ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ରହିଥିଲା ବେଶ ଆକର୍ଷଣୀୟ । ବିଳମ୍ୱିତ ରାତି ପର୍ଯ୍ୟନ୍ତ ମହୋତ୍ସବରେ ଧୁମ ମଚାଇଥିଲେ କଣ୍ଠଶିଳ୍ପୀ ଯୋଡ଼ି ସଚେତ ଓ ପରମ୍ପରା । ଏହାସହ ଓଡ଼ିଆ କଣ୍ଠଶିଳ୍ପୀ ସ୍ବୟଂ ପାଢ଼ୀ ଓ ଦୀପ୍ତିରେଖା ପାଢ଼ୀ ମଧ୍ୟ ଗୀତ ଗାଇ ଦର୍ଶକଙ୍କ ମନମୁଗ୍ଧ କରିଥିଲେ । ମହୋତ୍ସବର ସଂନ୍ଧ୍ୟା ଆନୁଷ୍ଠାନିକ ଭାବରେ ଉଦଘାଟନ ହେବା ପରେ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ ।
ତେବେ ବିଶେଷ କରି ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭବାନୀପାଟଣାରୁ ଆସିଥିବା କଳାକାରଙ୍କ ଦ୍ବାରା ଘୁମୁରା ନୃତ୍ୟ, କାଳୀ ନୃତ୍ୟ ସହ ଆଧୁନିକ ନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିବା ବେଳେ ଏହାରି ମଧ୍ୟରେ ମଞ୍ଚ ଉପରେ ଓଡ଼ିଆ କଣ୍ଠଶିଳ୍ପୀ ସ୍ବୟଂ ପାଢ଼ୀ ଓ ଦୀପ୍ତିରେଖା ପାଢ଼ୀ ବହୁ ଓଡ଼ିଆ ଗୀତ ଗାଇ ଦର୍ଶକଙ୍କୁ ଝୁମାଇଥିଲେ । ଆଉ ଶେଷରେ ମଞ୍ଚକୁ ଆସି ଶୀତୁଆ ରାତିକୁ ଆହୁରି ରଙ୍ଗୀନ କରିଥିଲେ ସୁନାମ ଧନ୍ୟ ବଲିଉଡ଼ କଣ୍ଠଶିଳ୍ପୀ ସଚେତ ଓ ପରମ୍ପରା ଯୋଡ଼ି । ମଞ୍ଚରେ ଏହି ଯୋଡି ବଲିଉଡର ବହୁ ସୁପରହିଟ ସଂଗୀତ ଗାଇବା ସହିତ ନୃତ୍ୟ ପରିବେଷଣ ବେଶ ଆକର୍ଷଣୀୟ ରହିଥିଲା । ମଞ୍ଚ ଉପରେ ସଚେତ-ପରମ୍ପରା ଯୋଡିଙ୍କ ସଂଗୀତ ସହ ନୃତ୍ୟକୁ ନେଇ ଉପସ୍ଥିତ ହଜାର ହଜାର ଦର୍ଶକ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଝୁମିଥିବା ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢ଼ନ୍ତୁ....ଚାଲିଛି ଗୋପାଳପୁର ବେଳାଭୂମି ମହୋତ୍ସବ, ସନମପୁରୀଙ୍କ ଗୀତରେ ଝୁମିଲେ ଦର୍ଶକ