କୋରାପୁଟ:ଜର୍ସି ପିନ୍ଧିଛନ୍ତି...ମନରେ ଉତ୍ସାହର ତରଙ୍ଗ... ପଡିଆକୁ ଓହ୍ଲାଇଛନ୍ତି ଦୁରୁଆ ଜନଜାତିର ଯୁବପିଢି । ଖେଳ କୁଦରେ ଭାଗ ନେଇ ଆଗକୁ ସୁନେଲି ଭବିଷ୍ୟତର ରଙ୍ଗୀନ ସ୍ବପ୍ନ ଦେଖୁଛନ୍ତି । ଏହି ଖୁସି କେବଳ ସରକାରଙ୍କ ପାଇଁ । କାରଣ ଦୀର୍ଘ 75 ବର୍ଷର ଅବିଶ୍ରାନ୍ତ ଲଢେଇ ପରେ ଦୁରୁଆ ଜନଜାତିକୁ ମିଳିଛି ଆଦିବାସୀର ମାନ୍ୟତା । ଯେଉଁ ଖୁସିର ଝଲକ ଦେଖିବାକୁ ମିଳୁଛି ଖେଳ ପଡିଆରେ । ନାନା ଖେଳରେ ଅଶଂଗ୍ରହଣ କରି ବେଶ ଖୁସି ଅଛନ୍ତି ସେମାନେ ।
ଆଦିବାସୀ ମାନ୍ୟତା ପାଇଁ 75 ବର୍ଷର ସଂଘର୍ଷ:
ଦୁରୁଆ ଜନଜାତି ଅନ୍ୟ ଜନଜାତିଙ୍କ ପାଇଁ ସେମାନଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି । ହେଲେ ଦୀର୍ଘ ବର୍ଷ ଧରି ସେମାନଙ୍କୁ ମିଳିନଥିଲା ଆଦିବାସୀର ମାନ୍ୟତା । ବର୍ଷ ବର୍ଷ ଧରି ସଂଘର୍ଷ ଓ ଦାବି ଯଥାର୍ଥତା ଅନୁଭବ କରି ଗତ 2023ରେ କେନ୍ଦ୍ର ସରକାର ‘ଦୁରୁଆ’ଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରିଥିଲେ ।
ଛତିଶଗଡରେ ମିଳିଥିଲା ଓଡ଼ିଶାରେ ନୁହେଁ:
କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ଵର ପଞ୍ଚାୟତରେ ଦୁରୁଆ ଜନଜାତି ବସବାସ କରିଆସୁଛନ୍ତି । ବଣ୍ଡା, କୋୟା, ପରଜା, ଗାଦବାଙ୍କ ଭଳି ଦୁରୁଆ ଜନଜାତିଙ୍କର ମଧ୍ୟ ଏକ ସ୍ବତନ୍ତ୍ର ପରିଚୟ ରହିଛି । ଭାଷା ହେଉ କି ପରମ୍ପରା ଏବଂ ଜୀବନଶୈଳୀରେ ସଂପୂର୍ଣ୍ଣ ଭାବେ ଆଦିବାସୀ ଛାପ ରହିଥିଲେ ମଧ୍ୟ କୌଣସି କାରଣରୁ ଆଦିବାସୀ ମାନ୍ୟତାରୁ ବଞ୍ଚିତ ରହିଥିଲେ । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ହାଟ ବଜାରରେ ବିକ୍ରି କରି ପେଟ ପୋଷୁଥିଲେ । ନୃତ୍ୟ ଏବଂ ସଙ୍ଗୀତ ପ୍ରିୟ ଦୁରୁଆ ଜନ ଗୋଷ୍ଠୀ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଆସୁଛନ୍ତି କିନ୍ତୁ ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳୁନଥିବାରୁ ମନ ଭିତରେ ପ୍ରବଳ କ୍ଷୋଭ ଏବଂ ଅସନ୍ତୋଷ ଭରି ରହିଥିଲା ।
ବିଳମ୍ବରେ ହେଉ ପଛେ ଦାବି ପୂରଣ:
ଛତିଶଗଡ଼ରେ ବସବାସ କରୁଥିବା ଦୁରୁଆଙ୍କୁ ସେଠାକାର ରାଜ୍ୟ ସରକାର ବହୁ ବର୍ଷ ତଳେ ଆଦିବାସୀ ମାନ୍ୟତା ପ୍ରଦାନ କରିସାରିଥିଲେ କିନ୍ତୁ ଓଡ଼ିଶାର ଦୁରୁଆ ଜନ ଗୋଷ୍ଠୀ ଆଦିବାସୀ ମାନ୍ୟତା ପାଇପାରି ନଥିଲେ ଗତ 75 ବର୍ଷ ଧରି ଦାବିକୁ ତୀବ୍ରତର କରିବା ସହ ରାଜ୍ୟ ସରକାର ଏବଂ ଆଦିବାସୀ ସରକାରଙ୍କୁ ବାରମ୍ବାର ଆଦିବାସୀ ମାନ୍ୟତା ପାଇଁ ଦାବିପତ୍ର ପ୍ରଦାନ କରିଆସିଥିଲେ । ଦୁରୁଆ ଭଳି ଦୋରା, ପରଜା ଓ କନ୍ଧ ସମ୍ପ୍ରଦାୟର କିଛି ଉପ ସମ୍ପ୍ରଦାୟକୁ ମଧ୍ୟ ଆଦିବାସୀର ସଭ୍ୟତା ଭିତରେ ଚଳି ଆସୁଥିଲେ ମଧ୍ୟ ଆଦିବାସୀ ମାନ୍ୟତା ପାଇଁ ବିଭିନ୍ନ ସମୟରେ ବିଧାନସଭା ଠାରୁ ଆରମ୍ଭ କରି ସଂସଦ ରେ ଦାବି ହେଇ ଆସୁଥିଲା l ଏବେ ସରକାର ସେମାନଙ୍କ ଦାବିକୁ ପୂରଣ କରିଛନ୍ତି l
ମାନ୍ୟତା ପରେ ଖେଳକୁଦରେ ଉତ୍କର୍ଷ ହାସଲ କରିଛନ୍ତି ଯୁବପିଢି:
ଦୁରୁଆ ଜନଜାତିଙ୍କୁ ଆଦିବାସୀର ମାନ୍ୟତା ମିଳିବା ପରେ ବିକାଶର ଧାରାରେ ଅଗ୍ରସର ହେବା ପାଇଁ ଏହି ଜନଜାତିର ଯୁବ ପିଢ଼ି ପାଠପଢା ସହ ଖେଳକୁଦରେ ଉତ୍କର୍ଷ ହାସଲ କରିଛନ୍ତି । ଏନେଇ ଛାତ୍ରୀ ପାଖିନି ଦୁରୁଆ କୁହନ୍ତି, ‘ପିଲାଟି ବେଳୁ ବିଭିନ୍ନ ଖେଳକୁଦରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଆସୁଥିଲୁ । ବର୍ତ୍ତମାନ ଆଦିବାସୀ ମାନ୍ୟତା ମିଳିଥିବା ଯୋଗୁଁ ଛାତ୍ରାବାସ ରହି ଆଦିବାସୀ ଜନଜାତି ପାଇଁ ଦିଆଯାଉଥିବା ବିଭିନ୍ନ ସରକାରୀ ପ୍ରୋତ୍ସାହନ ବଳରେ ଭବିଷ୍ୟତରେ ଖେଳକୁଦ କ୍ଷେତ୍ରରେ ଦକ୍ଷତା ହାସଲ କରିବା ସହିତ ଖେଳାଳି ଭାବେ ସରକାରୀ ଚାକିରି କରିପାରିବାର ଆଶା ସଞ୍ଚାର ହୋଇଛି ।’