ଭୁବନେଶ୍ବର: ‘ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି କଲେ ଏଣିକି ହେବ କଡ଼ା କର୍ଯ୍ୟାନୁଷ୍ଠାନ । ଯିଏ ଦୁର୍ନୀତିରେ ସମ୍ପୃକ୍ତ ଥିବେ ସେମାନଙ୍କୁ ଜେଲ ଓ ଅର୍ଥ ଦଣ୍ଡ ଭୋଗିବାକୁ ପଡିବ । ଦୁର୍ନୀତି କଲେ 1 କୋଟି ଜୋରିମାନା ସହ ଓ 10 ବର୍ଷ ଜେଲ ବ୍ୟବସ୍ଥା ରହିଛି ।’ ଏଭଳି ଢଙ୍ଗରେ ଆଜି ଚେତେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ନିଯୁକ୍ତି ପାଇଲେ 376 ଜଣ:
ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ନିଯୁକ୍ତି ମେଳାରେ ଆଜି 376 ଜଣଙ୍କୁ ନିଯୁକ୍ତି ମିଳିଛି । ଏଥିରେ ସ୍ବାସ୍ଥ୍ୟ ବିଭାଗର 85 ଜଣ ହୋମିଓପାଥିକ ଚିକିତ୍ସକ ଓ 239 ଜଣ ରେଡିଓଗ୍ରାଫର ଥିବା ବେଳେ ଉଚ୍ଚଶିକ୍ଷା ବିଭାଗର 52 ଜଣ ଅଧ୍ୟାପକ ଅଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବ ନିଯୁକ୍ତ ଡାକ୍ତର, ଅଧ୍ୟାପକ ଓ ରେଡିଓଗ୍ରାଫରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବୃତ୍ତିଗତ ଦକ୍ଷତା ଓ ସେବା ମନୋବୃତ୍ତି ନେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସରକାରୀ ଚାକିରିକୁ ଅର୍ଥ ଉପାର୍ଜନ ସର୍ବସ୍ବ ନକରି ନିଜ ନିଜର କର୍ତ୍ତବ୍ୟ ପ୍ରତି ଅନୁରକ୍ତ ରହିବାକୁ ଓ ଦୁର୍ନୀତିକୁ ପ୍ରଶୟ ନଦେବାକୁ ସେ ପରାମର୍ଶ ଦେଇଛନ୍ତି ।
‘ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଖି ଦୃଶିଆ ପାରିଦର୍ଶିତା ହାସଲ କରିନି ଓଡ଼ିଶା’
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଓଡିଶା ଯେତେ ପାରଦର୍ଶିତା ହାସଲ କରିବା କଥା, କରିପାରିନାହିଁ । ଆମେ ଆମର ପ୍ରକୃତ ସାମର୍ଥ୍ୟ ହାସଲ କରି ପାରିନାହୁଁ । ନୀତି ଆୟୋଗ ଦ୍ବାରା ସଦ୍ୟ ପ୍ରକାଶିତ ସ୍ବାସ୍ଥ୍ୟ Rankingରେ ଓଡିଶା 28ଟି ରାଜ୍ୟ ମଧ୍ୟରେ ତଳଆଡୁ ତୃତୀୟ । ଓଡିଶା 100 ନମ୍ବରରୁ ଓଡିଶା ମାତ୍ର 40.19 ପାଇଛି । କିନ୍ତୁ ପୂର୍ବ ସରକାରରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ନାମରେ ବ୍ୟାପକ ପ୍ରଚାର କରାଯାଉଥିଲା । ବର୍ତ୍ତମାନ ଏ ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ପଡିବ । Health Rankingରେ ଆମକୁ ଅତିକମରେ 60 ନମ୍ବର ରଖିବାକୁ ପଡିବ । ଦେଶର ପ୍ରଥମ 10 ଶ୍ରେଷ୍ଠ ସେବା ପ୍ରଦାନକାରୀ ରାଜ୍ୟ ମଧ୍ୟରେ ରହିବାକୁ ପଡିବ । ଏ ଦିଗରେ ସରକାରଙ୍କ ଆଭିମୁଖ୍ୟରେ ନବ ନିଯୁକ୍ତଙ୍କୁ ସହଯୋଗ କରିବା ପାଇଁ ସଂକଳ୍ପ ନେବାକୁ ପଡିବ ।
ଆଗାମୀ 5 ବର୍ଷରେ ସବୁ ଜିଲ୍ଲା ମେଡିକାଲ କଲେଜ ଓ ହସ୍ପିଟାଲ:
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଭିତ୍ତିଭୂମି ଓ ପ୍ରଶିକ୍ଷିତ ମାନବ ସମ୍ବଳର ଆବଶ୍ୟକତା ରହିଛି । ଏ ଉଭୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ କାମ କରୁଛନ୍ତି । ଏହା ସରକାରଙ୍କ ଭିଜନର ଏକ ଅଂଶ ବିଶେଷ । ଚଳିତ ବର୍ଷ ସ୍ବାସ୍ଥ୍ୟ ବଜେଟରେ ପୂର୍ବ ବର୍ଷ ତୁଳନାରେ 32 ପ୍ରତିଶତ ଅଧିକ ବ୍ୟୟ ବରାଦ ହୋଇଛି । ଏହାର ସିଂହ ଭାଗ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବ । ଆଗାମୀ 5 ବର୍ଷରେ ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା ସହିତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
6 ମାସରେ 6 ନିଯୁକ୍ତି ମେଳା: