ଓଡିଶା

odisha

ପୁରୀ ସମୁଦ୍ରରେ ଯୁଦ୍ଧଜାହାଜ: ଏଥର ଜଗନ୍ନାଥ ଧାମରେ ଶକ୍ତି ପ୍ରଦର୍ଶନ କରିବ ନୌସେନା - Navy Day preparation 2024

By ETV Bharat Odisha Team

Published : Aug 10, 2024, 7:40 PM IST

Navy Day preparation 2024 In Puri: ଚଳିତ ବର୍ଷ ପୁରୀ ବେଳାଭୂମିରେ ପାଳିତ ହେବ ନୌସେନା ଦିବସ । ପୁରୀରେ ପହଞ୍ଚିଲା ବହୁ ସଂଖ୍ୟକ ଜଳ ଜାହାଜ । ପୁରୀ ସମୁଦ୍ରତଟରେ ସ୍ଥିତି ଅନୁଧ୍ୟାନ ସହ ମହାପ୍ରଭୁଙ୍କ ଶରଣରେ ପଶିଲେ ଭାରତୀୟ ନୌସେନା ଅଧିକାରୀ । ଅଧିକ ପଢନ୍ତୁ

Navy Day preparation 2024
Navy Day preparation 2024 (ETV Bharat Odisha)

ପୁରୀ: ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ସମୁଦ୍ର ଉପକୂଳରେ ଅନୁଷ୍ଠିତ ହେବାକୁ ଯାଉଛି ନୌସେନା ଦିବସ । ଯୁଦ୍ଧର ବିଭିନ୍ନ କଳା କୌଶଳ ଦେଖିବେ ଦେଶବାସୀ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ଏହି ଅବସରରେ ପୁରୀ ସମୁଦ୍ର ଉପକୂଳରେ ପହଞ୍ଚିଛି ଭାରତୀୟ ନୌସେନାର ଏକାଧିକ ଯୁଦ୍ଧ ଜାହାଜ । ପୁରୀ ବେଳାଭୂମିରେ ନୌସେନା ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ଲାଗି ଅନୁଷ୍ଠିତ ହେଉଥିବାରୁ ଏହା ରାଜ୍ୟ ପାଇଁ ଗୌରବର ବିଷୟ । ପୁରୀ ଜିଲ୍ଲା ପ୍ରଶାସନ ନୌସେନାକୁ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁ ।

ଆସୁଛି ନୌସେନା ଦିବସ (ETV Bharat Odisha)

ପୁରୀରେ ଶକ୍ତି ପ୍ରଦର୍ଶନ କରିବ ନୌସେନା:-

ଭାରତୀୟ ନୌସେନା ଅଧିକାରୀ ବୀରଜ ଚୌଧୁରୀ କହିଛନ୍ତି, "ଭାରତୀୟ ନୌସେନାର ବିଭିନ୍ନ ଜାହାଜ ଏଠାରେ ରହି ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିବେ । ବାୟୁସେନାର ବିଭିନ୍ନ ଯୁଦ୍ଧ ବିମାନ ଏୟାର ଶୋ' କରିବା ସହ କମାଣ୍ଡୋମାନେ ମଧ୍ୟ ଏହି ଅବସରରେ ବିଭିନ୍ନ ଯୁଦ୍ଧର କଳା କୌଶଳ ପ୍ରଦର୍ଶନ କରିବେ । ଭାରତୀୟ ନୌସେନା ନିଜର ପରାକାଷ୍ଠା ପ୍ରଦର୍ଶନ କରିବ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସ୍ଥିର ହୋଇଥିବା ବେଳେ ସାଧାରଣ ଲୋକମାନେ ସମୁଦ୍ର କୂଳରେ ଉପସ୍ଥିତ ରହି ନୌସେନା ଦିବସରେ ବିଭିନ୍ନ କଳା କୌଶଳ ଦେଖି ଅଭିଜ୍ଞତା ହାସଲ କରିପାରିବେ । ତେବେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀ ସମୁଦ୍ର ତଟକୁ ସରସ୍ଵତୀ, ଜଲାସ୍ବା, ସନ୍ଧାୟକ ଭଳି ୫ଟି ଯୁଦ୍ଧ ଜାହାଜ ଆସି ସର୍ଭେ ଆରମ୍ଭ କରିଛନ୍ତି ।

ପୁରୀରେ ନୌସେନା ଦିବସ ପାଳନ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା (ETV Bharat Odisha)

ନିଆରା ଅନୁଭୂତି ପାଇବେ ଓଡ଼ିଶାବାସୀ:-

ସମୁଦ୍ରର କେଉଁ ଅଞ୍ଚଳରେ କେତେ ଗଭୀରତା ରହିଛି, କେଉଁ ସ୍ଥାନରେ କେଉଁ ଜାହାଜ ଅବସ୍ଥାନ କରିପାରିବ ସେ ନେଇ ମଧ୍ୟ ପରୀକ୍ଷା ନିରୀକ୍ଷା ଚାଲିଛି । ତେଣୁ ଏଥର ଓଡ଼ିଶାବାସୀ ପୁରୀ ସମୁଦ୍ର କୂଳରେ ଏକ ନିଆରା ଅନୁଭୂତି ପାଇବେ ବୋଲି କହିଛନ୍ତି ଭାରତୀୟ ନୌସେନାର ଅଧିକାରୀ । ଆଗାମୀ ଡିସେମ୍ବର ୪ ତାରିଖରେ ଓଡ଼ିଶା ବାସୀ ଭାରତୀୟ ନୌସେନାର କଳା କୌଶଳ ଦେଖିବା ସହ ଏକ ନୂଆ ଅନୁଭୂତି ପାଇବେ ବୋଲି ନୌସେନା ଅଧିକାରୀ କହିଥିବା ବେଳେ ପର୍ଯ୍ୟଟକମାନେ ମଧ୍ୟ ଏହି ଯୁଦ୍ଧ ଜାହାଜ ଦେଖି ବେଶ ଉତ୍ସାହିତ ହୋଇପଡିଛନ୍ତି ।

ପୁରୀ ସମୁଦ୍ରରେ ଯୁଦ୍ଧଜାହାଜ (ETV Bharat Odisha)

ପୁରୀ ଉପକୂଳରେ ପହଞ୍ଚିଲା ଯୁଦ୍ଧ ଜାହାଜ:-

ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳିତ ହୋଇ ଆସୁଥିବା ବେଳେ ନୌସେନା ପକ୍ଷରୁ ୧୯୪୪ ମସିହାଠାରୁ ଏହି ଦିବସ ପାଳିତ ହୋଇଆସୁଛି । ପୂର୍ବରୁ ଏହି ସ୍ବତନ୍ତ୍ର ଦିବସ ବମ୍ବେ, ବିଶାଖାପାଟଣା ଭଳି ବଡ଼ ବଡ଼ ସହରର ସମୁଦ୍ର କୂଳରେ ପାଳିତ ହୋଇ ଆସୁଥିଲା । ତେବେ ଚଳିତ ବର୍ଷ ପୁରୀ ସମୁଦ୍ର ତଟରେ ଏହି ଦିବସ ପାଳନ କରିବାକୁ ନୌସେନା ନିଷ୍ପତ୍ତି ନେଇଛି । ଏଥିପାଇଁ ବହୁ ସଂଖ୍ୟାରେ ଜଳ ଜାହାଜ ପୁରୀ ଉପକୂଳକୁ ଆସିବ । ନୌସେନା ଦିବସ ପାଳନ ଅବସରରେ ଏହି ଜାହାଜ କଳା କୌଶଳ ପ୍ରଦର୍ଶନ କରିବ । ପୂର୍ବରୁ ପୁରୀ ଉପକୂଳରେ ବାୟୁସେନା ପକ୍ଷରୁ ଏୟାର ସୋ' ପ୍ରଦର୍ଶିତ ହୋଇସାରିଥିବା ବେଳେ ଏବେ ନୌସେନା ତାଙ୍କ ବୀରତ୍ବର କଳାକୌଶଳ ପ୍ରଦର୍ଶନ କରିବା ପାଇଁ ପୁରୀ ଉପକୂଳକୁ ମନୋନୀତ କରିଛନ୍ତି । ପୁରୀକୁ ଆସିଥିବା ଜାହାଜଗୁଡ଼ିକରେ ନୌସେନା ଅଧିକାରୀ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ପୁରୀ ସମୁଦ୍ରରେ ଯୁଦ୍ଧଜାହାଜ (ETV Bharat Odisha)

ମହାପ୍ରଭୁଙ୍କ ଶରଣରେ ନୌସେନା:-

ପୁରୀରେ ନୌସେନା ଦିବସ ପାଳନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ତେବେ ଏହାକୁ ସଫଳ କରିବା ପାଇଁ ମହାପ୍ରଭୁଙ୍କ ପାଖରେ ଶରଣାପନ୍ନ ହୋଇଛି ନୌସେନା । ନୌସେନାର ବରିଷ୍ଠ ଅଧିକାରୀ ତଥା ଆଡମିରାଲ ଦିନେଶ କେ ତ୍ରିପାଠୀ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଏହି କାର୍ଯ୍ୟକ୍ରମ କିଭଳି ସଫଳ ହୋଇପାରିବ ସେନେଇ ମହାପ୍ରଭୁଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ନୌସେନାକୁ ସମ୍ପୂର୍ଣ୍ଣ ସହଯୋଗ କରିବ ଜିଲ୍ଲା ପ୍ରଶାସନ:-

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, "ଆସନ୍ତା ଡିସେମ୍ବର 4 ତାରିଖରେ ନୌସେନା ଦିବସ ଅବସରରେ ପୁରୀ ସମୁଦ୍ର ତଟରେ ଏକ ସ୍ଵତନ୍ତ୍ର କାର୍ଯକ୍ରମ ଅନୁଷ୍ଠିତ ହେବ । ପୁରୀ ଓ ଓଡ଼ିଶାବାସୀ ଏହାକୁ ଦେଖିବେ । ଏହା ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ । ଯାହାକି ଆମ ପାଇଁ ଗର୍ବର ବିଷୟ । ଏହା ବିଶାଖାପାଟଣା, ଭାଇଜାଗରେ ଅନୁଷ୍ଠିତ ହୋଇଥାଏ । ଏଣୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯାହା ଆବଶ୍ୟକ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସହଯୋଗ କରାଯିବ । ତେବେ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେବେକି ନାହିଁ ତାହାର କୌଣସି ସୂଚନା ଆମ ପାଖକୁ ଆସିନାହିଁ । ନୌସେନା ପକ୍ଷରୁ ଏ ନେଇ ସୂଚନା ଦିଆଯିବ ।"

ଏହା ବି ପଢନ୍ତୁ- ଲଢେଇ ପାଇଁ ମଇଦାନରେ ୧୩୮୯ ଅଗ୍ନିବୀର, ନୌସେନାର ଫୋକସରେ ତଟ ସୁରକ୍ଷା

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details