ବରଗଡ: ଆନ୍ଦୋଳନରତ ଚିନିକଳ କର୍ମଚାରୀଙ୍କୁ ମିଳିବ 76 ମାସର ବକେୟା ଦରମା । ଏନେଇ ପ୍ରତିଶ୍ରୁତି ଦେଲା ବରଗଡଜିଲ୍ଲା ପ୍ରଶାସନ । ଦୀର୍ଘ ୪୫ ଦିନ ଧରି ଧାରଣାରେ ବସିଥିବା ଚିନିକଳ କର୍ମଚାରୀଙ୍କୁ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ମିଳିବା ପରେ ମୁଖ୍ୟମନ୍ତ୍ରୀ ଓ ବରଗଡ଼ ବିଧାୟକଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି । ବିଳମ୍ବରେ ହେଲେ ମଧ୍ୟ ସରକାର ଚିନିକଳ କର୍ମଚାରୀଙ୍କ ଦୁଃଖ ବୁଝିଲେ । ସମସ୍ତ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ଦୋଳନକାରୀ କର୍ମଚାରୀମାନେ କୃତଜ୍ଞତା ଜଣାଇଛନ୍ତି ।
କ୍ଷତିରେ ଚାଲିବାରୁ 2017 ମସିହାରୁ ବନ୍ଦ ହୋଇ ପଡିରହିଥିଲା ବରଗଡର ଚିନି କାରଖାନା । ଚିନିକଳର ପୁନଃଉଦ୍ଧାର ପାଇଁ ବ୍ୟାପକ ଆନ୍ଦୋଳନ ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା ଏବଂ ଶତାଧିକ ଚିନିକଳ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ କୁହାଯାଇଥିଲା । ମାତ୍ର ଚିନିକଳକୁ ବିଧିବଦ୍ଧ ଭାବରେ ସଂପୂର୍ଣ୍ଣ ବନ୍ଦ କରାନଯାଇ କର୍ମଚାରୀମାନଙ୍କ ଦୀର୍ଘ ମାସର ଦରମା ପ୍ରଦାନ କରାଯାଇନଥିଲା । ତେବେ ଅନେକ କର୍ମଚାରୀ ଲଗାତାର ଦାବି ଉପସ୍ଥାପନ ସହିତ ଆନ୍ଦୋଳନ କରିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରିନଥିଲା । ଏପରି ଭାବେ ଦୀର୍ଘ 6 ବର୍ଷ ବିତିଯାଇଥିଲା ଏବଂ ଶେଷରେ ଏହି ଚିନିକଳ ସହିତ ଏଠାକାର ଜମିକୁ ରାଜ୍ୟ ସରକାର ଏକ ଘରୋଇ କମ୍ପାନୀ ଇଡ଼କୋକୁ ବିକ୍ରି କରିଦେଇଥିଲେ ।
ଇଡ଼କୋ କମ୍ପାନୀ ଏହି ଚିନିକଳକୁ କ୍ରୟ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି । ଏହି ଚିନିକଳର ସମୁଦାୟ ୧୦୩.୨୧ ଏକର ଜମି ରହିଥିବା ବେଳେ ସେଥିମଧ୍ୟରୁ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି । ଜମିର ମାଲିକାନା କାଗଜପତ୍ର ଚିନିକଳ ନାମରେ ନଥିବାରୁ ବାକିତକ ଜମିର ମାଲିକାନା ଚିନିକଳ ନାମରେ ହେବାପରେ ଇଡକୋକୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।