ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଗାମୀ 4 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ନେଇ ଆଜି 10ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି ।
ପ୍ରବଳରୁ ଅତି ପ୍ରବଳ ବର୍ଷା ୱାର୍ଣ୍ଣିଂ:
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଉତ୍ତର ଓଡିଶାରେ ରହିବ । ଲଘୁଚାପ ଅଧିକ ଘନୀଭୂତ ହୋଇ 2 ଦିନ ଭିତରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଉପକୂଳରେ ପହଞ୍ଚିବ । ଫଳରେ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ । ତେବେ ଆଜି କଟକ, ସୋନପୁର, ବରଗଡ଼, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଆଦି 10ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଗାମୀ 30 ତାରିଖ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟ ଧରଣ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ରହିବ । ସେପଟେ 31 ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇଁ । ବିଶେଷ କରି ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ । ଲଘୁଚାପକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯିବା ସହ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।