ଝାରସୁଗୁଡ଼ା: କେରଳର ୱାୟନାଡରେ ହୋଇଥିବା ଭୟଙ୍କର ଭୁସ୍ଖଳନରେ ଫସିଛନ୍ତି ଝାରସୁଗୁଡ଼ାର ଓଡ଼ିଆ ଝିଅ ସ୍ୱୀକୃତି ମହାପାତ୍ର । ଭୂସ୍ଖଳନରେ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।ଏନେଇ ପରିବାର ଲୋକେ ଚିନ୍ତିତ ରହିଥିବାବେଳେ ଆଶ୍ୱାସନା ଦେଇଛନ୍ତି ଜିଲ୍ଲାପାଳ । ସେପଟେ ପରିବାର ଲୋକେ ୱାୟନାଡୁ ଗସ୍ତ କରିଥିବା ସୂଚନା ମିଳିଛି ।
ୱାୟନାଡରେ ଫସିଛନ୍ତି ସ୍ୱୀକୃତି:ସୂଚନାଯୋଗ୍ୟ ଯେ, ସ୍ୱୀକୃତି ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜରେ ପିଜି ଶେଷ ବର୍ଷ ଛାତ୍ରୀ । ସେ ଗତ 26 ତରିଖରେ ଏକ ପାଇଁ କନଫରେନ୍ସ ବେଙ୍ଗାଲୁରୁ ଯାଇଥିଲେ । ସେଠାରୁ 29 ତାରିଖ ଦିନ ନିଜ 3 ଜଣ ସାଙ୍ଗଙ୍କ ସହ କେରଳ ୱାୟନାଡ଼ ଯାଇଥିଲେ । ୱାୟନାଡ଼ରେ ଭୂସ୍ଖଳନ ହେବା ପରେ ସ୍ୱୀକୃତି ନିଖୋଜ ହୋଇଥିଲେ । ତେବେ ଗତକାଲି ସକାଳେ ପରିବାର ଲୋକେ ଏନେଇ ଜାଣିବାକୁ ପାଇଥିଲେ । ଝିଅ ନିଖୋଜ ହେବା ଘଟଣା ଜାଣିବା ପରେ ପରିବାର ସ୍ତବ୍ଧ ହୋଇଯାଇଥିଲେ । ତେବେ ତାଙ୍କୁ ଉଦ୍ଧାର କରାଯିବା ସହ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ଜାଣି ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି ।
ଆଶ୍ୱାସନା ଦେଲେ ଜିଲ୍ଲାପାଳ:ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୀକୃତିଙ୍କ ପରିବାରକୁ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଝାରସୁଗୁଡା ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ । ଗୁରୁତର ଝିଅ ପ୍ରତି ଚିନ୍ତା ନକରିବା ପାଇଁ ଜିଲ୍ଲାପାଳ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି । ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ । କୌଣସି ସମସ୍ୟା ହେଲେ ସିଧାସଳଖ ଯୋଗାଯୋଗ କରିବା ପାଇଁ ଜିଲ୍ଲାପାଳ ସ୍ବୀକୃତିଙ୍କ ବାପାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।