କୋରାପୁଟ:ଆଜି ଆଉ ପଛରେ ନାହାନ୍ତି ତୃତୀୟ ଲିଙ୍ଗ । କିନ୍ନରଙ୍କୁ ନେଇ ସମାଜରେ ଏକ ଭିନ୍ନ ଦୃଷ୍ଟିକୋଣ ରହିଥିବା ବେଳେ ଏଠାରେ କଠିନ ପରିଶ୍ରମ ଓ ଦକ୍ଷତା ବଳରେ ହାର ମାନିଛି ସମାଜର ଟାହି ଟାପରା । ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅଞ୍ଚଳର ଝୁନୁ ତାଡିଙ୍ଗି ଓ ଭୀମା ସିରିକା । ଦୁହେଁ କିନ୍ନର ହୋଇଥିବା ବେଳେ ସମ୍ମାନର ସହ ସମାଜରେ ବଞ୍ଚୁଛନ୍ତି । ସମାଜରେ ମୁଣ୍ଡଟେକି ଚାଲିବା ସହିତ ଉଚ୍ଚ ଶିକ୍ଷା ହାସଲ କରିଛନ୍ତି ।
ଅନ୍ୟ ପାଇଁ ଉଦାହରଣ ଝୁନୁ-ଭୀମା:ଝୁନୁ ତାଡିଙ୍ଗି ଓ ଭୀମା ସିରିକା ବାଲିପେଟା ଉଚ୍ଚ ବିଦ୍ୟାଳୟରେ ପାଠ ପଢି ଦଶମ ଶ୍ରେଣୀରେ ସଫଳତାର ସହ ପାସ୍ ହୋଇ ସେମିଳିଗୁଡା ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ହାସଲ କରିଛନ୍ତି । ଝୁନୁ ଏହି ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି ବର୍ତ୍ତମାନ ସେମିଳିଗୁଡା ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରୀର ଦ୍ଵିତୀୟ ବର୍ଷର ଛାତ୍ରୀ ଭାବେ ସଫଳତାର ସହ ଅଧ୍ୟୟନ କରୁଛନ୍ତି । ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଏପରିକି ସହପାଠୀ ସେମାନଙ୍କ ପାଠପଢ଼ା, ଖେଳକୁଦ, ନାଚଗୀତ ପ୍ରତି ଥିବା ଆଗ୍ରହ ଓ ସୁଚାରୁରୂପେ ଉପସ୍ଥାପନ କରିବାର ଦକ୍ଷତାକୁ ନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ।
12 ବର୍ଷ ବୟସରେ ଜାଣିପାରିବେ ଲିଙ୍ଗ: ପିଲାବେଳୁ ଭୀମା କିନ୍ନର ବୋଲି ଜାଣିଥିବା ବେଳେ ଝୁନୁଙ୍କୁ 12 ବର୍ଷ ହୋଇଥିବା ବେଳେ ସେ କିନ୍ନର ବୋଲି ଜାଣିପାରିଥିଲେ । ଫଳରେ ସମାଜରେ ଅନେକ ପ୍ରକାର ଧିକାର ମିଳିଥିବା କଥା ସେ କହିଛନ୍ତି । କିନ୍ତୁ ସେମିଳିଗୁଡା ମହାବିଦ୍ୟାଳୟକୁ ଆସିବା ପରେ ସେମାନଙ୍କ ଜୀବନରେ ନୂତନ ମୋଡ ଆସିଥିଲା । ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ବାଳିକାଙ୍କ ବସ୍ତ୍ର ପିନ୍ଧି ଶ୍ରେଣୀ ଗୃହକୁ ଆସିବା ନେଇ ଅନୁମତି ଦେବା ପରେ ଉଭୟଙ୍କ ପାଇଁ ଶିକ୍ଷା ଗ୍ରହଣ କରିବା ସହଜ ହୋଇଉଠିଥିଲା ।