ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ଉପର ମୁହାଁ ପାରଦ, ଚିନ୍ତା ବଢାଉଛି ଅଘୋଷିତ ବିଦ୍ୟୁତ୍‌ କାଟ - Balangir Temperature - BALANGIR TEMPERATURE

Heat Wave In Balangir: ପ୍ରଚଣ୍ଡ ଖରା ଗୁଳୁଗୁଳି ସାଙ୍ଗକୁ ବିଜୁଳି କାଟ ଓ ପାଣି ସମସ୍ୟାରେ ସନ୍ତୁଳିତ ବଲାଙ୍ଗୀରବାସୀ । ଅଧିକ ପଢ଼ନ୍ତୁ

Heat Wave In Balangir
Heat Wave In Balangir (ETV Bharat Odisha)

By ETV Bharat Odisha Team

Published : May 29, 2024, 10:24 PM IST

ବଲାଙ୍ଗୀର: ରାଜ୍ୟରେ ଉପର ମୁହାଁ ପାରଦ । ଗତ ତିନି ଦିନ ହେବ ବଲାଙ୍ଗୀରରେ କଲବଲ କରୁଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ସକାଳୁ ଅସହ୍ୟ ଖରା ସାଙ୍ଗକୁ ଗରମ ଝାଞ୍ଜି ପବନ ପାଇଁ ଅଘୋଷିତ କର୍ଫ୍ୟୁ ଭଳି ସ୍ଥିତି । ରାତିରେ ମଧ୍ୟ ଗରମରୁ ମିଳୁନି ତ୍ରାହି । ଏଭଳି ସ୍ଥିତି ଆହୁରି ତିନିରୁ ଚାରି ଦିନ ରହିବାର ପୂର୍ବାନୁମାନ ଲୋକଙ୍କ ଚିନ୍ତା ବଢ଼ାଇଛି । ସମଗ୍ର ବଲାଙ୍ଗୀର ଜିଲ୍ଲାରେ ଗତ ତିନି ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନ ଯାପନକୁ ଖୁବ ପ୍ରଭାବିତ କରିଛି ।

Heat Wave In Balangir (ETV Bharat Odisha)

ବଲାଙ୍ଗୀର ସମେତ ଟିଟିଲାଗଡ, ପାଟଣାଗଡ଼, କଣ୍ଟାବାଞ୍ଜି, ଲୋଇସିଂହା ଆଦି ଅଞ୍ଚଳରେ ପାରଦ ଉପର ମୁହାଁ ଥିବାବେଳେ 45 ଡିଗ୍ରୀ ତାପମାତ୍ରା ବିଭିନ୍ନ ସ୍ଥାନରେ ରେକର୍ଡ କରାଯାଇଛି । ସକାଳ ଦଶଟା ପରେ ଏଠି ରାସ୍ତାଘାଟ ସବୁ ଖାଁ ଖାଁ ରହୁଛି । ସେହିପରି ଦିନ ବେଳା ମଧ୍ୟ ଟାଣ ଖରା ସାଙ୍ଗକୁ ଗରମ ଝାଞ୍ଜି ପବନ ଯୋଗୁଁ ଏଠି ଅଘୋଷିତ କର୍ଫ୍ୟୁ ଭଳି ସ୍ଥିତି ଦେଖିବାକୁ ମିଳିଛି । ଏଥିରେ ମଣିଷ ସହ ଜୀବଜନ୍ତୁ ମଧ୍ୟ କଲବଲ ହେଉଛନ୍ତି । ରାତିରେ ମଧ୍ୟ ଏଠି ଗରମରୁ ତ୍ରାହି ମିଳୁନାହିଁ । ଏହା ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍ କାଟ ଓ ପାଣି ସମସ୍ୟା ଏହି ସମସ୍ୟାକୁ ଆହୁରି ଦ୍ଵିଗୁଣିତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ.. ରାଜ୍ୟକୁ ଲେଉଟିଛି ତାତି, ସ୍ଥିତି ଆହୁରି ହେବ ସାଙ୍ଘାତିକ - Odisha Weather

ବଲାଙ୍ଗୀରର ବାସିନ୍ଦା ପ୍ରତାପ ରଥ କହିଛନ୍ତି, ‘ଏଥର ଭଳି ଗରମ ସେମାନେ କେବେ ଅନୁଭବ କରି ନଥିଲେ । ଏଠି ସକାଳୁ ଟାଣ ଖରା ସାଙ୍ଗକୁ ଗରମ ଝାଞ୍ଜି ପବନରେ ସମସ୍ତେ ସିଝୁଛନ୍ତି । ଏପରିକି ଏହା ପାଇଁ ସବୁ ଦୋକାନ ବଜାର ମଧ୍ୟ ବନ୍ଦ ରହୁଛି ଏବଂ ଲୋକ ଜରୁରୀ କାମ ନହେଲେ ଘରୁ ବାହାରୁ ନାହାନ୍ତି ।’ ସେହିପରି ଗରମ ସାଙ୍ଗକୁ ଘନ ଘନ ବିଦ୍ୟୁତ୍ କାଟ ଓ ପାଣି ସମସ୍ୟା ଏହାକୁ ଦ୍ଵିଗୁଣିତ କରୁଥିବାର ସେ କହିଛନ୍ତି ।

ସେପଟେ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କତା ଜାରି କରିଛି । ବଲାଙ୍ଗୀର ଜରୁରୀ କାଳୀନ ଅଧିକାରିଣୀ ସସ୍ମିତା ପ୍ରଧାନ କହିଛନ୍ତି, ‘ବିଗତ ତିନି ଦିନ ହେବ ଏଠି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଯେଉଁଥିରେ ପାରଦ ବିଭିନ୍ନ ସ୍ଥାନରେ 45 ଡିଗ୍ରୀ ରହିଛି । ସେହିପରି ଆଗକୁ ପାରଦ ବଢ଼ିବାର ସମ୍ଭାବନା ରହିଛି । ତେଣୁ ସମସ୍ତେ ସାବଧାନତା ଅବଲମ୍ବନ କରିବାକୁ ପଡିବ ।’ ସେହିପରି ପ୍ରଶାସନ ପକ୍ଷରୁ ସବୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୌଣସି ପରିସ୍ଥିତି ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା କହିବା ସହ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୌଣସି ଅଂଶୁଘାତ ଜନିତ ମୃତ୍ୟୁ ହୋଇ ନଥିବାର ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details