ଓଡିଶା

odisha

ETV Bharat / state

ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ ହତାଶ, ଧାନ ବିହନ ବିକ୍ରିରେ ଅନିୟମିତତା ଅଭିଯୋଗ - paddy seeds sale

Paddy seeds sale: ନୟାଗଡରେ ସରକାରୀ ଧାନ ବିହନ ବିକ୍ରିରେ ଅନିୟମିତତା ଅଭିଯୋଗ । ଚାଷୀଙ୍କୁ ସୁଲଭ ମୂଲ୍ୟରେ ଧାନ ବିହନ ଯୋଗାଇ ଦିଆଯାଉଥିଲା କହିଲେ ଜିଲ୍ଲା କୃଷି ଅଧିକାରୀ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jun 29, 2024, 2:17 PM IST

PADDY SEEDS SALE
PADDY SEEDS SALE (ETV BHARAT ODISHA)

ନୟାଗଡ଼: ଖରିଫ ଫସଲ ପାଇଁ ନୟାଗଡ଼ ଜିଲ୍ଲାରେ ସରକାରୀ ଧାନ ବିହନ ବିକ୍ରି ଜାରି ରହିଛି । ହେଲେ ଧାନ ବିହନ ବିକ୍ରିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଏକ ମାସ ମଧ୍ୟରେ ଯେତିକି ଜଣ ଡିଲର କୃଷି ବିଭାଗରୁ ବିହନ ନେବା କଥା, ସେତିକି ନେଇନାହାନ୍ତି । ସରକାରୀ ଓ ବେସରକାରୀ ଡିଲରଙ୍କୁ ମିଶାଇ ମୋଟ୍ ୨୦୭ ଜଣଙ୍କ ବଦଳରେ ବର୍ତ୍ତମାନ ସୁଦ୍ଧା ମାତ୍ର ୯୪ ଜଣ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଫଳରେ ବଜାରରେ ଚାଷୀଙ୍କ ପାଇଁ ସରକାରୀ ବିହନ ପର୍ଯ୍ୟାପ୍ତ ହୋଇପାରୁନାହିଁ । ବାଧ୍ୟ ହୋଇ ଚାଷୀ ଘରୋଇ ବଜାରରୁ ଚଢ଼ା ଦରରେ ବିହନ କିଣୁଥିବା ଅଭିଯୋଗ କରିଛନ୍ତି । ସେପଟେ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଧାନ ବିହନ ଯୋଗାଇ ଦିଆଯାଉଛି ଏବଂ ଧାନ ବିହନର କୌଣସି ଅଭାବ ନାହିଁ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।


ନିଅଣ୍ଟିଆ ବର୍ଷା ସାଙ୍ଗକୁ ଧାନ ବିହନ ଅଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି, ଜିଲ୍ଲାର ଆଠଟି ଯାକ ବ୍ଲକ ଅଞ୍ଚଳରେ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବିଳମ୍ବ ହୋଇଥିବାବେଳେ ଚାଷୀଙ୍କୁ ଧାନ ବିହନ ଯୋଗାଣରେ ଅନିୟମିତତା କୃଷି ବିଭାଗର ଅବହେଳାକୁ ପଦାରେ ପକାଇଛି । ଚାଷୀଙ୍କ ଅଭିଯୋଗ ଧାନ ବିହନ ଅଭାବରୁ ଶହ ଶହ ହେକ୍ଟର ଜମି ଧାନ ବୁଣା ନହୋଇ ପଡିଆ ପଡିଛି । ଚାଷୀଙ୍କୁ ସୁଲଭ ମୂଲ୍ୟରେ ଧାନ ବିହନ ଯୋଗାଇ ଦେବା ପାଇଁ ଚଳିତ ବର୍ଷ ସରକାରୀ ଏବଂ ବେସରକାରୀ ସ୍ତରରେ ୨୦୭ ଜଣ ଡିଲର ନାମ ପଞ୍ଜିକୃତ କରିଥିବାବେଳେ କୃଷି ବିଭାଗର ଅବହେଳା ପାଇଁ ମାତ୍ର ୯୪ ଜଣ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଏତେ ସଂଖ୍ୟକ ଡିଲର କାହିଁକି ବିହନ କିଣା ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ସାମିଲ ହୋଇନାହାନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ମଣ୍ଡିରେ ପଡି ରହିଛି ଧାନ, ଚିନ୍ତାରେ ଚାଷୀ - paddy procurement

ବିହନ ବିକ୍ରି ଆରମ୍ଭରୁ କୃଷି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଚଳିତ ବର୍ଷ ୧୩୨ଟି ସମବାୟ ସମିତି ଓ ୭୫ ଜଣ ବେସରକାରୀ ଡିଲରଙ୍କ ଜରିଆରେ ଜିଲ୍ଲାର ଚାଷୀଙ୍କୁ ଖରିଫ୍ ଋତୁରେ ବିହନ ଯୋଗାଇ ଦିଆଯିବ । ବତ୍ତର୍ମାନ ସୁଦ୍ଧା ମାତ୍ର ୭୦ଟି ସମବାୟ ସମିତି ଓ ୨୪ ଜଣ ଘରୋଇ ଡିଲର କୃଷି ବିଭାଗ ନିକଟରୁ ବିହନ କିଣିଛନ୍ତି । କିନ୍ତୁ ଅନ୍ୟ ଡିଲର ଏବଂ ସୋସାଇଟଗୁଡିକ ଏହି ପ୍ରକ୍ରିୟାରେ ସାମିଲ ହୋଇ ନଥିବାରୁ ସରକାରୀ ଧାନ ବିହନ ଯୋଗାଣରେ ଅନ୍ୟମିତା ଦେଖାଦେଇଛି । ଧାନ ବିହନ ଅଭାବ ସାଙ୍ଗକୁ ନିଅଣ୍ଟିଆ ବର୍ଷା ପାଇଁ ଚଳିତ ବର୍ଷ ଜିଲ୍ଲାରେ ଖରିଫ ଧାନ ଚାଷରେ ବିଳମ୍ୱ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଜିଲ୍ଲା କୃଷି ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ଜିଲ୍ଲାରେ 1 ଲକ୍ଷ 34 ହେକ୍ଟର ଜମିରେ ଧାନ ରୁଆ ପାଇଁ ଲକ୍ଷ ରଖାଯାଇଛି, ଜୁନ ମାସ ସୁଦ୍ଧା 4 ହଜାର 704 କ୍ୱିଣ୍ଟାଲ ଧାନ ବିହନ ବିକ୍ରି ହୋଇଛି । ସେଥିମଧ୍ୟରୁ ନୟାଗଡ଼ ବ୍ଲକରେ 172 କ୍ବିଣ୍ଟାଲ ଧାନ ବିହନ ଏବଂ 11 କ୍ବିଣ୍ଟାଲ ଧନିଚା ବିହନ ବିକ୍ରି ହୋଇଛି । ଓଡ଼ଗାଁରେ 830 କ୍ବିଣ୍ଟାଲ ଧାନ ଓ 17 କ୍ବିଣ୍ଟାଲ ଧନିଚା, ରଣପୁରରେ 366 କ୍ବିଣ୍ଟାଲ ଧାନ ଓ 37 କ୍ବିଣ୍ଟାଲ ଧନିଚା ଏବଂ ଖଣ୍ଡପଡ଼ାରେ 183 କ୍ବିଣ୍ଟାଲ୍ ଧାନ ଓ 36 କ୍ବିଣ୍ଟାଲ୍ ଧନିଚା, ଭାପୁରରେ 346 କ୍ବିଣ୍ଟାଲ୍ ଧାନ ଓ 3 କ୍ବିଣ୍ଟାଲ ଧନିଚା, ଦଶପଲ୍ଲାରେ 204 କ୍ବିଣ୍ଟାଲ ଧାନ ଓ 26 କ୍ବିଣ୍ଟାଲ ଧନିଚା, ନୂଆଗାଁରେ କେବଳ 468 କ୍ବିଣ୍ଟାଲ ଓ 11 କ୍ବିଣ୍ଟାଲ ଧନିଚା ବିହନ ସୋସାଇଟ ଏବଂ ଡିଲର ମାଧ୍ୟମରେ ବିକ୍ରି ହୋଇଛି ।

ଜୁଲାଇ ପର୍ଯ୍ୟନ୍ତ ଏହି ବିହନ ବିକ୍ରି ପ୍ରକ୍ରିୟା ଚାଲୁ ରହିବ । ଏବେ ଚାଷୀଙ୍କ ପାଇଁ 10ଟି କିସମର ବିହନ ଯୋଗାଇ ଦିଆଯାଉଛି । ସେଗୁଡିକ ହେଲା ୧୦୦୧, ମସୁରୀ, ପୂଜା, ୧୦୭୫, ସ୍ବର୍ଣ୍ଣ ସବ୍‌-୧. ମୃଣାଳିନୀ, କଳାଚମ୍ପା, ହସନ୍ତ, ଶାରଳା ଓ ୧୧୫୩ ଉପଲବ୍ଧ ରହିଛି । ପୂର୍ବରୁ ୨୦ କେଜି ବସ୍ତାରେ ଏହି ବିହନ ବିକ୍ରି ହେଉଥିଲା । ମାତ୍ର ଚଳିତ ବର୍ଷ ୧୦ କେଜି ବସ୍ତାରେ ଏହି ବିହନ ବିକ୍ରି କରାଯାଉଛି । ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବିଳମ୍ୱ ହୋଇଥିବାରୁ ଧୀରେ ଧୀରେ ଡିଲର‌ମାନେ ବିହନ କିଣୁଛନ୍ତି । ଯେଉଁ ବ୍ଲକ୍‌ରେ ଯେତେ ଆବଶ୍ୟକତା ରହିଛି, ସେତିକି ପରିମାଣରେ ବିହନ ଯୋଗାଇ ଦିଆଗଲେ ଚାଷୀମାନେ ଆଦୌ ହଇରାଣ ହେବେ ନାହିଁ । ଯେଉଁ ସମିତି ଓ ଡିଲରମାନେ ଏ ପର୍ଯ୍ୟନ୍ତ ବିହନ ନେଇନାହାନ୍ତି, ସେମାନେ ଆସନ୍ତା ସପ୍ତାହ ସୁଦ୍ଧା ଧାନ ବିହନ ଉଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି । ଜିଲ୍ଲାରେ ଧାନ ବିହନର ଅଭାବ ନଥିବା ସେ ସୂଚନା ଦେଇଛନ୍ତି । ନିଅଣ୍ଟିଆ ବର୍ଷା ଚଳିତ ବର୍ଷ ଖରିଫ ଧାନ ଚାଷ କାର୍ଯ୍ୟ ବିଳମ୍ବ ଦେଖାଦେଇଥିବା ବେଳେ, ସେପଟେ ବର୍ଷା ପରେ ଚାଷ କାର୍ଯ୍ୟକୁ ଆଗେଇ ନେବା ପାଇଁ ଚାଷୀଙ୍କୁ ଆବଶ୍ୟକ ମୁତାବକ ସୁଲଭ ମୂଲ୍ୟରେ ଧାନ ବିହନ ଯୋଗାଇ ଦେବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details