ଦେବଗଡ଼: ରେଙ୍ଗାଲି ଜଳଭଣ୍ଡାର ତଟରେ ଘୁରିବୁଲୁଛି ଅସୁସ୍ଥ ଦନ୍ତାହାତୀ । ହାତୀଟିର ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବା ଜଣା ପଡ଼ିଛି । ଅସୁସ୍ଥ ହାତୀଟି ଚଳପ୍ରଚଳ କରିନପାରି ଅଧିକାଂଶ ସମୟ ପାଣିରେ ବିତାଉଥିବା ଦେଖିବାକୁ ମିଳିଛି । ଏହି ଅସୁସ୍ଥ ଦନ୍ତାଟିକୁ ଦିନରାତି ଜଗିରହି ଚିକିତ୍ସା କରିବାରେ ବନବିଭାଗ କର୍ମଚାରୀ ନାକେଦମ ହୋଇଗଲେଣି । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ଅଧିନ ଧିରମୁଣ୍ଡା ଗ୍ରାମ ନିକଟସ୍ଥ ରେଙ୍ଗାଲି ଜଳଭଣ୍ଡାରରେ ।
ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ପଳସମା ସେକ୍ସନ ଅନ୍ତର୍ଗତ ଧିରମୁଣ୍ଡା ଗ୍ରାମ ନିକଟସ୍ଥ ରେଙ୍ଗାଲି ଜଳଭଣ୍ଡାର ତଟରେ ସାତଦିନ ହେଲା ଏକ ଅସୁସ୍ଥ ହାତୀକୁ ଠାବ କରିଛି ବନ ବିଭାଗ । ଏହି ହାତୀଟି ଅନୁଗୋଳ ଜିଲ୍ଲା କାଣିହାଁ ରେଞ୍ଜ ପଟୁ ଦେବଗଡ଼ ଜିଲ୍ଲାକୁ ଚାଲି ଆସିଥିବା ଜଣାପଡ଼ିଛି । ତେବେ ହାତୀଟି ଅସୁସ୍ଥ ଥିବାବେଳେ ବିଶେଷ ଭାବେ ଚଳ ପ୍ରଚଳ କରିପାରୁନାହିଁ । ଅଧିକାଂଶ ସମୟ ଜଳଭଣ୍ଡାରରେ ବିତାଉଥିବା ଦେଖାଯାଇଛି ।
ଏହି ହାତୀଟିର ମୁଣ୍ଡରେ ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । କୌଣସି ହାତୀ ତସ୍କର ଦ୍ୱାରା ଗୁଳି କିମ୍ବା ଧନୁତୀରରେ ଦନ୍ତାଟିକୁ ଆକ୍ରମଣ କରାଯାଇଥିବା ବେଳେ ସେ ପ୍ରାଣ ବିକଳରେ ଜଳଭଣ୍ଡାରକୁ ଚାଲି ଆସିଥିବା ଅନୁମାନ କରାଯାଉଛି । ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧାମଜି ରାଓଙ୍କ ନିର୍ଦ୍ଦେଶ କ୍ରମେ ରିଆମାଳ ରେଞ୍ଜ ଅଧିକାରୀ ତାଙ୍କ ଟିମ ନେଇ ହାତୀଟିକୁ ଟ୍ରାଙ୍କୁଲାଇଜର ସାହାଯ୍ୟରେ ମେଡ଼ିସିନ ଦେଇ ଚିକିତ୍ସା ଜାରି ରଖିଛନ୍ତି । କୌଣସି ହାତୀ ତସ୍କରଙ୍କ ହାବୁଡ଼ରେ ଯେପରି ଅସୁସ୍ଥ ହାତୀଟି ନପଡ଼େ ସେଥିପାଇଁ ବନ ବିଭାଗ ସେଠାରେ କ୍ୟାମ୍ପ ପକାଇ ଦିବାରାତ୍ର ଜଗି ରହିଛନ୍ତି ଏବଂ ହାତୀର ଗତିବିଧିକୁ ଅନୁଧ୍ୟାନ କରୁଛନ୍ତି । ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅସୁସ୍ଥ ହାତୀଟିର ସ୍ୱାସ୍ଥ୍ୟବସ୍ଥାରେ ପୂର୍ବ ତୁଳନାରେ ଉନ୍ନତି ପରିଲକ୍ଷିତ ହୋଇଛି ।