ଓଡିଶା

odisha

ଆସୁଛନ୍ତି ମା' ଦୁର୍ଗା, ଖିଲି ଖିଲି ହସି ସ୍ବାଗତ କରୁଛି କାଶତଣ୍ଡି - kasatandi flower

By ETV Bharat Odisha Team

Published : 4 hours ago

Updated : 3 hours ago

kasatandi flower: ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ମା' ଦୁର୍ଗାଙ୍କ ଆଗମନ ହେଲେ ଧରାପୃଷ୍ଠରେ ଖିଲି ଖିଲି ହସେ ଧବଳମତୀ କାଶତଣ୍ଡି । ପବନରେ ଲହ ଲହ କେରି ଦୋଳୀୟମାନ ଏହି ସୁନ୍ଦର ଫୁଲକୁ ଦେଖି ସଭିଙ୍କ ପ୍ରାଣରେ ନୂଆ ରୋମାଞ୍ଚ ଭରିଯାଏ । ଅଧିକ ପଢନ୍ତୁ

kasatandi flower
kasatandi flower (ETV Bharat Odisha)

ଗଜପତି: ଆଶାର ବାଣୀ ନେଇ ଆଜି କାଣତଣ୍ଡି ପୁଣି ଫେରିଛି । ନଈପ‌ଠା, ବିଲବାଡି ପଡିଆ ଭୂଇଁ ତଥା ରାସ୍ତା କଡରେ ଗୋଛା ଗୋଛା ହୋଇ ଧବଳ ମୁଖୀ କାଶତଣ୍ଡି, ଧୀର ପବନରେ ଦୋହଲି ଦୋହଲି ମାଁ ଦୁର୍ଗାଙ୍କର ଆଗମନର ସୂଚନା ଦେଇ ମନରେ ଆଶା ବିଶ୍ଵାସର ମଞ୍ଜି ବୁଣି ଚାଲିଛି । ସବୁ ଦୁଃଖ, ଯନ୍ତ୍ରଣାର ଅବସାନ ଘଟାଇ ଭୟ, ହତାଶ ନିରାଶ ରାକ୍ଷାସକୂଳକୁ ସମୂଳେ ଧ୍ୱଂସ କରି ଜନ ଜୀବନରେ ନୂତନ ଭବିଷ୍ୟତର ଭାବନକୁ ଜାଗ୍ରତ କରିବା ପାଇଁ ମା’ଙ୍କର ଆବିର୍ଭାବ ଘଟିବ ଏହି ସୂଚନା ଦେଉଛି କାଶତଣ୍ଡି । ଦୀର୍ଘ ଦିନର ଲଢେଇର ଅବସାନ ହେବ,ପୁନଶ୍ଚ ଜୀବନରେ ନବ ଅରୁଣ ଉଦିତ ହୋଇ ଆନନ୍ଦର ଲହରୀ ଖେଳିଯିବ ଏହି ବାର୍ତ୍ତା ପ୍ରେରଣ କରିବା ପାଇଁ ବନ୍ୟ ଜୁଇ ଟଗର, ଗଙ୍ଗଶିଉଳି ତଥା କଇଁ ଚମ୍ପା ଫୁଲର ସମ୍ଭାର ମଧ୍ଯରେ କାଶତଣ୍ଡି ନିଜକୁ ଆତ୍ମ ପ୍ରକାଶ କରିଛି । ସମଗ୍ର ପରିବେଶ ଯେ ଉତ୍ସବ ମୁଖର ହୋଇ ଉଠିବ ତାର ପୂର୍ବ ପ୍ରସ୍ତୁତିରେ ଲାଗି ପଡିଛି ।

ଏହା ବି ପଢନ୍ତୁ- ପାର୍ବଣରେ କାଶତଣ୍ଡିର ସମ୍ଭାର, ଆନମନା କବି ଓ ଲେଖକ

‘ଆଶାର ବାଣୀ ନେଇ ଆଜି କାଣତଣ୍ଡି ପୁଣି ଫେରିଛି’-

ନିରାଟ ଝାଞ୍ଜି ଏବଂ ପ୍ରବଳ ବର୍ଷାର ଅବସାନ ପରେ ଏବେ କାଶତଣ୍ଡି ନଇପଠା ପଡିଆ ଭୂଇଁରେ ମୁରୁକି ହସି ଉଠିଛି । ତାର ଏହି ସ୍ମିତ ହାସ୍ୟ ଜନମନରେ ଭିନ୍ନ ଏକ ପୁଲକ ସୃଷ୍ଟି କରିବା ସହ ନୂତନ ବିଶ୍ବାସ ସୃଷ୍ଟି କରିଛି । ଭବିଷ୍ୟତର ନୂଆ କାର୍ଯ୍ୟସୂଚୀକୁ ଧରି ସୂକ୍ଷ୍ମକେଶୀ କାଶତଣ୍ଡି ପୃଥିବୀପୃଷ୍ଠରେ ପଦାର୍ପଣ କରିଛି । ସତେ ଯେମିତି ମାଁଙ୍କ ଆଗମନ ବେଳେ ସ୍ବାଗତ ପାଇଁ ଧରାପୃଷ୍ଠ ନିଜକୁ ଧଳା ଚାଦରରେ ସଜାଇ ଦେଇଛି । ତେଣୁ ପିଲା ଠାରୁ ବୁଢା ଯାଏଁ ସମସ୍ତେ ଭିନ୍ନ ଏକ ଉନ୍ମାଦନାରେ ଭରି ହୋଇଛନ୍ତି ଏବଂ ମଙ୍ଗଳମୟୀ ମାଁଙ୍କ କରୁଣା ଲାଭ ପାଇଁ ପ୍ରସ୍ତୁତ ହେଉଛନ୍ତି । ଗାଁ ଗହଳିର ସାମାଜିକ ଜୀବନରେ କାଶତଣ୍ଡିର ମହତ୍ଵ ସବୁଠୁ ଅଲଗା ଆଉ ଅନନ୍ୟ। ଶୁଭ୍ର ସ୍ଵଚ୍ଛତାର ବାର୍ତ୍ତାକୁ ବହନ କରୁଥିବା ଏଇ କାଶତଣ୍ଡିକୁ ନା କିଏ ରୋପଣ କରେ ନା କିଏ ତାର ଯତ୍ନନିଏ । ଆପଣା ଛାଏଁ ଶାରଦୀୟ ଅଭିନନ୍ଦନର ପୁଷ୍ପଗୁଛା ଧରି ଶରତ ଋତୁର ପ୍ରାରମ୍ଭରେ ଦେଖାଦେଇ ପୁଣି କେଉଁ ଆଡେ ଫେରିଯାଏ । କର୍ତବ୍ୟର ଡାକରାରେ କର୍ମଜୀବୀ ମଣିଷଟିଏ ଆପଣା କର୍ତବ୍ୟ ସମ୍ପାଦନ ପାଇଁ ବ୍ୟସ୍ତ ହୋଇଉଠେ । ସେପରି ଆପାଣା କର୍ତବ୍ୟକୁ ପାଳନ କରିବାକୁ ଆସିଯାଏ କାଶତଣ୍ଡି ।

kasatandi flower story (ETV Bharat Odisha)
ଏହା ବି ପଢନ୍ତୁ- ପାର୍ବଣର ଆଗମନରେ ଧବଳବର୍ଣ୍ଣା ଧରିତ୍ରୀ, ସମସ୍ତଙ୍କୁ ଆନମନା କରୁଛି କାଶତଣ୍ଡିର ସମ୍ଭାର



ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଆଗୁଆ ପଦାର୍ପଣ କରିଥିବା କାଶତଣ୍ଡି ମାଁଙ୍କ ଆଗମନୀର ଦାର୍ତା ବେଦା ସହିତ ସମଗ୍ର ପରିଦେଶକୁ ଦିମଳ ନିର୍ମଳ କରିବାରେ ଲାଗି ପଡିଛି । ତାର ଅନିର୍ବଚନୀୟ ଆନନ୍ଦ ଓ ସୂକ୍ଷ୍ମ ସ୍ପର୍ଶ ଏ ଜଡଭୂଇଁରେ ମାନବ ସମାଜକୁ ପ୍ରେମର ବାର୍ତ୍ତା ପ୍ରେରଣ କରିବାରେ ଲାଗିଛି । ଜଞ୍ଜାଳମୟ ଜୀବନକୁ ଉପଭୋଗ ଓ କରିବା ସହ ଆଧାତ୍ମିକତାରେ କିଛି ସମୟ ହଜିଯିବାର ବାର୍ତ୍ତା ନେଇ କାଶତଣ୍ଡି ଆଜି ପ୍ରଚୁର ଭାବେ ଫୁଟି ଉଠିଛି । ମଣିଷ ସମାଜରେ ନୂଆ ବିଶ୍ଵାସ ନୂଆ ଆଶା ସଂଚାର କରୁଛି । ଦୁଃଖ ଯାଇ ସୁଖ ଆସିବ, ଅନ୍ଧାର ହଟିଯାଇ ଆଲୋକର ପ୍ରଭା ପ୍ରକାଶିତ ହେବ,ଏହି ଦୃଢ ପ୍ରତିଶୃତିର ଇସ୍ତାହାର ନେଇ ଆଜି ଏ ଧରା ପୃଷ୍ଠରେ କାଶତଣ୍ଡି ପଦାର୍ପଣ କରିଛି । ସିଂହ ବାହିନୀ ମାଁ ଦୁର୍ଗା ବିଜୟା ଦଶମୀରେ ବିଜୟ ମଣ୍ଡିତ ହୋଇ ସମସ୍ତଙ୍କୁ ଦର୍ଶନ ଦେବେ । ଏହି ଆନନ୍ଦପ୍ରଦ ଶୁଭ ମୁହୂର୍ତର ଅପେକ୍ଷାରେ ଜନସମାଜ ରହିଥିବା ବେଳେ କାଶତଣ୍ଡି ମଙ୍ଗଳମୟୀ ମୁହୂର୍ତରେ ଧରାବକ୍ଷରେ ପଦାର୍ପଣ କରି ସମଗ୍ର ପରିବେଶକୁ ସୁସଜ୍ଜିତ କରିବାରେ ଲାଗିଛି । ଆଜି ଯେଉଁ ଆଡେ ଦେଖିଲେ କେଣ୍ଡା କେଣ୍ଡା ହୋଇ ଝୁଲିଥିବା କାଶତଣ୍ଡିର ଶଭ୍ର, ସ୍ୱଚ୍ଛ ରୂପ ଏକ ଉତ୍ସବମୟ ପରିବେଶ ସୃଷ୍ଟି କରି ଚାଲିଛି । ଏହା ହିଁ ହାସ୍ୟମୟୀ ଲାସ୍ୟମୟୀ ପ୍ରକୃତିର ଜନ ସମାଜକୁ ଅବଦାନ । କାଶତଣ୍ଡିର ଏଇ ରୂପ ସମ୍ଭାର ଜନସମାଜକୁ ପ୍ରାକୃତିକ, ସମାଜିକ, ଧାର୍ମିକ ଏବଂ ଆଧାତ୍ମିକ ଭାବ ଭାବନା ପ୍ରେରଣ କରୁଛି ବୋଲି କହନ୍ତି ପ୍ରକୃତି ପ୍ରେମୀ ।

‘ମା’ ଦୁର୍ଗା ମୋତେ ତାଙ୍କ ଅଙ୍ଗରେ ଧାରଣ କରି ପବିତ୍ର କରିଛନ୍ତି’

"ପାର୍ବଣ ଋତୁ ଆସିଗଲେ କାଶତଣ୍ଡି ତାର ବାସ୍ନା ନଥିଲେ ମଧ୍ୟ ତାର ରୌପ୍ୟ ବର୍ଣ୍ଣ ଧବଳକାନ୍ତିର ଲହ ଲହ କେରା କାଢି ବାଟୋଇଙ୍କୁ ହାତଠାରି ଡାକିଦେଉଛି, ତାହା ଆମକୁ ସୂଚାଇ ଦିଏ ଯେ, ଆଗକୁ ଆସୁଛି ପାର୍ବଣ ଋତୁ । ମା’ ଦେବୀ ଦୁର୍ଗାଙ୍କର ଶାରଦୀୟ ଉତ୍ସବରେ କାଶତଣ୍ଡି ବିନା ଏହା କେବେବି ହୁଏନା । ତେଣୁ କବି ପଥିକ ବାଟୋଇ ସମସ୍ତଙ୍କୁ ଡାକେ, ହେ ଭାଇମାନେ ଆସ ମୋର ସିନା ବାସ୍ନା ନାହିଁ, ମୋ ନିକଟକୁ ସିନା ଭ୍ରମର ଆସୁନି କିନ୍ତୁ ମା’ ଦୁର୍ଗା ମୋତେ ତାଙ୍କ ଅଙ୍ଗରେ ଧାରଣ କରି ପବିତ୍ର କରିଛନ୍ତି," ବୋଲି କହିଛନ୍ତି ଭାରତୀ ପାଣିଗ୍ରାହୀ (ଅଧ୍ୟାପିକା ) ।

ଏହା ବି ପଢନ୍ତୁ- ଧରାପୃଷ୍ଠକୁ ଆସିବେ ଜଗତଜନନୀ: ସଜେଇ ହେଉଛି ପୂଜା ମଣ୍ଡପ, ଚାଲିଛି ବ୍ୟାପକ ପ୍ରସ୍ତୁତି


ମା‘ ଦୁର୍ଗାଙ୍କ ଆଗମନ ପାଇଁ ଧରଣୀ ରାଣୀ ସଜେଇ ହୁଏ । ଏହି ସାଜସଜା ମଧ୍ୟରେ ଅନେକ ସହଯୋଗ କରିଥାଏ କାଶତଣ୍ଡି । ଏହା ସହ ନାନା ଆୟୋଜନରେ ଲାଗିପଡି ମା' ଦୁର୍ଗାଙ୍କୁ ଆବାହନ କରିବା ପାଇଁ ଅପେକ୍ଷାରତା ମା’ ବସୁମତିକୁ ଆସୀମ ଧୈର୍ଯ୍ୟଶୀଳା ହେବାର ବାଣୀ ପ୍ରେରଣ କରି ଝୁଲିଝୁଲି କାଶତଣ୍ଡି ପ୍ରଣାମ ଜଣାଉଛି ।

Last Updated : 3 hours ago

ABOUT THE AUTHOR

...view details