ଭୁବନେଶ୍ୱର:ଆସୁଛି ବର୍ଷା ଋତୁ । ହେଲେ ଏବେଠାରୁ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ମଶାଜନିତ ରୋଗ ଏବଂ ଜଳବାହିତ ରୋଗ । ବିଶେଷ ଭାବରେ ରାଜ୍ୟରେ ଡାଇରିଆ ସ୍ଥିତି ସାଙ୍ଘାତିକ ହେବାକୁ ଲାଗିଲାଣି । ଏଥିସହ ସେପଟେ ବର୍ଷା ଦିନରେ ମଶା ବଂଶ ବିସ୍ତାର କରୁଥିବା ବେଳେ ମଶାଜନିତ ରୋଗ ଯଥା: ମ୍ୟାଲେରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗ ମଧ୍ୟ ହେବା ସମ୍ଭାବନା ରହିଛି । ଏପରି ପରିସ୍ଥିତିରେ ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଥିବା ବେଳେ ଲୋକଙ୍କୁ ଅଧିକରୁ ଅଧିକା ସଚେତନତା କରାଯିବା ନେଇ ଅନେକ ବ୍ୟବସ୍ଥା କରାଯାଉଛି ।
Waterborne Diseases In Odisha (ETV Bharat Odisha)
ବର୍ଷା ପୂର୍ବରୁ ବ୍ୟାପିଲାଣି ଡାଇରିଆ
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗାଁରେ ଝାଡ଼ାବାନ୍ତି (ଡାଇରିଆ)ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ୨୮ ବର୍ଷୀୟ ଗୋପାଳ କାଣ୍ଡାମାକା । ସେହିପରି ଗାଁର କାଦୁଲୁ କାଣ୍ଡାମାକାଙ୍କ ମୁନିଗୁଡା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଥିବାବେଳେ ଆଉ ତିନିଜଣ ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନେ ହେଲେ କୁମାରୀ ମାଣ୍ଡିକା (୪୦), ମିଲନ ମାଣ୍ଡିକା (୧୮), କବିତା ଶବର ( ୧୨) ।
ସଚେତନ କରୁଛି ସ୍ୱାସ୍ଥ୍ୟ ବିଭାଗ
ଡାଇରିଆ ବ୍ୟାପୁଥିବା ଆଖପାଖ ଗାଁରୁ ପାଣି ସାମ୍ପୁଲ ନିଆଯାଇଛି । ଏହାର ରିପୋର୍ଟ ଆସିନି । ଗାଁ ଗାଁ ବୁଲୁଛି ସ୍ୱାସ୍ଥ୍ୟ ଟିମ । କେଉଁ ଉତ୍ସରୁ ପାଣି ଦୂଷିତ ହେଲା, ତାକୁ ଖୋଜା ଯାଉଛି । ସେହିପରି କୋରାପୁଟ ଜିଲ୍ଲା ସେମିଲିଗୁଡାରେ ଗତକାଲି ୩୪ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ ଅଛି । ୧୧ ସାମ୍ପୁଲ ସଂଗ୍ରହ କରାଯାଇଛି । ପାଣି ଦୂଷିତ ହେବାର ସନ୍ଦେହ କରାଯାଉଛି । ଆଗକୁ ବର୍ଷା ଦିନ ଆସୁଛି । ପାଣିର ଉତ୍ସ ଯେମିତି ଦୂଷିତ ନହୁଏ, ପଦକ୍ଷେପ ନିଆଯିବ । ବ୍ଲିଚିଂ ବ୍ୟବହାର କରାଯିବ । ସେପଟେ ଝାଡ଼ାବାନ୍ତି (ଡାଇରିଆ)ରେ ଆକ୍ରାନ୍ତ ହେଲେ ORS ସଠିକ ଭାବରେ ପିଇବା ସହ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।
ବ୍ୟାପିଲାଣି ମ୍ୟାଲେରିଆ
ଶୀତ, କମ୍ପ ସହିତ ଜ୍ବର ହେବା, ବାତ ମାରିବା, ବାନ୍ତି ହେବା ସାଙ୍ଗକୁ ମୁଣ୍ଡ ବିନ୍ଧିବା ଏସବୁ ମ୍ୟାଲେରିଆର ଲକ୍ଷଣ । ଏଭଳି ଲକ୍ଷଣ ଦେଖାେଦଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରି ମ୍ୟାଲେରିଆ ପରୀକ୍ଷା କରାଇ ନେବା ଉଚିତ୍ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଉଛି । ଉଚିତ୍ ସମୟରେ ଓ ସଠିକ୍ ଭାବେ ମ୍ୟାଲେରିଆ ରୋଗୀଙ୍କର ଚିକିତ୍ସା କରାନଗଲେ ରୋଗୀର ମସ୍ତିଷ୍କ, କିଡନୀ, ଯକୃତ ତଥା ଅନ୍ୟାନ୍ୟ ମୁଖ୍ୟ ଅଙ୍ଗ ଉପରେ କୁପ୍ରଭାବ ପକାଇଥାଏ । ସେହିପରି ଗର୍ଭାବସ୍ଥାରେ ମ୍ୟାଲେରିଆର ଠିକ୍ ଚିକିତ୍ସା କରାନଗଲେ ଗର୍ଭପାତ ହେବା ସହିତ ମୃତ ପିଲା ଜନ୍ମ ଓ ପ୍ରସବ ଆଗରୁ ଜନ୍ମ ହେବା ସମସ୍ୟା ଦେଖାଦେଇଥାଏ । ତେଣୁ ମ୍ୟାଲେରିଆ ନିରାକରଣ ନେଇ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି । ସଚେତନତା ସାଙ୍ଗକୁ ମାଗଣା ଔଷଧ ଓ ମଶାରି ବଣ୍ଟନ କାର୍ଯ୍ୟ ଜାରି ରହିଛି ।
ଗତ ୧୦ ବର୍ଷର ବିବରଣୀ ଅନୁସାରେ ରାଜ୍ୟରେ ଏବେ ମ୍ୟାଲେରିଆ ସ୍ଥିତିରେ ସୁଧାର ଆସିଛି । ୨୦୧୪ରୁ ୨୦୨୩ ମଧ୍ୟରେ ରାଜ୍ୟରେ ୭ କୋଟି ୧୦ ଲକ୍ଷ ୪ ହଜାର ୨୧୪ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୧୮ ଲକ୍ଷ୍ୟ ୬୩ ହଜାର ୪୦୮ ଜଣ ମେଲେରିଆରେ ଆକ୍ରାନ୍ତ ହୋଇଛନ୍ତି । ଏହାଛଡା ମ୍ୟାଲେରିଆ ଜନିତ ମୃତ୍ୟୁ ୩୧୩ ରହିଛି । ସେହିପରି ୨୦୧୮ରୁ ମେଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଅଙ୍କୁଶ ଲାଗିପାରିଛି । ୨୦୧୪ରୁ ୨୦୨୩ ସୁଦ୍ଧା ୧୦ ବର୍ଷରେ ପ୍ରାୟ ୯୫ ପ୍ରତିଶତ ମେଲେରିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି । ସେହିପରି ମ୍ୟାଲେରିଆ ଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଇ ୮୬ ପ୍ରତିଶତରେ ରହିଛି ।
ଏହି ଜିଲ୍ଲାରେ ମ୍ୟାଲେରିଆ ରୋଗ ଆଶଙ୍କା
ରାଜ୍ୟରେ ୭ ଜିଲ୍ଲା ଯାହାକି ରାୟଗଡ଼ା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଗଜପତି, ବୌଦ୍ଧ ଏବଂ ମାଲକାନଗିରି ସର୍ବାଧିକ ମ୍ୟାଲେରିଆପ୍ରବଣ ଭାବେ ଶୀର୍ଷରେ ରହିଛି । ସ୍ଥିତିରେ ସୁଧାର ଆଣିବା ପାଇଁ ତୃଣମୂଳସ୍ତରରୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶାକର୍ମୀ ସଚେତନତା କରିବା ସହିତ ଔଷଧ ପ୍ରଦାନ କରୁଛନ୍ତି। ପ୍ରାୟ ୪୮ ହଜାରୁ ଅଧିକ ଆଶାକର୍ମୀ ଘରକୁ ଘର ବୁଲି ସଚେତନ କରିବା ସହ ନିଧି ମଉସା ରଥ ମଧ୍ୟ ଏଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏପରିକି ଦୁର୍ଗମ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମ ଜାରି ରହିଛି । ୨୦୧୭ରେ ଦମନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏପର୍ଯ୍ୟନ୍ତ ୨୦୨୩ ସୁଦ୍ଧା ୩୦ ହଜାର ୬୭୮ ଦମନ ଶିବିର ହୋଇଥିବାବେଳେ ଏହା ଜରିଆରେ ୧ ଲକ୍ଷ ୪୨ ହଜାର ୩୧୭ ମେଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ୨୦୨୪-୨୫ ବର୍ଷ ପାଇଁ ଦେଢ କୋଟି ଔଷଧିୟ ମଶାରି ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରାଜ୍ୟରେ ଏବେଠାରୁ ସାଙ୍ଘାତିକ ହେଲାଣି ଡେଙ୍ଗୁ
ରାଜ୍ୟରେ ମୌସୁମୀ ନଛୁଉଁଣୁ କାୟା ମେଲାଇଲାଣି ଡେଙ୍ଗୁ । ଚଳିତ ବର୍ଷ ଏପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଜଣ ଡେଙ୍ଗୁ ରୋଗୀ । ରାଜ୍ୟରେ ଅନେକ ଜିଲ୍ଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ବରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଡେଙ୍ଗୁ ନେଇ ସତର୍କ ରହିବାକୁ ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସମସ୍ତ CDMOଙ୍କୁ କୁହାଯାଇଛି । ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । ପ୍ଲେଟଲେଟ ଉପଲବ୍ଧ କରିବାକୁ କୁହାଯାଇଛି । ଏନେଇ ହସ୍ପିଟାଲଗୁଡିକୁ ପ୍ରଶିକ୍ଷଣ ମଧ୍ଯ ଦିଆଯାଇଛି ।
ଡେଙ୍ଗୁ ରୋଗୀ ହେଲେଣି ଚିହ୍ନଟ
ଖୋର୍ଦ୍ଧାରୁ ସର୍ବାଧିକ ୬୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୯, ମାଲକାନଗିରି ୧୭, ପୁରୀରୁ ୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସହରରେ ଡେଙ୍ଗୁ ଅଧିକ ହେଉ ଥିବାରୁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି। ଚଳିତ ବର୍ଷ ଏ ଯାଏଁ କୌଣସି ଡେଙ୍ଗୁ ମୃତ୍ୟୁ ହୋଇନି। ରାଜ୍ୟରେ ବିଶେଷ ଭାବରେ ଜୁନ ମାସରୁ ସେପ୍ଟମ୍ବର ମାସ ପର୍ଯ୍ୟନ୍ତ ଡେଙ୍ଗୁ ଅଣାୟତ୍ତ ହୋଇଥାଏ। ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଥିଲେ ହେଁ ଠିକ୍ ସମୟରେ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହୋଇଥାଏ। ତେବେ ଚଳିତ ବର୍ଷ ଯେପରି ସେଭଳି ସମସ୍ୟା ଦେଖାନଦେବ ସେଥିପାଇଁ ଆଗୁଆ ସମୀକ୍ଷା ବୈଠକ କରାଯାଇ ସବୁ ଜିଲାର ସିଡିଏମ୍ଓଙ୍କୁ ନିର୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ୨୦୧୬ ମସିହାରୁ ୨୦୨୪ ମସିହା ଏପ୍ରିଲ ମାସ ପର୍ଯ୍ୟନ୍ତ ଦୀର୍ଘ ୯ ବର୍ଷ ଭିତରେ ୨୦୨୩ ମସିହାରେ ସର୍ବାଧିକ ୧ ଲକ୍ଷ୍ୟ ୬୩ ହଜାର ୮୭୪ ନମୁନା ପରୀକ୍ଷଣ କରାଯାଇଥିଲା। ସେଥିମଧ୍ୟରୁ ୧୨ ହଜାର ୮୪୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ଡେଙ୍ଗୁ ଜନିତ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି। ସେହିପରି ୨୦୨୪ ଜୁନ ସୁଦ୍ଧା ୨୩୫ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏବେ ରାଜ୍ୟର ପୁରୀ, ଖୋର୍ଦ୍ଧା, ବାଲେଶ୍ବର, କଟକ ଓ ଜଗତସିଂହପୁର ଜିଲାରେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏସବୁ ଜିଲାକୁ ସ୍ବାସ୍ଥ୍ୟ ବିଭାଗ ନଜରରେ ରଖିଛି। ରାଜ୍ୟରେ ସରକାରୀ ସ୍ତରରେ ୪୦ ଟି ପରୀକ୍ଷା କେନ୍ଦ୍ରରେ ଡେଙ୍ଗୁ ପରୀକ୍ଷଣ କରାଯାଉଛି। ଆବଶ୍ୟକ ପଡ଼ିଲେ ଅଧିକ ସଂକ୍ରମିତ ସ୍ଥାନରେ ଅଧିକ ପରୀକ୍ଷଣ କେନ୍ଦ୍ର କରାଯିବ।
ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସଚେତନ କରାଯିବା ସହିତ ତୃଣମୂଳସ୍ତରରେ ଆଶାକର୍ମୀ କାର୍ଯ୍ୟ କରୁଛନ୍ତି। ଏହାସହିତ ମହାନଗର ନିଗମ ଏବଂ ଜିଲାୱାରୀ ସମୀକ୍ଷା କରାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି। ସର୍ବାଧିକ ପରୀକ୍ଷା ଦ୍ବାରା ଡେଙ୍ଗୁ ଚିହ୍ନଟ ହେବେ ଏବଂ ଏହାଦ୍ବାରା ଅନ୍ୟମାନେ ସଂକ୍ରମିତ ହେବେ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଶିଶୁ, ଗର୍ଭବତୀ ଏବଂ ବୟୋବୃଦ୍ଧ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଡେଙ୍ଗୁର ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇନେବା ଉଚିତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ବ୍ୟାପୁଛି ଆନ୍ଥରାକ୍ସ
ଗତ ମାସରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଓ ଯଶବନ୍ତପୁରର ଗାଁରୁ ଆନ୍ଥରାକ୍ସ ମାମଲା ଆସିଥିଲା । ପ୍ରଥମ ଗାଁରୁ ଦୁଇଟି ଓ ଅନ୍ୟ ଗାଁରୁ ତିନୋଟି ମାମଲା ଆସିଥିଲା। ହେଲେ ମୋଟ ୧୧ ମାମଲାରୁ ୨ଟି ଆନ୍ଥରାକ୍ସ ରୋଗୀ ଚି଼ହ୍ନଟ ହୋଇଛନ୍ତି । ବାକି ସାମ୍ପୁଲର ରିପୋର୍ଟ ଏପର୍ଯ୍ୟନ୍ତ ଆସିନି । ସେ ସବୁ ଗାଁରେ ଆନ୍ଥରାକ୍ସ ଥିବା ଜନ୍ତୁକୁ ଗାଁ ଲୋକେ ମାରି ଖାଇବାରୁ ଆନ୍ଥରାକ୍ସ ବ୍ୟାପିଥିଲା । ଅନ୍ୟ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । ରାପିଡ଼ ଆକ୍ସନ ଟିମ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି ବୋଲି ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ:ବର୍ଷାଦିନ ପୂର୍ବରୁ ଡରାଇଲାଣି ଡେଙ୍ଗୁ: ୨୩୫ ଆକ୍ରାନ୍ତ ଚିହ୍ନଟ, ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ଇଟିଭି ଭାରତ