ପୁରୀ:ମହଙ୍ଗା ପଡ଼ିଲା ମାଟ୍ରିକ ପରୀକ୍ଷାରେ ଜଣେ ଛାତ୍ରୀଙ୍କଠାରୁ ମୋବାଇଲ ଫୋନ୍ ମିଳିବା ଘଟଣା । ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଓ ପରୀକ୍ଷା ନିରୀକ୍ଷକଙ୍କ ବିରୋଧରେ ନିଆଗଲା କଡ଼ା କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଓ ପରୀକ୍ଷା ନିରୀକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ଓ ୨ ଜଣ ଇନ୍ଭିଜିଲେଟରଙ୍କୁ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵଜିତ ଘୋଷ ନିଲମ୍ବିତ କରିଛନ୍ତି ।
ସୂଚନା ଅନୁସାରେ, ମାଟ୍ରିକ ପରୀକ୍ଷାରେ ଜଣେ ଛାତ୍ରୀ ମୋବାଇଲ ଫୋନ୍ ନେବା ଘଟଣା ସାମନାକୁ ଆସିଥିଲା । ଯାହା ଜଣା ପଡ଼ିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି । ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତକାଲି (ବୁଧବାର) ନିମାପଡ଼ା ବ୍ଲକ ଚାରିଛକ ଅନ୍ନପୂର୍ଣ୍ଣା ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରକୁ ସ୍ଵତନ୍ତ୍ର ଯାଞ୍ଚ ପାଇଁ ଯାଇଥିଲେ ସ୍ବତନ୍ତ୍ର ସ୍କ୍ବାଡ୍ । ଯାଞ୍ଚ ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର ଜଣେ ଛାତ୍ରୀଙ୍କଠାରୁ ଏକ ମୋବାଇଲ୍ ଜବତ କରିଥିଲେ । ଏଣୁ କାର୍ଯ୍ୟରେ ଅବହେଳା କରିଥିବାରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ତଥା ଅନ୍ନପୂର୍ଣ୍ଣା ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ୍ତ ଚନ୍ଦ୍ର ସାହୁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
ସେହିଭଳି ଭିଲିଗ୍ରାମ ନୋଡାଲ ହାଇସ୍କୁଲର ଇନ୍ଭିଜିଲେଟର ଦାୟିତ୍ଵରେ ଥିବା ଶିକ୍ଷୟିତ୍ରୀ ସଂଘମିତ୍ରା ଦୀକ୍ଷିତ ଓ ସୁଜାତା ସାହୁଙ୍କୁ ନିଲମ୍ବିତ କରାଯାଇଛି। ୩ ଜଣଙ୍କୁ ନିମାପଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ପରୀକ୍ଷାର୍ଥୀଙ୍କୁ ଚେକିଂ ଦାୟିତ୍ବରେ ଥିବା ଠାକୁରପାଟଣାର ରତ୍ନପୀର ବିଦ୍ୟାନିକେତନର ଇତିଶ୍ରୀ ଷଢ଼ଙ୍ଗୀ ଓ ରେଘାଳ ପଞ୍ଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ ବସନ୍ତ ମହାନ୍ତିଙ୍କୁ ମଧ୍ୟ ପରୀକ୍ଷା ପରିଚାଳନା କାର୍ଯ୍ୟରୁ ବିଦା କରାଯାଇଛି ।