ଓଡିଶା

odisha

By ETV Bharat Odisha Team

Published : Jul 31, 2024, 4:07 PM IST

ETV Bharat / state

ଘଡ଼ିଆଳଙ୍କ ପାଇଁ ବନ୍ୟା ଭୟ ! ସୁରକ୍ଷା ଚିନ୍ତାରେ ବନ ବିଭାଗ - baby Gharial crocodile rescued

BABY GHARIAL CROCODILE RESCUED: ଉଛୁଳୁଛି ମହାନଦୀର ସାତକୋଶିଆ ଗଣ୍ଡ । ଦୁଇ କୂଳଲଙ୍ଘି ବନ୍ୟାଜଳ ପ୍ରବାହିତ ହେଉଛି । ତେବେ ଗତ ମେ ମାସରେ ଜନ୍ମ ହୋଇଥିବା ୩୫ଟି ବିରଳ ଘଡ଼ିଆଳ ଛୁଆଙ୍କ ସୁରକ୍ଷା ଚିନ୍ତାରେ ବନ ବିଭାଗ । ଅଧିକ ପଢନ୍ତୁ

BABY GHARIAL CROCODILE RESCUED
BABY GHARIAL CROCODILE RESCUED (ETV Bharat Odisha)

ଅନୁଗୋଳ:ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ସାତକୋଶିଆ ଗଣ୍ଡରେ ଅକାତକାତ ପାଣି ପ୍ରବାହିତ ହେଉଛି । ଆଗକୁ ଆହୁରି ବର୍ଷା ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ଗତ ମେ ମାସରେ ସାତକୋଶିଆ ଗଣ୍ଡରେ ୩୫ଟି ବିରଳ ଘଡ଼ିଆଳ ଛୁଆ ଜନ୍ମ ହୋଇଛନ୍ତି । ଏହି ପ୍ରଜାତିର କୁମ୍ଭୀର ଖୁବ କମ୍ ସଂଖ୍ୟାରେ ଦେଖିବାକୁ ମିଳନ୍ତି । କାରଣ ଏମାନେ ଜନ୍ମ ହେଲେ ବଞ୍ଚିବା ଆଶା ବହୁତ କମ୍ ଥାଏ । ତେଣୁ ସେମାନେ କିଭଳି ବନ୍ୟା ସ୍ରୋତରେ ଭାସି ନଯାନ୍ତି ସେଥିପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି । ବନ୍ୟା ଜଳରୁ ଘଡ଼ିଆଳ ଛୁଆମାନଙ୍କୁ ଉଦ୍ଧାର କରି ଆଣି ସୁରକ୍ଷିତ ସ୍ଥାନରେ ରଖାଯାଉଛି ।

BABY GHARIAL CROCODILE RESCUED (ETV Bharat Odisha)

ଫୁଲୁଛି ସାତକୋଶିଆ ଗଣ୍ଡ:

ବର୍ତ୍ତମାନ ସୁଦ୍ଧା ୧୨ଟି ଛୁଆ ଉଦ୍ଧାର କରାଯାଇ ଘଡ଼ିଆଳ ସଂରକ୍ଷଣ କେନ୍ଦ୍ରରେ ରଖା ଯାଇଛି । ସେମାନଙ୍କ ସମସ୍ତ ପ୍ରକାର ଯତ୍ନ ନିଆଯାଉଛି । ଆଗକୁ ବନ୍ୟା ଜଳ ବୃଦ୍ଧି ପାଇବାକୁ ଥିବାରୁ କିଭଳି ତୁରନ୍ତ ଅନ୍ୟ ଛୁଆ ମାନଙ୍କୁ ଉଦ୍ଧାର କରାଯିବ ସେଥିପାଇଁ ପ୍ରୟାସ ଜାରି ରଖିଛି ବନ ବିଭାଗ । ଦୀର୍ଘ ୪୦ବର୍ଷ ପରେ ଗତ ୨୦୨୧ରେ ସାତକୋଶିଆ ମହାନଦୀ ଗଣ୍ଡରେ ପ୍ରଥମ ଥର ପାଇଁ ପ୍ରାକୃତିକ ପରିବେଶରେ ୨୮ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ । ସେତେବେଳେ ସାରା ଦେଶରେ ବନ୍ୟଜନ୍ତୁ ବିଶେଷଜ୍ଞ ମାନଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା । ଏହାପରେ ୨୦୨୨ରେ ୩୨ଟି ଏବଂ ୨୦୨୩ରେ ୩୫ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ । ଚଳିତ ବର୍ଷ ଗତ ମେ ମାସରେ ପୁଣି ଥରେ ୩୫ଟି ଛୁଆ ଜନ୍ମ ହୋଇଛନ୍ତି ।

ଘଡ଼ିଆଳ କୁମ୍ଭୀର ଛୁଆଙ୍କୁ ସୁରକ୍ଷା ଦେଉଛି ବନବିଭାଗ:

ସବୁଠାରୁ ବଡ଼ କଥା ହେଉଛି ନଦୀ ଗଣ୍ଡରେ ଥିବା ଏକ ମାତ୍ର ଘଡ଼ିଆଳ ଯୋଡି ଯୋଗୁଁ ୪ବର୍ଷ ହେଲା ଛୁଆ ଜନ୍ମ ହୋଇ ପାରୁଛି । କିନ୍ତୁ ଛୁଆ ଗୁଡିକ ବଞ୍ଚି ରହିବା ସମ୍ଭବ ହେଉ ନାହିଁ । ଚଳିତ ବର୍ଷର ଛୁଆଙ୍କୁ ଛାଡିଦେଲେ ଗତ ୩ବର୍ଷର ପ୍ରାୟ ୧୦୦ଛୁଆଙ୍କ ମଧ୍ୟରୁ ଗଣ୍ଡରେ ମାତ୍ର ୮ରୁ ୧୦ଟି ଦେଖା ଯାଉଛନ୍ତି । ମହାନଦୀରେ ବନ୍ୟା ଆସିବା ଫଳରେ ଛୁଆ ଗୁଡିକ ଭାସି ଯାଇ ପୁରୀ କେନାଲ ଓ ଆଠଗଡ଼ ଅଞ୍ଚଳରେ ଲାଗିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ନନ୍ଦନକାନନରେ ରଖାଯାଇଛି । ଦେଖିବାକୁ ଗଲେ ପ୍ରାୟ ୧୬ଟି ଘଡ଼ିଆଳ ଛୁଆ ନନ୍ଦନକାନନରେ ଅଛନ୍ତି । ଆଉ ଛୁଆଙ୍କର କୌଣସି ପତ୍ତା ମିଳୁ ନାହିଁ । ଚଳିତ ବର୍ଷ ଗତ ମାସରେ ଜନ୍ମ ହୋଇଥିବା ୩୫ଟି ଛୁଆଙ୍କୁ କିଭଳି ସୁରକ୍ଷିତ ରଖା ଯାଇପାରିବ ବନ ବିଭାଗ ଅକ୍ଲାନ୍ତ ଉଦ୍ୟମ କରୁଛି ।

ଏହା ମଧ୍ୟ ପଢନ୍ତୁ.... ଭିତରକନିକାରେ କମିଲା କୁମ୍ଭୀର ବସା - CROCODILE NEST COUNTING

ଘଡ଼ିଆଳଙ୍କ ଏନ୍ତୁଡ଼ିଶାଳ ସାତକୋଶିଆ:

ଏହାଛଡା ବିଗତ ୪ବର୍ଷ ହେଲା ଅନେକ ଘଡ଼ିଆଳ ଛୁଆ ବନ୍ୟାରେ ଭାସି ଯାଇଛନ୍ତି । ଚଳିତ ବର୍ଷ ଏବେଠାରୁ ବନ୍ୟା ଆଶଙ୍କା କରା ଯାଉଛି । ତେଣୁ ଏହାର ମୁକାବିଲା ପାଇଁ ଏବେଠାରୁ ପ୍ରସ୍ତୁତ ହେବା ଆବଶ୍ୟକ । ବିରଳ ଘଡ଼ିଆଳ ଆମ ଦେଶର ଚମ୍ବଲ ଓ ଗଣ୍ଡକ ନଦୀରେ ଦେଖିବାକୁ ମିଳନ୍ତି । ଏବେ ସାତକୋଶିଆ ଗଣ୍ଡରେ ଏଭଳି ବିରଳ ପ୍ରଜାତିର ଘଡ଼ିଆଳ ବଂଶ ବୃଦ୍ଧି କରିବା ଦେଖିବାକୁ ମିଳୁଛି । ତେଣୁ ଏଠାରେ ବର୍ଷ ତମାମ ବିଶେଷଜ୍ଞ ଓ ଅଭିଜ୍ଞମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ସୁରକ୍ଷା କରାଯିବା ଆବଶ୍ୟକ ରହିଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details