ସମ୍ବଲପୁର:ରେଙ୍ଗାଲିବିଜେଡିକୁ ବଡ଼ ଧକ୍କା । ଆଜି ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର 2019ର ବିଜେଡି ପ୍ରାର୍ଥିନୀ ରୀନା ତନ୍ତୀ ଓ ତାଙ୍କ ସ୍ୱାମୀ ତଥା ଜିଲ୍ଲା ବିଜେଡିର ST/SC ସେଲର ସଭାପତି ମୋତିଲାଲ ତନ୍ତୀ ଆଜି ବିଜେପିରେ ଯୋଗଦାନ କରିଛନ୍ତି । ଆଜି ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୟ ନାରାୟଣ ମିଶ୍ର ଓ ଜିଲ୍ଲା ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ରୀନା ଓ ମୋତିଲାଲ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ପୂର୍ବତନ ହକି ଷ୍ଟାର ପ୍ରବୋଧ ତୀର୍କି ମଧ୍ୟ ଉପସ୍ଥିତ ରହିଥିଲେ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି,"ଆଜି ସମ୍ବଲପୁର ତଥା ରାଜ୍ୟ ରାଜନୀତିରେ ଏକ ବଡ ଅଧ୍ୟାୟ ଲେଖା ହୋଇଛି । ଆଜି ଦୁଇଟି ବଡ ଧାରା ବିଜେପିରେ ଯୋଗ ଦେଇଛନ୍ତି । ମୁଁ ତାଙ୍କୁ ସ୍ୱାଗତ କରୁଛି ।" ପୂର୍ବରୁ ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ଉପସ୍ଥିତିରେ ପୂର୍ବତନ ହକି ଷ୍ଟାର ତଥା ଯୁବ କଂଗ୍ରେସ ନେତା ପ୍ରବୋଧ ତିର୍କୀ ବିଜେପିରେ ଯୋଗଦାନ କରିଥିବା ବେଳେ ଆଜି ସେ ମଧ୍ୟ ଆଜି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଥିଲେ ଯେ, କାହା ଷଡଯନ୍ତ୍ରରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପ୍ରବୋଧଙ୍କ ଟିକଟ କଟାଯାଇଥିଲା । ତାଙ୍କୁ କଂଗ୍ରେସ ପକ୍ଷରୁ ଏମିତି ଅସମ୍ମାନ କରାଯାଇଥିବା ବେଳେ ତାଙ୍କ ମନ ଭିତରେ ଆଜି ପର୍ଯ୍ୟନ୍ତ ଗ୍ଲାନି ରହିଛି । ସେ ଆଜି ବିଜେପିରେ ଯୋଗଦାନ କରିଛନ୍ତି ।ଏହାସହ ଆଜି ସମ୍ବଲପୁର ଜିଲ୍ଲା ବିଜେଡିର ଏସି /ଏସଟି ସେଲର ସଭାପତି ମୋତିଲାଲ ତନ୍ତୀ ଓ ତାଙ୍କ ପତ୍ନୀ ତଥା ରେଙ୍ଗାଲି ବିଧାନସଭାର ବିଜେଡିର 2019ର ପ୍ରାର୍ଥିନୀ ରୀନା ତନ୍ତୀଙ୍କୁ ମଧ୍ୟ ସ୍ୱାଗତ କରୁଛୁ ।