ଯାଜପୁର: ‘ଭାତ ବାଢୁଥା ମା... କାମ ସରିଲାଣି ଯାଉଛି ଖାଇବି’ l ମା’ ସହ କଥା ହେବାର କିଛି ସମୟ ପରେ ହଠାତ୍ ବାଜିଲା ଗୁଳି l ଘଟଣାସ୍ଥଳରେ ଟଳି ପଡିଲା ଭେଣ୍ଡିଆ ପୁଅ । ଏବେ ରୋଜଗାରିଆ ପୁଅଙ୍କୁ ହରାଇ ବେସାହାରା ହୋଇପଡିଛି ପରିବାର । ପୂର୍ବରୁ ବାପା ଚାଲିଯାଇଥିଲେ, ଏହି ପୁଅ ଥିଲା ପରିବାର ଏକମାତ୍ର ସାହାରା । ହେଲେ ସେ ବି ଡକାୟତଙ୍କ ଗୁଳିରେ ଶିକାର ହେଲା । ଏ କାହାଣୀ ହେଉଛି, ଶନିବାର ପାଣିକୋଇଲି ସୁନା ଅଳଙ୍କାର ଲୁଟ ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡରେ ପ୍ରାଣ ହରାଇଥିବା କୋରେଇ ବ୍ଲକ ସୋତୀ ଗ୍ରାମର ନୀଳମାଧବ ପଣ୍ଡାଙ୍କର । ନୀଳମାଧବ ଅକାଳ ବିୟୋଗ ପରେ ପରିବାର ଏବେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଅସହାୟ ହୋଇପଡିଛି ।
- ଘରର ଏକମାତ୍ର ସାହାରା ଥିଲେ ନୀଳମାଧବ
ନୀଳମାଧବ ପଣ୍ଡା ଥିଲେ ଘରର ବଡ଼ ପୁଅ । ୨ ବର୍ଷ ଭିତରେ ବାପା ଓ ଜେଜେବାପା ଆରପାରିକୁ ଚାଲିଯାଇଥିବା ବେଳ ନୀଳମାଧବଙ୍କ ଉପରେ ନିର୍ଭରଶୀଳ ଥିଲା ପୁରା ପରିବାର । ପରିବାରରେ ନୀଳମାଧବ ଏବଂ ଜଣେ ସାନ ଭାଇ ଓ ଭଉଣୀଙ୍କ ସମେତ ମା’ ଓ ଜେଜେମା’ଙ୍କୁ ମିଶାଇ ୫ ପ୍ରାଣୀ କୁଟୁମ୍ବ । ନୀଳମାଧବ ସ୍ଥାନୀୟ ପାଣିକୋଇଲି ଠାରେ ଥିବା ଟାଟା ପାୱାର କାର୍ଯ୍ୟାଳୟରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ନୀଳମାଧବଙ୍କ ରୋଜଗାରରେ ହିଁ ଚଳୁଥିଲା ତାଙ୍କ ପରିବାର । ହେଲେ ଗତ ୨ ଦିନ ତଳେ ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ସୁନା ଦୋକାନରୁ ଲୁଟ ସମୟରେ ଲୁଟେରାଙ୍କୁ କାବୁ କରିବାକୁ ଯାଇ ଲୁଟେରାଙ୍କ ଗୁଳିର ଶିକାର ହୋଇଥିଲେ । ଏବେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ଗାଁକୁ ଫେରି ଗତକାଲି ଶବ ସତ୍କାର ସରିଛି । ହେଲେ ନୀଳମାଧବଙ୍କୁ ମନେ ପକେଇ ବାହୁନି ବାହୁନି କାନ୍ଦୁଛନ୍ତି ପୂରା ପରିବାର । ସେପଟେ ଏଭଳି ପରିସ୍ଥିତିରେ ସରକାର ମୃତ ନୀଳମାଧବଙ୍କ ପରିବାରକୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ଦୁଇଜଣ ଯୁବକଙ୍କୁ ସାହାସିକତା ପୁରସ୍କାର ଦେବାକୁ ଦାବି କରିଛନ୍ତି ସମାଜସେବୀ ଅଶୋକ କୁମାର ଦାସ l
- ଯୁବ ସମାଜସେବୀ ଥିଲେ ନୀଳମାଧବ
ନୀଳମାଧବ ନିଜ ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ବେଶ ସୁପରିଚିତ ଓ ସମସ୍ତଙ୍କ ପ୍ରିୟପାତ୍ର ଥିଲେ । ସେ ‘ହେଲ୍ପିଂ ଗ୍ରୁପ’ ନାମକ ଏକ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ଥିବା ବେଳେ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ । ହେଲେ ଏବେ ତାଙ୍କ ମୃତ୍ୟୁ ପରେ ନୀଳମାଧବଙ୍କୁ ସମସ୍ତେ ଝୁରୁଛନ୍ତି । ନୀଳମାଧବଙ୍କ ମୃତ୍ୟୁ ପରେ ସାନଭାଇ ଓ ଭଉଣୀଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାରକୁ ଠେଲି ହୋଇଯାଇଛି । ଏଭଳି ପରିସ୍ଥିତିରେ ତାଙ୍କ ପରିବାରକୁ ସମସ୍ତେ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
- ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରି ଚାଲିଗଲେ ସୁନୀଲ
ସେହିପରି ଅନ୍ୟଜଣେ ମୃତକ ତଥା ପଣ୍ଡା ସୁନା ଦୋକାନର କର୍ମଚାରୀ ସୁନିଲ ରାୟ ମଧ୍ୟ ଦୁର୍ବୃତ୍ତଙ୍କୁ ଧରିବା ଦିଗରେ ସାହାସିକତା ଦେଖାଇଥିଲେ । ଦୁର୍ବୃତ୍ତଙ୍କୁ କାବୁ କରିବାକୁ ପ୍ରୟାସ କରିବା ବେଳେ ତାଙ୍କ ଉପରେ ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ସୁଦ୍ଧା ସେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ । ସୁନିଲ ସୁନା ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଏବେ ତାଙ୍କ ପରିବାର ମଧ୍ୟ ଭାଙ୍ଗି ପଡିଛନ୍ତି । ତେଣୁ ତାଙ୍କ ପରିବାରକୁ ମଧ୍ୟ ଅଧିକ ଅନୁକମ୍ପା ରାଶି ପ୍ରଦାନ କରିବାକୁ ତାଙ୍କ ବଡବାପା ଦାବି କରିଛନ୍ତି ।
- ଏସପି ଅଫିସ ନିକଟରେ ଗୁଳିକାଣ୍ଡ, ସନ୍ଦେହରେ ପୋଲିସର ଭୂମିକା:
ସେପଟେ ଦିନ ଦିପହରେ ମାତ୍ର 5ଶହ ମିଟର ଦୂରରେ ଥିବା ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଏଭଳି ଘଟଣା ଘଟିବାକୁ ନେଇ ପୋଲିସ କାର୍ଯ୍ୟ ଉପରେ ପ୍ରଶ୍ନ ଉଠିଛି । ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ସାମ୍ବାଦିକ l ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଜିଲ୍ଲାର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସ ଡିଜିଙ୍କ ସହ ଆଲୋଚନା କରିବା ସହିତ ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିବେ ବୋଲି କୋରେଇ ବିଧାୟକ ଆକାଶ ଦାସନାୟକ କହିଛନ୍ତି l
ଏହା ମଧ୍ୟ ପଢନ୍ତୁ:- |