କୋରାପୁଟ:ଜିଲ୍ଲାର କଳାଜିରା ଧାନକୁ ମିଳିଛି ଜିଆଇ ଟ୍ୟାଗ । ଏହି କଳାଜିରା ଧାନରୁ ପ୍ରସ୍ତୁତ ଚାଉଳକୁ ପ୍ରସାଦ ପ୍ରସ୍ତୁତ ପାଇଁ ଶ୍ରୀକ୍ଷେତ୍ରକୁ ପଠାଯାଇଛି । ଜୈବିକ ପଦ୍ଧତିରେ କଳାଜିରା ଚାଉଳ ଉତ୍ପାଦିତ ହେଉଥିବା ବେଳେ ଏଥିରେ ଅନେକ ଔଷଧୀୟ ଗୁଣମାନ ରହିଛି । ଏଥିପାଇଁ କୋରାପୁଟର ୧୨ ଜଣ ଆଦିବାସୀ ମହିଳା ମହାପ୍ରଭୁଙ୍କ ପାଖରେ ଅର୍ପଣ କରିବା ପାଇଁ ଶାବର ଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।
ପ୍ରଗତି ଏବଂ ଜୈବିକ ଶ୍ରୀକମ୍ପାନୀ ଦ୍ୱାରା ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ କଳାଜିରା ଧାନର ବ୍ୟାପକ ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରୟାସ କରାଯାଉଛି । ବର୍ତ୍ତମାନ ଜିଆଇ ଟ୍ୟାଗ ମିଳିବା ପରେ ଶାବର ଶ୍ରୀକ୍ଷେତ୍ରକୁ ଗର୍ବ ଓ ଗୌରବ ଆଣିଛି । ଏହି ଧାନରୁ ବାହାରୁଥିବା ସୁଗନ୍ଧିତ ଚାଉଳକୁ ଶ୍ରୀମନ୍ଦିରରେ ପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ଚାଷୀ ସୁରେନ୍ଦ୍ର ମସ୍ତି । ଏହି ଅବସରରେ ନୟାଗଡ଼ର ସମ୍ଭବ ଅନୁଷ୍ଠାନରୁ ପକ୍ଷରୁ ଆସିଥିବା ପଦ୍ମଶ୍ରୀ ସାବରମତି କହିଛନ୍ତି ଯେ କଳାଜିରା ଚାଉଳର ଗୁଣବତ୍ତା ଅନ୍ୟ ଚାଉଳ ଅପେକ୍ଷା ଉନ୍ନତମାନ । ଏଥିପାଇଁ ଶ୍ରୀମନ୍ଦିରରେ ପ୍ରସାଦରେ ବ୍ୟବହାର କରାଗଲେ ଭକ୍ତଙ୍କ ମଧ୍ୟରେ ନୂତନ ଆନନ୍ଦ ଭରିଦେବା ସହ ରାଜ୍ୟର ଅଗଣିତ ଚାଷୀଙ୍କ ମଧ୍ୟରେ ଜେସବିଳ ପ୍ରଣାଳୀରେ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ ଉତ୍ସାହ ପ୍ରଦାନ କରିବ ।
କୋରାପୁଟ କଫି, ଝାଡୁ, ସାବୁନ ଓ ହଳଦୀ ପରେ ବିରଳ ଧାନ ଭାବେ କୋରାପୁଟିଆ କଳାଜିରା ଜିଆଇ ଟ୍ୟାଗ ପାଇ ଜିଲ୍ଲା ପାଇଁ ଏକ ନୂତନ ପରିଚୟ ଆଣିଦେଇଛି । ବିଶେଷ କରି ଖିରି ଓ ବିରିୟାନୀ ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ । ଏହି ଧାନରେ ପ୍ରାକୃତିକ ଦୁର୍ବିପାକକୁ ସହ୍ୟ କରିବାର ଦକ୍ଷତା ଅନ୍ୟ ଧାନ ଅପେକ୍ଷା ଢେର୍ ଅଧିକ ବୋଲି କୋରାପୁଟ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜୈବ ବିବିଧତା ବିଭାଗରେ ଏକ ଅଧ୍ୟୟନରୁ ଜଣାପଡିଛି । ଜିଲ୍ଲାର ୧୬୦ ପ୍ରକାରର ଧାନର ଗୁଣବତ୍ତାକୁ ନେଇ ଏହି ବିଶ୍ଵବିଦ୍ୟାଳୟରେ ଗବେଷଣା ଚାଲିଥିବା ବେଳେ କଳାଜିରା ଧାନରେ ବିଭିନ୍ନ ଔଷଧୀୟ ଗୁଣ ରହିଥିବା ଯୋଗୁଁ ଏହାର ଆଦର ବଢ଼ି ଚାଲିଛି ।