କେନ୍ଦ୍ରାପଡା:କେନ୍ଦ୍ରାପଡାରେ ମିଶନ ଶକ୍ତି ବିଭାଗ ବାଟବଣା ଅଭିଯୋଗ ହୋଇଛି । ପୂର୍ବରୁ ଲ୍ୟାପଟପ କିଣାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏବେ ବିଭିନ୍ନ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ଇସି ମେମ୍ବରମାନଙ୍କୁ ଦରମା ଦିଆଯାଇନଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଇସି ମେମ୍ୱର ।
କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ପଞ୍ଚାୟତର ତୁଳସୀକ୍ଷେତ୍ର ମହାସଂଘର କାର୍ଯ୍ୟକାରିଣୀ ସଦସ୍ୟାମାନେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଇସି ସଦସ୍ୟାଙ୍କ କହିବାନୁଯାୟୀ, ପଞ୍ଚାୟତ ମହାସଂଘର ଏମ୍ବିକେ ଅଧିକାରୀଙ୍କ ବିଭିନ୍ନ ମନମୁଖୀ କାର୍ଯ୍ୟ କରୁଛନ୍ତି । ଏନେଇ ବ୍ଲକ ଅଧିକାରିଣୀଙ୍କୁ ଜଣାଇଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯେଉଁଥିପାଇଁ ସେମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ୧୪ ମାସ ହେବ ସେମାନଙ୍କୁ ଦରମା ମିଳିନାହିଁ, ମହାସଂଘର ବୈଠକରେ କୌଣସି ରିଜଲ୍ୟୁସନ ନ ନିଆଯାଇ ସଦସ୍ୟାମାନଙ୍କ ଠାରୁ ଦସ୍ତଖତ ନିଆଯାଉଛି, ମହାସଂଘର ଅଫିସ ଗୃହ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ଟଙ୍କା ଆସିଥିଲେ ମଧ୍ୟ ମିଥ୍ୟା ବିଲ କରି ଟଙ୍କା ଶୋଷଣ କରାଯାଉଛି, ପଞ୍ଚାୟତ ତରଫରୁ ମହାସଂଘର ଅଫିସ କାଗଜ ପତ୍ର ରଖିବା ପାଇଁ ଦିଆଯାଉଥିବା ଆଲମାରୀରେ ଅଫିସ କାଗଜ ପତ୍ର ନ ରଖାଯାଇ ବ୍ୟକ୍ତିଗତ ଘରେ ରଖାଯାଇ ବିଭିନ୍ନ ପ୍ରକାର ଅନିୟମତତା କାର୍ଯ୍ୟ କରାଯାଉଛି ।