ଭୁବନେଶ୍ବର: ରାଜ୍ୟରେ ଆହୁରି କମିବ ତାପମାତ୍ରା । ବଢିବ ଶୀତର ପ୍ରକୋପ । ନଭେମ୍ବର ତୃତୀୟ ସପ୍ତାହରୁ ଶୀତ ଅନୁଭବ ହେଉଛି । ଡିସେମ୍ବର ଓ ଜାନୁଆରୀରେ ଅଧିକ ଶୀତ ପଡ଼ିବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ କିଛି ଦିନ ଯାଏଁ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାକୁ ନଥିବା ବେଳେ କିଛି ସ୍ଥାନରେ ଆଗାମୀ ୪୮ ଘଣ୍ଟା ଭିତରେ ୧ରୁ ୨ ଡିଗ୍ରୀ ଯାଏଁ ତାପମାତ୍ରା କମିବାର ସମ୍ଭାବନା ରହିଛି । ସେହିପରି ଆଗାମୀ ୩ ଦିନ ଯାଏଁ କିଛି କିଛି ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବାକୁ ଥିବା ବେଳେ ସତର୍କ ସୂଚନା ଜାରି କରାଯାଇଛି ।
ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ:
ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ୫ରୁ ୭ ଦିନ ଯାଏଁ ତାପମାତ୍ରାରେ ସେଭଳି କିଛି ବଡ଼ ପରିବର୍ତ୍ତନ ଘଟିବ ନାହିଁ । ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ସାଧାରଣ ରହିଛି । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ହେବା ସହ ଅନ୍ୟ ଅଞ୍ଚଳରେ ବର୍ତ୍ତମାନ ଶୀତ ଅନୁଭବ ହେଉଛି । ଆଗକୁ ତାପମାତ୍ରା ହ୍ରାସ ସହ ରାଜ୍ୟରେ ଶୀତ ପଡିବ । ଆର୍ଦ୍ରତାର ମାତ୍ରା କମିଲେ ତାପମାତ୍ରା ହ୍ରାସ ପାଇବ । ସେହିପରି ଡିସେମ୍ବର ଓ ଜାନୁଆରୀ ମାସରେ ଶୀତର ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।