ବ୍ରହ୍ମପୁର: ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଦେଶର ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଏକ ମାତ୍ର ମଞ୍ଚ ଉପସ୍ଥାପକ ଦମ୍ପତି ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବ୍ରହ୍ମପୁରର ହୃଷିକେଶ ଓ ସୁଦୀପ୍ତା ପାଣିଗ୍ରାହୀ । ନିଜନ ସ୍ବତନ୍ତ୍ରଶୈଳୀ ମାଧ୍ୟମରେ ଦେଶରେ ଦୀର୍ଘ ବର୍ଷ ଧରି ଉପସ୍ଥାପକ ଦମ୍ପତି ଭାବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭାରତର ପ୍ରଥମ ଉପସ୍ଥାପକ ଦମ୍ପତି ଭାବରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି ।
ଉପସ୍ଥାପକ ଦମ୍ପତି ହୃଷିକେଶ ଓ ସୁଦୀପ୍ତା:
ରାଜ୍ୟର କୌଣସି ଜିଲ୍ଲାର ମହୋତ୍ସବ ହେଉ କି ଜାତୀୟ ସ୍ତରର ମହୋତ୍ସବ । ସବୁ ମଞ୍ଚରେ ନିଜର ସୁନ୍ଦର ଉପସ୍ଥାପନା ପାଇଁ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ଜାଗା କରିଛନ୍ତି ଏହି ଦମ୍ପତି । ଏହି ଦମ୍ପତି ହେଉଛନ୍ତି ବ୍ରହ୍ମପୁର ସହରର ହୃଷିକେଶ ପାଣିଗ୍ରାହୀ ଓ ତାଙ୍କ ଧର୍ମପତ୍ନୀ ସୁଦୀପ୍ତା ପାଣିଗ୍ରାହୀ । କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ ମଞ୍ଚରେ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ଅତ୍ୟନ୍ତ ସୁନ୍ଦର ଭାବରେ ଦର୍ଶକଙ୍କ ମନକୁ ଛୁଇଁବା ଭଳି ଗୋଟିଏ ପରେ ଗୋଟିଏ ଉପସ୍ଥାପନା କରି ଚାଲିଥାନ୍ତି ଉଭୟ ହୃଷିକେଶ ଓ ସୁଦୀପ୍ତା । ମଞ୍ଚରେ କାର୍ଯ୍ୟକ୍ରମର ସଂଯୋଜନା କରିବା ସମୟରେ ଗୋଟିଏ ପଟେ ହୃଷିକେଶ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ମହାପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ନେଇ ନିଜର ବିଷୟରେ ଉପସ୍ଥାପନା କରିଥାନ୍ତି । ଅନ୍ୟପଟେ ତାଙ୍କ ସହିତ ତାଳ ଦେଇ ସେହି ମଞ୍ଚରେ ସେହି ସମାନ ବିଷୟ ବସ୍ତୁକୁ ତୁରନ୍ତ ଇଂରାଜୀ ଶଦ୍ଦ ସଂଯୋଜନାରେ ଉପସ୍ଥିତ ଦର୍ଶକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିବାରେ ସହାୟକ ହୋଇଥାନ୍ତି ସୁଦୀପ୍ତା ।
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କରିଛନ୍ତି ଉପସ୍ଥାପନା:
ଏହି ଦମ୍ପତି ବିଗତ ୩୦ ବର୍ଷ ଧରି ନିଜର ସ୍ବତନ୍ତ୍ର ଉପସ୍ଥାପନା ଶୈଳୀ ମାଧ୍ୟମରେ ଗୋଟିଏ ପରେ ଗୋଟିଏ ମଞ୍ଚରେ ସଫଳତାର ସହ ଉପସ୍ଥାପନା କରିଆସୁଛନ୍ତି । ବର୍ତ୍ତମାନ ସାରା ଦେଶରେ ଦୀର୍ଘ ବର୍ଷ ଧରି ଉପସ୍ଥାପନା କରିଆସୁଥିବା ଏକମାତ୍ର ଉପସ୍ଥାପକ ଦମ୍ପତି ଭାବରେ ସ୍ବତନ୍ତ୍ର ସ୍ଥାନ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ଏହାକୁ ନେଇ ଉଭୟ ଖୁସି ପ୍ରକାଶ କରିଛନ୍ତି । ମଞ୍ଚ ଉପସ୍ଥାପନା କଳା ପାଇଁ ପ୍ରମାଣ ପତ୍ର ପାଇବାରେ ଏହି ଦମ୍ପତି ହେଉଛନ୍ତି ପ୍ରଥମ ଭାରତୀୟ । ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଓ ଖ୍ୟାତିସମ୍ପନ୍ନ ଗୁରୁ ତଥା କଳାକାର ସମେତ ଦେଶର ପ୍ରମୁଖ ବ୍ୟକ୍ତିତ୍ବଙ୍କ ସମ୍ମୁଖରେ ନିଜର ସ୍ବତନ୍ତ୍ରଶୈଳୀରେ ଉପସ୍ଥାପନା କରି ଦମ୍ପତି ବହୁ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି । ହେଲେ ଏଭଳି ସ୍ବତନ୍ତ୍ର ରେକର୍ଡ ଅଧିକାରୀ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇବା ସହିତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି ।