ବରଗଡ଼:ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । ଦଳର ହାତ ଛାଡିଲେ ପୂର୍ବତନ ବିଧାୟକ ତଥା ବରଗଡ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ । କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି ନିହାର ମହାନନ୍ଦ । କଂଗ୍ରେସ ଦଳର ସଭାପତି ମଲ୍ଲିକାଜୁନ ଖଡଗେଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ନିହାର । ଏହାସହ ଇସ୍ତଫା ପତ୍ରର ନକଲ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ମଧ୍ୟ ପଠାଇଛନ୍ତି ନିହାର ।
ଆଜି ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ନିହାର ରଞ୍ଜନ ମହାନନ୍ଦ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ରାଜ୍ୟରେ ୧୩ ଟି ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରାଗଲା ପରେ ଆଜି ନିହାର ତାଙ୍କ ଇସ୍ତଫା ଦେଇଛନ୍ତି । ତେବେ ବରଗଡ ଜିଲ୍ଲାରେ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ଗତ କିଛି ବର୍ଷ ହେଲା ନିହାର ମହାନନ୍ଦ ଦଳ ପାଇଁ କାର୍ଯ୍ୟ ତୁଲାଇ ଆସୁଥିଲେ । କିନ୍ତୁ ଗତକାଲି (ରବିବାର) କଂଗ୍ରେସ ନିହାରଙ୍କୁ ଜିଲ୍ଲା ସଭାପତି ପଦବୀରୁ ହଟାଇ ତାଙ୍କ ସ୍ଥାନରେ ହରଦୀପ ସିଂଙ୍କୁ ନୂତନ ଜିଲ୍ଲା ସଭାପତି ଭାବେ ଦାୟିତ୍ବ ଦେଇଥିଲା । ଜିଲ୍ଲା ସହାପତି ଭାବରେ ହରଦୀପଙ୍କ ନାମ ଘୋଷଣା ହେବାର ଦିନକ ପରେ ନିହାର ମହାନନ୍ଦ ନିଜର ଇସ୍ତଫାପତ୍ର ଦଳର ମୁଖ୍ୟଙ୍କୁ ପଠାଇଛନ୍ତି ।
ଏନେଇ ନିହାର କହିଛନ୍ତି, "ଦଳ ଛାଡିବା ନେଇ ମଲ୍ଲିକାଜୁନ ଖଡଗେଙ୍କୁ ଇସ୍ତଫା ପତ୍ର ଦେଇଛି । ଏହାର ଏକ କପି ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ଦେଇଛି । 15 ବର୍ଷ ଧରି କଂଗ୍ରେସରେ କାମ କରୁଥିଲି । ଦଳକୁ ମଜଭୁତ କରିବା ପାଇଁ ଆଗକୁ ଆସିଥିଲୁ । କିନ୍ତୁ ବର୍ଷେ ହେବ ଦେଖା ଦେଉଛି ଯେ, ଦଳ ମଜଭୁତ ହେବା ଅପେକ୍ଷା ଭାଙ୍ଗିବାକୁ ଯାଉଛି । ସେସବୁକୁ ଦୃଷ୍ଟିରେ ରଖି ଦଳରୁ ଇସ୍ତଫା ଦେଉଛି ।"