ଭୁବନେଶ୍ବର: ରାଜ୍ୟରେ ଆହୁରି କମିବ ତାପମାତ୍ରା । ବଢିବ ଶୀତର ପ୍ରକୋପ । ନଭେମ୍ବର ତୃତୀୟ ସପ୍ତାହରୁ ଶୀତ ଅନୁଭବ ହେଉଛି । ଡିସେମ୍ବର ଓ ଜାନୁଆରୀରେ ଅଧିକ ଶୀତ ପଡ଼ିବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ କିଛି ଦିନ ଯାଏଁ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାକୁ ନଥିବା ବେଳେ କିଛି ସ୍ଥାନରେ ଆଗାମୀ ୪୮ ଘଣ୍ଟା ଭିତରେ ୧ରୁ ୨ ଡିଗ୍ରୀ ଯାଏଁ ତାପମାତ୍ରା କମିବାର ସମ୍ଭାବନା ରହିଛି । ସେହିପରି ଆଗାମୀ ୩ ଦିନ ଯାଏଁ କିଛି କିଛି ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବାକୁ ଥିବା ବେଳେ ସତର୍କ ସୂଚନା ଜାରି କରାଯାଇଛି ।
ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ:
ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ୫ରୁ ୭ ଦିନ ଯାଏଁ ତାପମାତ୍ରାରେ ସେଭଳି କିଛି ବଡ଼ ପରିବର୍ତ୍ତନ ଘଟିବ ନାହିଁ । ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ସାଧାରଣ ରହିଛି । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ହେବା ସହ ଅନ୍ୟ ଅଞ୍ଚଳରେ ବର୍ତ୍ତମାନ ଶୀତ ଅନୁଭବ ହେଉଛି । ଆଗକୁ ତାପମାତ୍ରା ହ୍ରାସ ସହ ରାଜ୍ୟରେ ଶୀତ ପଡିବ । ଆର୍ଦ୍ରତାର ମାତ୍ରା କମିଲେ ତାପମାତ୍ରା ହ୍ରାସ ପାଇବ । ସେହିପରି ଡିସେମ୍ବର ଓ ଜାନୁଆରୀ ମାସରେ ଶୀତର ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଏହା ମଧ୍ୟ ପଢ଼ନ୍ତୁ...କାଲିଠୁ ରାଜ୍ୟରେ ବଢିବ ଶୀତ, ୨ ରୁ ୪ ଡିଗ୍ରୀ ଖସିବ ତାପମାତ୍ରା ଏହା ମଧ୍ୟ ପଢ଼ନ୍ତୁ...୨ରୁ ୩ ଡିଗ୍ରୀ କମିବ ତାପମାତ୍ରା, ବଢିବ ଶୀତର ପ୍ରଭାବ |
ଏସବୁ ଜିଲ୍ଲାରେ ପଡ଼ିବ କୁହୁଡ଼ି:
ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ପଡ଼ିବ । ଏଥିପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ସତର୍କ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକରେ ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ ହୋଇଛି, ଦାରିଙ୍ଗବାଡିରେ ୧୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ବର ୧୬.୦୮ ଓ କଟକରେ ୧୬.୦୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭବାନୀପାଟଣା ଓ ଫୁଲବାଣୀରେ ଘନ କୁହୁଡି ଦେଖାଦେଇଛି । ଭବାନୀପାଟଣାରେ ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବାବେଳେ ଫୁଲବାଣୀରେ ୨୦୦ ମିଟର ରହିଥିଲା ।
ଇଟିଭି ଭାରତ, ଭୁବନେଶ୍ବର