ଭୁବନେଶ୍ବର:2024 ନିର୍ବାଚନ ପରଠୁ ବିବାଦୀୟ ହୋଇଥିବା IPS ଆଶିଷ ସିଂକୁ ନେଇ ବଢୁଛି ଅଡୁଆ ପରିସ୍ଥିତି । କାରଣ ଗୋଟିଏ ପଟେ ଖୋଜୁଛି ଗୃହ ବିଭାଗ କିନ୍ତୁ ଅନ୍ୟପଟେ ଡ୍ୟୁଟିରେ ଥିବା କହୁଛନ୍ତି ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ । ଏହାରି ଭିତରେ ଗୋଟିଏ ବିଭାଗର ଜଣେ ଆଇପିଏସଙ୍କ ଉପରେ ଅନ୍ୟ ଏକ ବିଭାଗର ଏଭଳି ଦୃଷ୍ଟିକୋଣ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ରାଜ୍ୟର ଜଣେ ଜଣାଶୁଣା ଆଇପିଏସଙ୍କ କିଭଳି ଖୋଜ ଖବର ପାଉନି ରାଜ୍ୟ ଗୁଇନ୍ଦା ବା ଗୃହ ବିଭାଗ ତାକୁ ନେଇ ଉଠିଛି ପ୍ରଶ୍ନ ।
ଗତ ୨୭ ତାରିଖରେ ଗୃହ ବିଭାଗ ଅତିରିକ୍ତ ସଚିବ ମୁରଲିଧର ମଲ୍ଲିକ ଏନେଇ ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀକୁ ଏକ ଚିଠି କରିଥିଲେ । ଯେଉଁଥିରେ ଆଇପିଏସ ଆଶିଷ ସିଂ ସମ୍ପର୍କରେ ଗୃହ ବିଭାଗ ଜାଣିବାକୁ ଚାହିଁଥିବା ଉଲ୍ଲେଖ ରହିଥିଲା । ଆଇପିଏସ ଆଶିଷ ସିଂ ମାସକ ପାଇ ଛୁଟିରେ ଯିବା ପରଠୁ କାର୍ଯ୍ୟରେ ଯୋଗ ଦେଇଛନ୍ତି କି ନାହିଁ ସେ ସମ୍ପର୍କରେ ଗୃହ ବିଭାଗ ଜାଣିବାକୁ ଚାହୁଁଥିଲା । ତେବେ ଏନେଇ ପୋଲିସ ଡିଜି ଆଜି ଉତ୍ତର ରଖିଛନ୍ତି ।
ପୋଲିସ ଡିଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଆଇପିଏସ ଆଶିଷ ସିଂକୁ ସରକାର ଗତ ମେ 4ରୁ ଜୁନ ୨ତାରିଖ ପର୍ଯ୍ୟନ୍ତ ମାସେ ପାଇଁ ଛୁଟି ମଞ୍ଜୁର କରିଥିଲେ । ତାଙ୍କ ଛୁଟି ସରିବା ପରେ ଜୁନ ୩ ତାରିଖ ଠାରୁ କାର୍ଯ୍ୟରେ ଯୋଗଦେଇଛନ୍ତି । ଇଣ୍ଟେଲିଜେନ୍ସ ଅଫିସରେ ତାଙ୍କର ଅଫିସ ଅଛି ସେ ତାଙ୍କ ଅଫିସରେ କାମ କରୁଛନ୍ତି । ତାଙ୍କର ଜଏନିଂ ରିପୋର୍ଟ ଇଣ୍ଟେଲିଜେନ୍ସ ଡାଇରେକ୍ଟରରୁ ଆମ ଅଫିସକୁ ଆସିଥିବ । ଏହା ଏକ ସାଧାରଣ ପ୍ରକ୍ରିୟା । ଏନେଇ ଆମ ଅଫିସରୁ ହୋମ ଡିପାର୍ଟମେଣ୍ଟକୁ ରିପୋର୍ଟ ଯାଏ । ମୋ ନଜରରେ ନୁହେଁ ତଳ ସ୍ତରରେ ଏହା ରିପୋର୍ଟ ଦିଆଯାଏ । ରିପୋର୍ଟ କିଭଳି ଯାଇନାହିଁ ସେ ନେଇ ମୁଁ ଦେଖିବି ।"
ଏହା ବି ପଢନ୍ତୁ- କେଉଁଠି ଅଛନ୍ତି IPS ଆଶିଷ ସିଂ ? ଚିଠି ଲେଖି ଖୋଜୁଛି ଗୃହ ବିଭାଗ