କୋରାପୁଟ:ଆଜି କିଛି ଘଣ୍ଟାପରେକୋରାପୁଟରେ ହେବ ମତଦାନ,ଏଥିପଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ । ଆସନ୍ତା ସୋମବାର ଦିନ କୋରାପୁଟ ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଥିବା ଯୋଗୁଁ ଆଜି ସନ୍ଧ୍ୟା ବେଳ ଠାରୁ 48 ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାରେ 144 ଧାରା ଲାଗୁହେବା ସହ ସମସ୍ତ ମଦ ଦୋକାନକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଆଜି ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି ।
ଜିଲ୍ଲାରେ 144 ଧାରା ଲାଗୁ ହୋଇଥିବା ଯୋଗୁଁ ଲୋକେ ଦଳ ଦଳ ହୋଇ ଏକାଠି ଠିଆ ହେବା କିମ୍ବା ରାଜନୈତିକ ନେତାମାନେ ମାଇକ ଲଗାଇ ନିର୍ବାଚନ ପ୍ରଚାର କରିବାକୁ ବାରଣ କରାଯାଇଛି । ନିର୍ବାଚନ ପ୍ରଚାର ପାଇଁ ରାଜନୈତିକ ନେତାଙ୍କୁ ଯେଉଁ ଅନୁମତି ସବୁ ଦିଆଯାଇଥିଲା ସେ ସବୁକୁ ଆଜି ଠାରୁ ବାତିଲ କରାଯାଇଥିବା ଜିଲ୍ଳାପାଳ ସୂଚନା ଦେଇଛନ୍ତି । ସ୍ଥାନୀୟ ପ୍ରାର୍ଥୀଙ୍କ ପାଇଁ ଅଞ୍ଚଳ ବାହାରୁ ଆସି ନିର୍ବାଚନ ପ୍ରଚାର କରୁଥିବା ବ୍ୟକ୍ତି ତୁରନ୍ତ ସେହି ନିର୍ବାଚନ ମଣ୍ଡଳୀରୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବିଗତ ଦିନରେ ଜିଲ୍ଲାରେ ମାଓ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ଥିବା ଓ ଗତ ଦିନରେ କୌଣସି ଗଣ୍ଡଗୋଳ ହୋଇଥିବା 145ଟି ପୋଲିଙ୍ଗ ବୁଥକୁ କ୍ରିଟିକାଲ ପୋଲିଙ୍ଗ ବୁଥ ଭାବେ ଚିହ୍ନଟ କରାଯାଇଛି । କୋଟିଆ ପଞ୍ଚାୟତରେ ଭୋଟରଙ୍କ ସୁବିଧା ପାଇଁ 9ଟି ପୋଲିଙ୍ଗ ବୁଥ୍ ପ୍ରସ୍ତୁତ କରାଯାଇଥିବା ବେଳେ ଏହି ନିର୍ବାଚନ ଉପରେ ସୀମା ବିବାଦର କୌଣସି ପ୍ରଭାବ ଅନୁଭୁବ ନ ହେବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ଜିଲ୍ଳାପାଳ ସୂଚନା ଦେଇଛନ୍ତି ।