କଟକ: ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଫୌଜଦାରୀ ମାମଲା ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ହାଇକୋର୍ଟ । ବିଶେଷକରି ଏହି ମାମଲାର ତ୍ୱରିତ ଶୁଣାଣିକୁ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । କୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ସମୟ ଲୋଡ଼ିଥିଲେ । ଜାନୁଆରୀ ୧୧ର ନିର୍ଦ୍ଦେଶ ପାଳନ ପାଇଁ ସରକାର କୋର୍ଟଙ୍କୁ ସମୟ ମାଗିଥିଲେ । ତେବେ କୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି ।
କ'ଣ ଏହି ଜାନୁଆରୀ ୧୧ର ନିର୍ଦ୍ଦେଶ:
ଜାନୁଆରୀ ୧୧ରେ ମାମଲାର ଶୁଣାଣି ସମୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୪୨୩ଟି ମାମଲା ରାଜ୍ୟର ବିଭିନ୍ନ ଅଦାଲତରେ ବିଚାରାଧୀନ ଥିବା ସ୍ପଷ୍ଟ ହୋଇଥିଲା । ୨୦୨୩, ଡିସେମ୍ବର ୩୧ ଶେଷ ସୁଦ୍ଧା ମିଳିଥିବା ତଥ୍ୟରୁ ଏହି ସଂଖ୍ୟା ଜଣାପଡ଼ିଥିଲା । ପ୍ରାଥମିକତା ଭିତ୍ତିରେ ଏହି ମାମଲାଗୁଡ଼ିକର ତ୍ବରିତ ଫୈସଲା କରିବା ପାଇଁ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରସଙ୍ଗରେ କ'ଣ ପଦକ୍ଷେପ ଗ୍ରହଣ କରାଯାଉଛି ସେନେଇ ସତ୍ୟପାଠ ଦାଖଲ କରିବାକୁ ସରକାରୀ ଓକିଲଙ୍କୁ ଜାନୁଆରୀ ୧୧ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
କ'ଣ ଏହି ମାମଲା:
ସୁପ୍ରିମକୋର୍ଟ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର’ ମାମଲାର ଶୁଣାଣି କରି ୨୦୨୩, ନଭେମ୍ବର ୯ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଆଧାରରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକର ତ୍ବରିତ ଫୈସଲା ପ୍ରସଙ୍ଗ ତଦାରଖ ପାଇଁ ହାଇକୋର୍ଟ ନିଜ ଆଡୁ ଏହି ମାମଲା ରୁଜୁ କରିଥିଲେ । ଗତ ଡିସେମ୍ବର ୧୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ସାଂସଦ ଓ ବିଧାୟକଙ୍କ ବିରୋଧରେ ନୂଆ କରି ରୁଜୁ ହେଉଥିବା ମାମଲା, ଫୈସଲା ହେଉଥିବା ମାମଲା ଓ ବିଚାରାଧୀନ ମାମଲାର ତଥ୍ୟ ପ୍ରତି ମାସର ୩ ତାରିଖ ସୁଦ୍ଧା ଦାଖଲ ପାଇଁ ସବୁ ଜିଲ୍ଲା ଜଜ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୃତ୍ୟୁଦଣ୍ଡ ଓ ଆଜୀବନ କାରାଦଣ୍ଡ ସଂପର୍କିତ ମାମଲାଗୁଡ଼ିକୁ ପ୍ରଥମେ ପ୍ରାଥମିକତା ଦିଆଯିବ । ଏହାପରେ ୫ ବର୍ଷ ବା ତା' ଠାରୁ ଅଧିକ ଜେଲଦଣ୍ଡ ଥିବା ମାମଲା ଓ ତା' ପରେ ଅନ୍ୟ ମାମଲାଗୁଡ଼ିକର ଶୁଣାଣି କରାଯିବ ।
ଏହା ମଧ୍ୟ ପଢନ୍ତୁ:ପେଟ୍ ସିଟି ସ୍କାନ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ