ଭୁବନେଶ୍ବର:ସ୍ବେଚ୍ଛାକୃତ ଅବସର ବା ଭିଆରଏସ ନେଇଛନ୍ତି ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ ଅଧିକାରୀ ସଞ୍ଜୟ କୁମାର ସିଂହ । ସଞ୍ଜୟ କୁମାର ସିଂହଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ମଞ୍ଜୁର କରିଛନ୍ତି ଓଡିଶା ସରକାରଙ୍କ ଗୃହ ବିଭାଗ । 1996 ବ୍ୟାଚର ଅଫିସର ସଞ୍ଜୟ କୁମାର ସିଂହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି ଡିଜି ଭାବେ ଦାୟିତ୍ବରେ ଥିଲେ । ତେବେ ସଞ୍ଜୟ କାହିଁକି ଭିଆରଏସ ନେଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।
1996 ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ସଞ୍ଜୟ କୁମାର ସିଂହଙ୍କୁ ଭିଆରଏସ ପାଇଁ ଅନୁମତି ମିଳିଛି । ଗତ ଫେବ୍ରୁଆରୀ 29 ତାରିଖରେ ସଞ୍ଜୟ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ସଞ୍ଜୟଙ୍କ ଭିଆରଏସ ଆବେଦନକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି ଓଡ଼ିଶା ସରକାର । 3 ମାସର ବାଧ୍ୟତାମୂଳକ ନୋଟିସ ପିରିୟଡକୁ ମଧ୍ୟ ରାଜ୍ୟ ସରକାର ଛାଡ଼ କରିଛନ୍ତି । ସେ ଅବସରକାଳୀନ ସମସ୍ତ ସୁବିଧା ପାଇବେ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସଞ୍ଜୟ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।
ଏହା ବି ପଢନ୍ତୁ- ଭିଆରଏସ ନେଲେ ବି ରାଧିକା, ଆଇପିଏସ ସ୍ତରରେ ଅଦଳବଦଳ
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି ଡିଜି ଭାବେ ଦାୟିତ୍ୱରେ ଥିଲେ । ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୀୟନ ଖାଁଙ୍କ ବିରୋଧରେ ଆସିଥିବା ନାର୍କୋଟିକ୍ସ ମାମଲାର ତଦନ୍ତ ପ୍ରକ୍ରିୟାରେ ମଧ୍ୟ ସେ ସାମିଲ ଥିଲେ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି ଡିଜି ପୂର୍ବରୁ ସେ ସିବିଆଇରେ ମଧ୍ୟ ଥିଲେ । ସିବିଆଇରେ ଡିଆଇଜି ରାଙ୍କରେ ଥିବାବେଳେ ସେ ଅନେକ ହାଇପ୍ରୋଫାଇଲ କେସର ଦାୟିତ୍ବ ତାଙ୍କୁ ମିଳିଥିଲା । ସଞ୍ଜୟ ୨୦୨୧ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସଞ୍ଜୟ ସିଂହ ଓଡ଼ିଶା ପୋଲିସର ବିଭିନ୍ନ ପଦପଦବୀ ଓ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି । ଡେପୁଟେସନରେ ଯିବା ପୂର୍ବରୁ ସେ ଟ୍ଵିନ ସିଟି କମିଶନରେଟ ପୋଲିସର ଅତିରିକ୍ତ କମିଶନର ଭାବେ କାର୍ଯ୍ୟ କରିଛନ୍ତି । 1965 ମସିହାରେ ବିହାରରେ ଜନ୍ମିତ ସଞ୍ଜୟ 1996ରେ ଆଇପିଏସ ପାଇଥିଲେ । 59 ବର୍ଷୀୟ ସଞ୍ଜୟ 27 ବର୍ଷ ହେଲା ବିଭିନ୍ନ ପଦପଦବୀରେ ରହି ଆସିଛନ୍ତି ।
ସୂଚନା ଥାଉ କି ଚଳିତ ବର୍ଷ ଫେବୃଆରୀ ପହିଲାରେ ବରିଷ୍ଠ ପୋଲିସ ଅଧିକାରୀ ବି ରାଧିକା ସ୍ବେଚ୍ଛାକୃତ ଅବସର ନେଇଥିଲେ । କେନ୍ଦ୍ରୀୟ ଡେପୁଟେସନରୁ ଫେରି 2023 ନଭେମ୍ବର ୨୮ ତାରିଖରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର