କୋରାପୁଟ:କେବେ ନିର୍ଦ୍ଧାରିତ ହେବ ଓଡିଶା-ଆନ୍ଧ୍ର ସୀମାନ୍ତ କୋଟିଆର ଭାଗ୍ୟ । ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଏହି ସୀମା ବିବାଦ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ଥିବା ବେଳେ ସମାଧାନ ଯେମିତି ଅନିଶ୍ଚିତ ଦୂରରେ । ଉଭୟ ରାଜ୍ୟ ଏହାକୁ ନିଜର ଅଧିକୃତ ଅଞ୍ଚଳ ବୋଲି ଦାବି କରୁଥିବା ବେଳେ ସ୍ଥାନୀୟ ଲୋକେ କିନ୍ତୁ ନିଜ ରାଜସ୍ବ ଓ ରାଜନୈତିକ ପରିଚୟର ଦୋଛକିରେ ଛିଡା ହୋଇଛନ୍ତି । ଉଭୟ ରାଜ୍ୟ ନିଜର ଦାବିଦାରୀ ପାଇଁ ସମସ୍ତ ପ୍ରାମାଣିକ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ ବେଳେ ବେଳେ ପ୍ରଶାସନିକ ତିକ୍ତତାପୂର୍ଣ୍ଣ ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଯାହା କୋଟିଆବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି ।
- 1945 ପରେ କେମିତି ବଦଳିଲା ସ୍ଥିତି, କିପରି ଆରମ୍ଭ ହେଲା ବିବାଦ !
1945 ଆନ୍ତରାଜ୍ୟ ପରିସୀମା ମାନଚିତ୍ରରେ 21ଟି ଗ୍ରାମକୁ ନେଇ ଗଠିତ କୋଟିଆ ପଞ୍ଚାୟତକୁ ଓଡିଶାର ଅଞ୍ଚଳ ଭାବେ ଦର୍ଶାଯାଇଥିଲା । ଏହାକୁ ପରବର୍ତ୍ତୀ ସମୟରେ ଆନ୍ଧ୍ର ପ୍ରଦେଶ ଅମାନ୍ୟ କରିବା ସହ କ୍ରମଶଃ ନିଜର ଦାବିଦାରୀ ଜାହିର କରିବାରେ ଲାଗିଲା । ଗୋଟିଏ ପଟେ ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରିବାର ପ୍ରୟାସ ଓ ଅନ୍ୟପଟେ ପ୍ରଶାସନିକ ବଳ ପ୍ରୟୋଗ କରିବାକୁ ମଧ୍ୟ ଆନ୍ଧ୍ର ସରକାର ପଛାଇଲେ ନାହିଁ । ଫଳସ୍ବରୂପ ଅନୁପ୍ରବେଶ ଓ ରାଜନୈତିକ ତିକ୍ତତା ବଢ଼ିଲା । ତେବେ ସର୍ବୋଚ୍ଚ କୋର୍ଟ (ସୁପ୍ରିମକୋର୍ଟ) ଚାଲିଥିବା ଏହି ଆଇନଗତ ଲଢେଇ ଅନ୍ତ ଏତେ ସହଜ ନୁହେଁ । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ରାଜନୈତିକ ଦଳର ଶାସନ ଥିବାରୁ ଆନ୍ତଃରାଜ୍ୟ ବୁଝାମଣା ଦ୍ବାରା ଏହାର ଫଳପ୍ରଦ ସମାଧାନ ହୋଇପାରନ୍ତା ବୋଲି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି ।
'ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଅବମାନନା' :-
ପୂର୍ବତନ କୋରାପୁଟ ଜିଲ୍ଲାପାଳ ଗଦାଧର ପରିଡ଼ାକହିଛନ୍ତି,‘‘2006 ମସିହାରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣ ସଦସ୍ୟଙ୍କ ସ୍ୱତନ୍ତ୍ର ବେଞ୍ଚ ଦ୍ବାରା ସ୍ଥିତାବସ୍ଥା ପ୍ରଦାନ କରାଯାଇଥିଲା । ଏହା ସତ୍ତ୍ବେ ମଧ୍ୟ ଆନ୍ଧ୍ର ପ୍ରଦେଶ ସରକାର କୋଟିଆ ଅଞ୍ଚଳରେ ଅନୁପ୍ରବେଶ କରି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରିବାକୁ ପଛଘୁଞ୍ଚା ଦେଉନାହିଁ । ଆନ୍ଧ୍ର ସରକାର ନିଜ ଯୁକ୍ତିରେ ‘ଗିଲବି ରିପୋର୍ଟ’କୁ ଆଧାର କରି ନିଜ ପକ୍ଷ ଉପସ୍ଥାପନ କରୁଛନ୍ତି । ଏହି ରିପୋର୍ଟ 1936 ମସିହାରେ ଓଡ଼ିଶା ଅର୍ଡରର ସମ୍ବିଧାନର ଗେଜେଟ ବିଜ୍ଞପ୍ତିକୁ ବୈଧ କରିବା ପାଇଁ ଶ୍ରୀ ଗିଲବିଙ୍କ ଦ୍ବାରା ଉପସ୍ଥାପିତ ହୋଇଥିବା ଏକ ନିର୍ଦ୍ଦିଷ୍ଟ ରିପୋର୍ଟ ମାତ୍ର ।’’
- କ’ଣ କହୁଛି 1945 ଆନ୍ତଃରାଜ୍ୟ ପରିସୀମା ମାନଚିତ୍ର:-
ଗଦାଧର ଆହୁରି ମଧ୍ୟ କହିଛନ୍ତି,‘‘ ଆନ୍ଧ୍ର ସରକାର 1945ର ଆନ୍ତଃରାଜ୍ୟ ପରିସୀମା ମାନଚିତ୍ର ଗ୍ରହଣ କରିବା ଉଚିତ୍ । ସେହି ନକ୍ସା ଆଧାରର ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ଥିବା ‘ହେରିଟେଜ ରୋଡ଼’କୁ ଉଭୟ ରାଜ୍ୟର ଆଧିକାରିକ ସୀମା ଭାବେ ସମ୍ମାନ ଦେବା ଉଚିତ । ଏହି ପରିସୀମା ନିର୍ଦ୍ଧାରଣରେ କୋଟିଆ ଓଡିଶାର ଅଭିନ୍ନ ଅଂଶ ଭାବେ ଉଲ୍ଲେଖ କରାଯାଇଛି । ମାନଚିତ୍ରରେ ଦର୍ଶାଯାଇଛି ଯେ, ତାଡିଭାଲାସା, ଆନ୍ଧ୍ର ପ୍ରଦେଶର ସାଲୁର ଆଡକୁ ଥିବା କୋଟିଆ ଗୋଷ୍ଠୀର ଶେଷ ଗାଁ ଏବଂ ତାହା ଓଡିଶାର ସୀମା ମଧ୍ୟରେ ଅଛି । ଯେତେବେଳେ ତାଡିଭାଲାଶା ଓଡିଶା ସୀମାରେ ଅଛି, ସେତେବେଳେ ନେରିଡିୱାଲାସାଠାରୁ କୋଟିଆ ପଞ୍ଚାୟତ ମୁଖ୍ୟାଳୟ ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଅଞ୍ଚଳ ମଧ୍ୟ ଓଡିଶାରେ ଥିବାନେଇ କୌଣସୀ ବିବାଦ କିମ୍ବା ଦ୍ବନ୍ଦ୍ବ ରହିବା କଥା ନୁହେଁ । ଏକଥାରେ ଆନ୍ଧ୍ର ସହମତ ହେବା ଉଚିତ । ’’
- 500 ପୃଷ୍ଠାର ଡକ୍ୟୁମେଣ୍ଟ ଦାଖଲ କରିସାରିଛି କୋରାପୁଟ ଜିଲ୍ଲା ପ୍ରଶାସନ:-
ଏହି ପ୍ରସଙ୍ଗ ରାଜ୍ୟ ରାଜନୀତି ଓ ବିଧାନସଭାର ତର୍କକୁ ମଧ୍ୟ ଉଷ୍ମ କରିଛି । ସ୍ବାଧୀନତା ପରବର୍ତ୍ତୀ ସମୟରୁ ଏହା ଓଡିଶା ତଥା କୋରାପୁଟ ଜିଲ୍ଲାର ଅଭିନ୍ନ ରାଜସ୍ବ ଅଙ୍ଗଥିବା ବେଳେ ଧିରେ ଧିରେ ଆନ୍ଧ୍ରର ଅନୁପ୍ରବେଶ ଏପରି ସ୍ଥିତି ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି । ସୁପ୍ରିମକୋର୍ଟରେ ଦଲିଲ ଦାଖଲ କରିବାର ମିଶନରେ, କୋରାପୁଟ ଜିଲ୍ଲା ପ୍ରଶାସନ ସ୍ଵାଧୀନତା ପୂର୍ବ ସମୟରୁ ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଚିଠି, ନିର୍ଦ୍ଦେଶ ଏବଂ ନିର୍ଦ୍ଦେଶାବଳୀ ସହିତ ଏକ 500 ପୃଷ୍ଠାର ଡକ୍ୟୁମେଣ୍ଟ ଦାଖଲ କରିଥିଲା ।
- ଅତୀତରେ ଓଡ଼ିଶା ହରାଇଛି ଏକାଧିକ ଅଞ୍ଚଳ:-