ ଭିଜିଲାନ୍ସ ବିଭାଗ ଲାଞ୍ଚୁଆ ପ୍ରଧାନ ଶିକ୍ଷକଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ।