ଭୁବନେଶ୍ବର:ରାଜ୍ୟ ଉପରେ ଆଉ ଏକ ଲଘୁଚାପ ଭୟ । ୨୩ ତାରିଖ ସୁଦ୍ଧା ଲଘୁଚାପ ସମ୍ଭାବନା ନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ-IMD । ବଙ୍ଗୋପସାଗରରେ ୨୧ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ଲଘୁଚାପର ଗତି ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ୨ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ବୋଲି ବିଭାଗ ଆକଳନ କରିଛି । କିନ୍ତୁ ଲଘୁଚାପର ରୂପରେଖ କିଭଳି ହେବ, ତାହା ସ୍ପଷ୍ଟ ହୋଇନଥିବା କହିଛି ଭାରତୀୟ ପାଣିପାଗ ବିଭାଗ ।
ଖସୁଛି ପାରଦ, ବଢ଼ୁଛି ଶୀତ:
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ,ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତ ଲହରୀ । ତଳ ମୁହାଁ ରାତିର ତାପମାତ୍ରା । ଘରୁ ବାହାରକୁ ବାହାରିଲେ କୋହଲା ପବନ ଦେହ ହାତ ଥରାଇ ଦେଉଛି । ରାତି ଯେତେ ବଢୁଛି ତାପମାତ୍ରା ସେତେ ଖସିବାରେ ଲାଗିଛି । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେଉଛି । ଆଗାମୀ ୫ ଦିନ ପଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ ।ପାଗ ମୁଖ୍ୟତଃ ଶୁଖିଲା ରହିବ । ଗୋଟେ ଦୁଇଟି ସ୍ଥାନରେ ତାପମାତ୍ରା ବଢ଼ି ପାରେ । କିଛି କିଛି ସ୍ଥାନରେ କୁହୁଡି ଦେଖା ଯିବାର ଅଛି । ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରେ କୁହୁଡି ଦେଖାଯିବ । ସେହିପରି ଡିସେମ୍ବର ଓ ଜାନୁଆରୀ ମାସରେ ଶୀତ ବଢିବାର ସମ୍ଭାବନା ରହିଛି ।