କୋରାପୁଟ:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଦିନ ତମାମ ବର୍ଷା ଲାଗି ରହିଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ, ସାଲୁର, ଛତିଶଗଡର ଜଗଦଲପୁର ଆଦି ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଏହାର ପ୍ରଭାବ କୋରାପୁଟ ଜିଲ୍ଲାରେ ବି ଦେଖିବାକୁ ମିଳିଛି । ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ରାସ୍ତା ଘାଟ ସବୁଠି ଲହଡି ଭାଙ୍ଗୁଛି ବର୍ଷା ଜଳ । ଅନ୍ୟପଟେ ଜିଲ୍ଲାର ଲମତାପୁଟରେ ଥିବା ମାଛକୁଣ୍ଡ ପାୱାର ହାଉସରେ ପସି ଯାଇଛି ବର୍ଷା ଜଳ । ଫଳରେ ବିଦ୍ୟୁତ ଉତ୍ପାଦନ ବନ୍ଦ ରଖାଯାଇଛି ।
ମାଛକୁଣ୍ଡରେ ବନ୍ଦ ହେଲା ବିଦ୍ୟୁତ୍ ଉତ୍ପାଦନ:
ପ୍ରବଳ ବର୍ଷା ଫଳରେ ଲମତାପୁଟରେ ଥିବା ମାଛକୁଣ୍ଡ ପାୱାର ହାଉସରେ ବର୍ଷା ଜଳ ପସିଯାଇଛି । ଫଳରେ ଏଠାରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରଖାଯାଇଛି । ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହେବା ପରେ ବିଦ୍ୟୁତ୍ ସେବା ବ୍ୟାହତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ଲଗାଣ ବର୍ଷା ଯୋଗୁଁ ଜଲାପୁଟ ଜଳଭଣ୍ଡାରର ଜଳସ୍ତର ଲଗାତାର ବୃଦ୍ଧି ପାଇବାରେ ଲାଗିଛି l ଏନେଇ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ସହକାରୀ ଯନ୍ତ୍ରୀ କୁରେଶୁ ପ୍ରଧାନକହିଛନ୍ତି,‘ଡ୍ୟାମର କ୍ଷମତା 2750 ଫୁଟ ରହିଥିବା ବେଳେ ଡ୍ୟାମର 5ଟି ଗେଟ ଦେଇ 45 ହଜାର କ୍ୟୁସେକ ଜଳ ଛଡା ଯାଉଛି l ତଥାପି ଡ୍ୟାମରେ ଜଳସ୍ତର କମିବା ପରିବର୍ତ୍ତେ 2749.60 ଫୁଟ ରହିଛି l ସେହି ପାଣି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର D.ଡ୍ୟାମରେ ପହଞ୍ଚି ଜଳସ୍ତର ବଢ଼ିବାରୁ 4ଟି ଗେଟ ଖୋଲାଯାଇ 33 ହଜାର କ୍ୟୁସେକ ପାଣି ଛଡାଯାଉଛି l ଫଳରେ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରେ ବନ୍ୟାଜଳ ପ୍ରବେଶ ପରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ପ୍ରକଳ୍ପର ଦୁଇ ନମ୍ବର ୟୁନିଟ ଏବଂ 5 ନମ୍ବର ୟୁନିଟରେ ନବୀକରଣ ଚାଲିଥିବା ବେଳେ ଏଥିରେ ପାଣି ପଶି ଯିବାରୁ ମଟର ଯୋଗେ ପାଣି ନିଷ୍କାସନ ଉଦ୍ୟମ କରାଯାଇଥିଲା l କିନ୍ତୁ ଜଳଭଣ୍ଡାର ଉପରେ ଜଳସ୍ତର ବଢ଼ିବାରୁ ବିଦ୍ୟୁତ ପ୍ରକଳ୍ପକୁ ପାଣି ପଶି ଯିବାରୁ ଟରବାଇନ ଗୁଡିକ ସର୍ଟସର୍କିଟ ଆଶଙ୍କା କରି ଏବଂ ବିଭନ୍ନ ଯନ୍ତ୍ର ଗୁଡି଼କ ପାଣିମଗ୍ନ ହୋଇଯିବାରୁ ସମ୍ପୂର୍ଣ ବିଦ୍ୟୁତ ଉତ୍ପାଦନ ବନ୍ଦ କରାଯାଇଛି l ପ୍ରକଳ୍ପ ବନ୍ଦ ହେବା ପରେ ଘଣ୍ଟା ପ୍ରତି 80 ମେଗା ୱାଟ ବିଦ୍ୟୁତ କ୍ଷତି ସହିବା ଆରମ୍ଭ ହୋଇଛି । ଟରବାଇନ ଗୁଡିକରେ ପାଣି ପଶିଯାଇ ଲୁବ୍ରିକେଣ୍ଟ ସବୁ ନଷ୍ଟ ହୋଇଯିବା ଫଳରେ ପ୍ରକଳ୍ପ କେବେ ଚାଲିବ କହିବା କଷ୍ଟସାଧ୍ୟ ।
ଏହା ମଧ୍ୟ ପଢନ୍ତୁ:Odisha Heavy Rain: ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା, ୬ ଜିଲ୍ଲାରେ ୱେଲୋ ୱାର୍ଣ୍ଣିଂ, ଆଲର୍ଟରେ
ବର୍ଷାରେ ବେହାଲ କୋରାପୁଟ:
ଗତକାଲି(ରବିବାର) ପରି ଆଜି ବି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାରେ ଆଜି 925.2 ମିଲିମିଟର ଓ ହାରାହାରି 66.09 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା କହିଛନ୍ତି ଜିଲ୍ଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ । ପାଣିପାଗ ବିଭାଗ ପକ୍ଷରୁ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଫଳରେ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଗତକାଲି(ରବିବାର) ସକାଳ ୮ଟାରୁ ଆଜି(ସୋମବାର) ସକାଳ ୮ଟା ଯାଏଁ ଜିଲ୍ଲାର ବୈପାରୀଗୁଡା ବ୍ଲକରେ 198 ମିମି, ଲମତାପୁଟ ବ୍ଲକରେ 132.0 ମିମି ସର୍ବାଧିକ ବର୍ଷା ହୋଇଛି। ବନ୍ଧୁଗାଁ ଓ ଲକ୍ଷ୍ମୀପୁର ବ୍ଲକରେ ବର୍ଷା କମିଛି । ସେହିପରି କୋରାପୁଟ ବ୍ଲକରେ 69.6 ମିମି ବର୍ଷା ହୋଇଛି।
ଏହା ମଧ୍ୟ ପଢନ୍ତୁ:Odisha Rain: ରାଜ୍ୟରେ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ରେଡ୍ ଆଲର୍ଟ, ବାହ୍ୟ ଜଗତରୁ ବିଛିନ୍ନ ମାଲକାନଗିରି