କେନ୍ଦ୍ରାପଡ଼ା:ଉତ୍କଳୀୟ ସଂସ୍କୃତି,ପରମ୍ପରା ଏବଂ ଈଶ୍ୱରଙ୍କ ଉପରେ ଆସ୍ଥା ଓଡ଼ିଶାର ଗ୍ରାମ୍ୟ ଜୀବନକୁ ବେଶ ପ୍ରଭାବିତ କରିଥାଏ । ଆଜି ମହାମାରୀ କଥା କହିଲେ 'କୋଭିଡ' ଭଳି ଜୀବନ ନେଉଥିବା ରୋଗ କଥା ମନେ ପଡ଼ୁଛି । ହେଲ ଦୀର୍ଘବର୍ଷ ପୂର୍ବରୁ 'ହଇଜା' ନାମକ ଜଳବାହିତ ରୋଗକୁ ମହାମାରୀ ଆଖ୍ୟା ଦିଆଯାଇଥିଲା । ତେବେ ସେହି ସମୟରେ ଉନ୍ନତମାନର ଚିକିତ୍ସା ସୁବିଧା ନଥିଲା । ଯାହାଫଳରେ ଲୋକେ ହଇଜାକୁ ଦୂରୀକରଣ କରିବା ପାଇଁ ଭଗବାନଙ୍କ ପାଖରେ ଓଷା କରିବା ସହ ବିଭିନ୍ନ ଭୋଗ ଲଗାଉଥିଲେ । ଏବେବି ସେହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି କେନ୍ଦ୍ରାପଡା ଜିଲ୍ଲା କନ୍ତିଆ ଓ ନଳପାରି ଗ୍ରାମବାସୀ । ଏଠାରେ ହଇଜାକୁ ଦୂରେଇବା ପାଇଁ ଗ୍ରାମଦେବୀଙ୍କ ପଖରେ ମଣ୍ଡାପିଠା ଭୋଗ କରାଯାଏ ।
ମାଘ ସପ୍ତମୀ ଓଷା ?
ସ୍ଥାନୀୟ ଲୋକମାନଙ୍କ ବିଶ୍ୱାସ, ପରମ୍ପରା ଓ ଲୋକକଥା ଅନୁଯାୟୀ, ଏହି ଓଷାକୁ ମାଘ ସପ୍ତମୀ ଓଷା କୁହାଯାଏ । କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଢୋଲ ପଞ୍ଚାୟତର କନ୍ତିଆ ଓ ନଳପାରି ନାମକ ଦୁଇଟି ଗାଁରେ ଏହି ଓଷା ଶ୍ରୀପଞ୍ଚମୀ ଠାରୁ ସାତଦିନ ମଧ୍ୟରେ ପଡୁଥିବା ଗୁରୁବାର ଦିନ ପାଳନ କରାଯାଏ । ଏହା ମାଘ ମାସରେ ପଡୁଥିବାରୁ ମାଘ ସପ୍ତମୀ ଓଷା ବୋଲି କୁହାଯାଏ ।
କାହିଁକି ଭୋଗ ଲାଗେ ମଣ୍ଡାପିଠା ?
ଏ ସମ୍ପର୍କରେ କନ୍ତିଆ ଗ୍ରାମବାସୀ ବାବାଜୀ ଚରଣ ସାହୁ କହିଛନ୍ତି,"ଏହାକୁ ଆମର ପୂର୍ବ ପୁରୁଷ ପାଳନ କରୁଥିଲେ । ଚଣ୍ଡୀ ଦେବୀଙ୍କ ନିକଟରେ ହେଉଥିବା ଡାକମଣ୍ଡା ଓଷା ଭଳି ଏଠାରେ ମଣ୍ଡାପିଠା ଭୋଗ ଦେଇଥାଉ । ଆମ ଗ୍ରାମ ଦେବତୀ ଆମକୁ ରକ୍ଷା କରିଥାନ୍ତି । ଆମକୁ ମହାମାରୀ ହଇଜା ରୋଗରୁ ମା' ରକ୍ଷା କରିଥିଲେ । ସେହିଦିନ ଠାରୁ ଆମେ ମାଘ ମାସ ଶୁକ୍ଳ ପକ୍ଷରେ ପଡୁଥିବା ପ୍ରଥମ ଗୁରୁବାର ଅର୍ଥାତ ଶ୍ରୀପଞ୍ଚମୀ ପରର ଗୁରୁବାର ଦିନ ଆମେ ଏହି ଓଷା ପାଳନ କରୁଛୁ । ମା'କ୍ଷେତ୍ରପାଳଙ୍କ ନିକଟରେ ମଣ୍ଡା ପିଠା ତିଆରି ହୋଇ ଭୋଗ ଲଗାଯାଇଥାଏ । "