କଟକ:ରାଜ୍ୟ ମହିଳା କମିସନ ସଦସ୍ୟଙ୍କୁ ବରଖାସ୍ତ ପ୍ରସଙ୍ଗରେ ଜାରି ହୋଇଥିବା ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ରୁଜୁ ମାମଲାକୁ କୋର୍ଟ ଗ୍ରହଣ କରିଛନ୍ତି । ଏଥିସହ ମାମଲାର ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚଲିତମାସ (ନଭେମ୍ବର)୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହି ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହିଳା କମିଶନ ସଦସ୍ୟା ।
- 10 ଦିନ ମଧ୍ୟରେ ଉତ୍ତର ରଖିବେ ରାଜ୍ୟ ସରକାର
ତେବେ ଏହି ମାମଲାରେ ମହିଳା ଓ ଶିଶୁ ବକାଶ ବିଭାଗ ପ୍ରମୁଖ ସଚିବ, ସ୍ବତନ୍ତ୍ର ସଚିବ, ମହିଳା କମିସନ ଆବାହକ-ସଚିବଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ୧୦ ଦିନ ଭିତରେ ରାଜ୍ୟ ସରକାର ଏହି ମାମଲାରେ ଜବାବ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଆବେଦନକାରୀ ଚାହିଁଲେ ଏକ ସପ୍ତାହ ଭିତରେ ପ୍ରତିଜବାବ ଦାଖଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଏଥି ସହିତ ନଭେମ୍ବର ୯ର ବିଜ୍ଞପ୍ତି ଉପରେ ରହିତାଦେଶ ଜାରି ପାଇଁ ଆବେଦନକାରୀଙ୍କ ତରଫରୁ ଦାୟର ଅନ୍ତରୀଣ ଆବେଦନ ଉପରେ ମଧ୍ୟ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଡିସେମ୍ବର ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜୟ ବରୱା, ସ୍ବର୍ଣ୍ଣଲତା ସାମଲ ଓ ବବିତା ସ୍ବାଇଁଙ୍କ ତରଫରୁ ଦାୟର ପୃଥକ ଆବେଦନଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
- ଦାୟର ହୋଇଥିଲା ତିନୋଟ ପୃଥକ ମାମଲା:-
ମହିଳା ଓ ଶିଶୁ ବିକାଶ ବିଭାଗ ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ୨୦୨୪, ନଭେମ୍ବର ୯ରେ ମହିଳା କମିସନ ସଦସ୍ୟଙ୍କୁ ବରଖାସ୍ତ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏ ନେଇ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ତିନୋଟି ପୃଥକ ମାମଲା ଦାୟର ହୋଇଛି । ସମସ୍ତ ମାମଲାରେ ନଭେମ୍ବର ୯ର ବିଜ୍ଞପ୍ତି ବେଆଇନ ବୋଲି ଦର୍ଶାଯିବା ସହିତ ଏହାକୁ ରଦ୍ଦ କରିବାକୁ ନିବେଦନ କରାଯାଇଛି । ଆବେଦନରେ ଦର୍ଶାଯାଇଛି ଯେ ଆବେଦନକାରୀମାନଙ୍କୁ ମହିଳା କମିସନ ସଦସ୍ୟ ଭାବେ ୨୦୨୩, ଏପ୍ରିଲ ୨୮ରେ ନିଯୁକ୍ତି ଦିଆଯାଇଥିଲା । ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ସଦସ୍ୟଙ୍କ କାର୍ଯ୍ୟକାଳ ୩ ବର୍ଷ ବୋଲି ସ୍ପଷ୍ଟ କରାଯାଇଥିଲା । ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖରେ ମହିଳା କମିସନଙ୍କ ନିକଟରେ ୫୦୧୭ ବିଚାରାଧୀନ ମାମଲା ରହିଥିଲା । ଦୁଇ ବର୍ଷ ଭିତରେ ୪୧୯୭ ନୂଆ ମାମଲା ରୁଜୁ ହୋଇଥିବା ବେଳେ କମିସନ ୬୪୦୫ ଟି ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ୨୭୫୯ ଟି ବିଚାରାଧୀନ ମାମଲା ରହିଥିଲା । ମହିଳା କମିସନ ସଦସ୍ୟ ଭାବେ କାର୍ଯ୍ୟକାଳ ଭିତରେ ଆବେଦନକାରୀ ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ, ତାଲିମ ଶିବିର, ସେମିନାର, ୱାର୍କସପ୍, ଜେଲ, ଡାକ୍ତରଖାନା ପରିଦର୍ଶନ ଭଳି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥିଲେ ।