ବ୍ରହ୍ମପୁର: ଚାରି ଦିନ ଧରି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିବା ଗୋପାଳପୁର ବେଳାଭୂମି ମହୋତ୍ସବ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍ଯାପିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରରୁ ପ୍ରତ୍ୟେକ ଦିନ ବହୁ କଳାକାର ଆସି ମଞ୍ଚରେ ଲୋକକଳା, ସଂସ୍କୃତିକୁ ପରିବେଷଣ କରିଥିଲେ । ଶେଷ ସନ୍ଧ୍ୟାରେ ମଧ୍ୟ ଲୋକକଳା ପରିବେଷଣ ପରେ ମେଗାନାଇଟ୍ କାର୍ଯ୍ୟକ୍ରମରେ ବଲିଉଡ଼ କଣ୍ଠଶିଳ୍ପୀ ମିଥୁନ୍ ଶର୍ମା ଓ ଟିମ୍ଙ୍କ ସଂଗୀତ ଉଦଯାପନୀ ସନ୍ଧ୍ୟାକୁ ଆକର୍ଷୀତ କରିଥିଲା ।
ଶେଷ ସନ୍ଧ୍ୟାରେ ବ୍ରହ୍ମପୁର କଳାକାରଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ ପରେ ହିଞ୍ଜିଳିକାଟୁର ନୃତ୍ୟମ କଳା ଗବେଷଣା କେନ୍ଦ୍ର ପକ୍ଷରୁ ନୃତ୍ୟ ପରିବେଷଣ ସହିତ ବ୍ରହ୍ମପୁରର କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ କେତେ ଦୁଃଖ ଦେବୁରେ ଜାଳିଆ ନୃତ୍ୟନାଟିକା ପରିବେଷଣ କରିଥିବା ବେଳେ ଏହା ଦର୍ଶକଙ୍କ ମନକୁ ଛୁଇଁଥିଲା । ସେହିପରି କାର୍ଯ୍ୟକ୍ରମରେ ଗୋପାଳପୁର କଲଚରାଲ୍ ଆସୋସିଏସନ ପକ୍ଷରୁ ଗର୍ବା, ବ୍ରହ୍ମପୁରର ଅନ୍ୱେଷା ଜଳା କେନ୍ଦ୍ର ସମେତ ମୟୂରଭଞ୍ଜର ଛଉ ନୃତ୍ୟ, ବଲାଙ୍ଗୀରର ଦୁଦୁଲି ବଜା ନୃତ୍ୟ ସହିତ ପଦ୍ମଶ୍ରୀ ଇଲିଆନା ସୀତାରିଷ୍ଟଙ୍କ ଟିମ ପକ୍ଷରୁ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମ୍ପାଦନାରେ ପ୍ରକାଶିତ ବିଶେଷାଙ୍କ ‘ଶାମୁଜା ’ ଅତିଥି ମାନଙ୍କ ଦ୍ବାରା ଲୋକାର୍ପଣ କରାଯାଇଥିଲା ।