ନିମାପଡ଼ା: ପୁରୀ ଜିଲ୍ଲା ପିପିଲିରେ ଦଳିତଙ୍କ ମେଳି ରାଜନୈତିକ ପାଣିପାଗରେ ଭରିଛି ଉଷ୍ମତା । ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ଜିଲ୍ଲାର ଦଳିତ ବର୍ଗ । ପିପିଲି ବ୍ଲକର ରିପଦେଇପୁର, ତେଇସିପୁର, ରଥ ପୁରୁଷୋତ୍ତମପୁର ଏବଂ ପୁବା ପଞ୍ଚାୟତ ଆଦିର ଦୁଇ ଶହରୁ ଊର୍ଦ୍ଧ୍ବ ପରିବାର ଆନ୍ଦୋଳନରେ ନିଜକୁ ସାମିଲ କରି ଭୋଟ ବର୍ଜନ କରିବାର ଧମକ ଦେଇଛନ୍ତି । ତେବେ ସରକାର ମିଛ ପ୍ରତିଶ୍ରୁତି ଦେଇ ସେମାନଙ୍କ ଠାରୁ ଭୋଟ ହାତଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ନିଜର ଅଭିଯୋଗ ଜଣାଇଛନ୍ତି ।
ଆଗରୁ ମଧ୍ୟ ପୁରୀ ଜିଲ୍ଲାରେ ଅନେକ ଥର ବିଭିନ୍ନ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି । ଗ୍ରାମକୁ ପକ୍କା ରାସ୍ତା, ସ୍ବାସ୍ଥ୍ୟସେବା ଏବଂ ପାନୀୟ ଜଳ ଯୋଗାଣ ପରି ଅନେକ ସମସ୍ୟା ନେଇ ବହୁବାର ଲୋକେ ସରକାରଙ୍କ ଦ୍ବାରସ୍ତ ହୋଇ ନିରାଶ ହୋଇଛନ୍ତି । ରାଜଧାନୀ ଠାରୁ ଅଳ୍ପ ଦୂରରେ ଥିବା ଅଞ୍ଚଳର ଯଦି ଏହିଭଳି ଅବସ୍ଥା ତେବେ ଦୂରରେ ଥିବା ଜିଲ୍ଲାର କଥା ତ ନକହିବା ଭଲ । ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ‘‘ନେତାମାନେ କେବଳ ମିଛ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ଜାଣିଛନ୍ତି । ଆଉ ନିର୍ବାଚନ ସରିଲା ପରେ ପ୍ରତାରଣା କରୁଛନ୍ତି । ଏବେ ଆମେ ଆଉ ତାଙ୍କ ମିଛ ଅଭିନୟରେ ଆସିବୁନି । ଆମକୁ ଆମର ହକ୍ ଦରକାର । ହକ୍ ନମିଳିଲେ ଭୋଟ ବର୍ଜନ କରିବୁ ।’’
ଏହି ଆନ୍ଦୋଳନକାରୀ ମହିଳାମାନଙ୍କ ମଧ୍ୟରେ ଅନେକଙ୍କ ପକ୍କା ଘର ନଥିବାବେଳେ ରାସନ କାର୍ଡ, ଭତ୍ତା ମିଳୁନଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏହି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳ ନମିଳିବାରୁ ସେମାନେ ଏହିଭଳି ଆନ୍ଦୋଳନ ପନ୍ଥା ଅବଲମ୍ବନ କରିଥିବା କହିଛନ୍ତି ।