ଝାରସୁଗୁଡ଼ା: ସରୁନି ବିସ୍ଥାପିତଙ୍କ ଦୁଃଖ । କୋଇଲା ଖଣି ପାଇଁ ଗଲା ଜମି । ଆଉ ନିଯୁକ୍ତି ପାଇଁ ମିଳିଥିବା ପ୍ରତିଶ୍ରୁତି ପାଲଟିଲା ପାଣିର ଗାର । ଯାହାପରେ ଏବେ ନିଜ ଭିଟାମାଟି ପାଇଁ ଆମରଣ ଅନଶନରେ ବସିଛନ୍ତି ଯୁବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲାର ଖଇରକୁନିରେ । ଏହି ଯୁବକଙ୍କ ନାମ ଚନ୍ଦ୍ରମଣି ସାହୁ ଏବଂ ସେ MCLର ଜି.ଏମ. କାର୍ଯ୍ୟାଳୟଠାରେ ଅନଶନରେ ବସିଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇ ହସ୍ପିଟାଲରେ ଭର୍ତ୍ତି କରିଛି ।
ସୂଚନାଯୋଗ୍ୟ ଯେ, ଚନ୍ଦ୍ରମଣି ସାହୁଙ୍କ ୪ ଏକରରୁ ଊର୍ଦ୍ଧ୍ବ ଜମି MCL ଅଧିଗ୍ରହଣ କରିଛି । MCL ଜମି ଅଧିଗ୍ରହଣ ସମୟରେ ଏକ ଘରୋଇ କମ୍ପାନିରେ ନିଯୁକ୍ତି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା । ପରେ ଉକ୍ତ କମ୍ପାନି ତାଙ୍କୁ ଧୋକା ଦେଇଥିବା ସେ ଅଭିଯୋଗ କରିଛନ୍ତି । ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ପୂରଣ ହୋଇପାରିଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।
ତେଣୁ ନିଯୁକ୍ତି ଦାବିରେ ଖଇରକୁନିର ଚନ୍ଦ୍ରମଣି ସାହୁ କିଛି ଦିନ ହେଲା MCLର ଜି.ଏମ. କାର୍ଯ୍ୟାଳୟଠାରେ ଆମରଣ ଅନଶନରେ ବସିଥିଲେ । ହେଲେ ଗତକାଲି ତାଙ୍କୁ ପୋଲିସ ଜୋର ଜବରଦସ୍ତ ଉଠାଇ ଆଣି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତଥାପି ସେ ନିଜ ଜିଦରେ ଅଟଳ ରହିଛନ୍ତି । ଚିକିତ୍ସାଳୟରେ ଭର୍ତ୍ତି ଅବସ୍ଥାରେ ମଧ୍ୟ ସେ ନିଜ ଅନଶନ ଜାରି ରଖିଛନ୍ତି । MCL କର୍ତ୍ତୃପକ୍ଷ ତାଙ୍କ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ସେ କହିଛନ୍ତି ।