ବୌଦ୍ଧ: ଛାତ ଘର ସେମାନଙ୍କ ପାଇଁ ସାତ ସପନ । ନାଁ ଭଲରେ ଖାଇବାକୁ ପାଉଛନ୍ତି, ନାଁ ରହିବାକୁ ଭଲ ଘର ଖଣ୍ଡିଏ ଅଛି । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ତାଳ ପତ୍ରର ଛାଉଣି ତଳେ ପ୍ରାୟ 70 ବର୍ଷ ଧରି ପିଢ଼ି ପରେ ପିଢ଼ି ବସବାସ କରିଆସୁଛନ୍ତି । ସେମାନଙ୍କୁ ଦେଖିଲେ ଲାଗୁଛି ଯେମିତି ସରକାରଙ୍କ ବିକାଶର ନୀଳ ନକ୍ସାରୁ ସେମାନଙ୍କ ନାଁ ଲିଭିଯାଇଛି । ଅବଶ୍ୟ ନିର୍ବାଚନ ଆସିଲେ ସେମାନଙ୍କ କଥା ସମସ୍ତଙ୍କର ମନେପଡେ । ଆଉ ନେତାମାନଙ୍କଠାରୁ ବଡ଼ ବଡ଼ ପ୍ରତିଶୃତି ମଧ୍ୟ ମିଳି । ହେଲେ ନିର୍ବାଚନ ସରିଲେ 'ବାହାଘର ପରେ ବେଦୀ ମୁହଁ ପୋଡା଼' ଭଳି ଏମାନଙ୍କ ପ୍ରତି କହାର ଦୃଷ୍ଟି ପଡେନାହିଁ । ଏଭଳି ଅବହେଳିତ ଓ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି ବୌଦ୍ଧ ଜିଲ୍ଲାର ବନ୍ଧାପଥର ପଞ୍ଚାୟତ ଅଞ୍ଚଳରେ ରହୁଥିବା ଖାତି ସଂପ୍ରଦାୟର ପ୍ରାୟ 40ଟି ହୀରାକୁଦ ବିସ୍ଥାପିତ ପରିବାର ।
ଅନ୍ଧକାରରେ ବିତୁଛି ହୀରାକୁଦ ଅଞ୍ଚଳରୁ ବିସ୍ଥାପିତ ଖାତି ସଂପ୍ରଦାୟର ଅଧିବାସୀଙ୍କ ଜୀବନ । ବିକାଶର ଆଲୋକଠାରୁ ଢେର ଦୂରରେ ଥିବା ଏହି ଖାତି ସଂପ୍ରଦାୟର ଅଧିବାସୀଙ୍କ ନିକଟରେ ସରକାରୀ ଯୋଜନା ସତେ ଯେପରି ଅପହଞ୍ଚ ହୋଇ ରହିଛି । ଦେଶର ସବୁଠାରୁ ଉତ୍ତପ୍ତ ଅଞ୍ଚଳର ମାନ୍ୟତା ପାଇଥିବା ଜିଲ୍ଲାରେ ବରଫ ଦେଶର ଏସ୍କିମୋ ଭଳି ତାଳ ପତ୍ରର ଛାଉଣି ତଳେ ଗୁରୁଣ୍ଡି ଗୁରୁଣ୍ଡି ଏମାନେ ସତେ ଯେପରି ମାଟିର ମଣିଷ ହୋଇ ରହିଯାଇଛନ୍ତି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଓ ହରଭଙ୍ଗା ବ୍ଲକର ସୀମାନ୍ତ ଅଞ୍ଚଳରେ ବନ୍ଧାପଥର ପଞ୍ଚାୟତରେ ଏହି ଖାତି ସଂପ୍ରଦାୟର ପ୍ରାୟ 40ଟି ପରିବାର ବସବାସ କରୁଛନ୍ତି ।
ବୌଦ୍ଧକୁ କିପରି ଆସିଲେ ଖାତି ସଂପ୍ରଦାୟର:-ଖାତି ସଂପ୍ରଦାୟର ଅଧିବାସୀଙ୍କ ବିଷୟରେ ଯଦି କୁହାଯାଏ, ତେବେ ସେମାନଙ୍କ ପୂର୍ବଜ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ବସବାସ କରୁଥିବା ବେଳେ ଜଳଭଣ୍ଡାର ନିର୍ମାଣ ପାଇଁ ସେମାନେ ସେଠାରୁ ବିସ୍ଥାପନ ହୋଇ କାର୍ଯ୍ୟ ଅନ୍ବେଷଣରେ ବୌଦ୍ଧ ଅଞ୍ଚଳର ଏହି ସ୍ଥାନକୁ ଚାଲିଆସିଥିଲେ । ଅନେକ ସେମାନଙ୍କର ଜୀବନ ଓ କାର୍ଯ୍ୟଶୈଳୀ ଦେଖି ସିତରା ଜାତି ବୋଲି ମଧ୍ୟ କହିଥାନ୍ତି । ଏହି ସଂପ୍ରଦାୟର ଜୀବିକା ନିର୍ବାହର ମୁଖ୍ୟ କାର୍ଯ୍ୟ ହେଉଛି ଲୁହା, ଟିଣର ଜାଲି, ଚଟୁ, ପନିକି, ଦାଆ ଓ କଟୁରା ଭଳି ବିଭିନ୍ନ ସାମଗ୍ରୀ ତିଆରି କରିବା । ସେହିପରି ମହିଳାମାନେ ଖଜୁରୀ ପତ୍ରରେ ପଟି ବା ସପ ପ୍ରସ୍ତୁତ କରିବା କାର୍ଯ୍ୟ କରିଥାନ୍ତି ।